ନାଳ ପାର ହେଲେ ସ୍କୁଲ ! ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ଯାତ୍ରା

85

କନକ ବ୍ୟୁରୋ : ନାଳ ପାର ହେଲେ ସ୍କୁଲ । ପ୍ରତିଦିନ ବେକ ପାଣିରେ ଓଦା ହୋଇ ଯିବାକୁ ପଡେ ସ୍କୁଲ । ଜୀବନକୁ ପାଣି ଛଡାଇ ବେକେ ପାଣିରେ କାନ୍ଧରେ ପିଲାକୁ ବସାଇ ନାଳ ପାରନ୍ତି ଗ୍ରାମବାସୀ । କଳାହାଣ୍ଡିରେ ଜିଲ୍ଲା ହେଡକ୍ୱାଟରରୁ ମାତ୍ର ୭ କିମି ଦୂରରେ ଥିବା ବୋରଭଟା ଗାଁର ଗ୍ରାମବାସୀମାନେ ଛୁଆଙ୍କୁ ପାଠ ପଢାଇବା ପାଇଁ ଜୀବନକୁ ପାଣି ଛଡାଇ ପାଣି ନାଳ ମଧ୍ୟରେ କାନ୍ଧରେ ବୋହିବୋହି ନେଉଛନ୍ତି ।

ଗାଁର ପିପଲନାଲା ଉପରେ ପୋଲ ନଥିବାରୁ ବର୍ଷା ଦିନରେ ସ୍କୁଲ ଛାତ୍ରଛାତ୍ରୀ ମାନେ ପାଠ ପଢିବାକୁ ଅଭିଭାବକ ଦ୍ୱାରା କାନ୍ଧରେ ବୁହା ହୋଇ ଯାଇଥାନ୍ତି । ନାଳରେ ପ୍ରବଳ ପାଣି ଆସୁଥିବାରୁ ଅଭିଭାବକ ମାନେ ବାଧ୍ୟ ହୋଇ ଛୁଆ କାଳେ ଭାସିଯିବେ ବୋଲି ଛୁଆଙ୍କୁ ହାତରେ ଓ କାନ୍ଧରେ ବୋହି ନାଳ ପାରି କରିଥାନ୍ତି । ଗାଁର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ କାମଠଣା ପଂଚାୟତ ହାଇସ୍କୁଲକୁ ପାଠ ପଢିବା ପାଇଁ ଯାଉଥିବା ବେଳେ ୧୦ ରୁ ୧୫ ଜଣ ଛାତ୍ରଛାତ୍ରୀ ଭବାନୀପାଟଣାକୁ କଲେଜ ପାଠ ପଢିବା ପାଇଁ ଯାଆନ୍ତି । ବର୍ଷା ଦିନରେ ଏମାନଙ୍କ ଅବସ୍ଥା ନକହିବା ଭଲ । ଏମିତିକି ରୋଗିଟିଏ ଗୁରୁତର ହେଲେ ମଧ୍ୟ ତାକୁ ମଧ୍ୟ ପାଣି ଭିତରେ ବୋହି କି ନେବାକୁ ପଡେ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ପୋଲ ନିର୍ମାଣ ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ।