ଜଳ ଘେରରେ ଜୀବନ! କନକ ନ୍ୟୁଜ କ୍ୟାମେରାରେ ପଛୁଆ ଅଂଚଳର ଦୁଇଟି ଅଭାବନୀୟ ଦୃଶ୍ୟ

31

କନକ ବ୍ୟୁରୋ : ବେକେ ପାଣିରେ କାନ୍ଧରେ ବୁହା ଦେଶର ଭବିଷ୍ୟତ । ଜୀବନକୁ ପାଣି ଛଡାଇ ଏମିତି ଚାଲିଛି ପାଠପଢା । ଦିନେ କି ଦୁଇଦିନ ନୁହେଁ, ପ୍ରତିଦିନ ଏମିତି ସ୍କୁଲ୍ ଯାଆନ୍ତି ଛାତ୍ରଛାତ୍ରୀ । ପିଲାଙ୍କୁ କାନ୍ଧରେ ବସାଇ ନଈ ସୂଅ ପାର କରାନ୍ତି ଅଭିଭାବକ । ଏପରି ଅବ୍ୟବସ୍ଥାରେ କାଳାତିପାତ କରୁଛନ୍ତି କଳାହାଣ୍ଡି ଜିଲ୍ଲା ହେଡକ୍ୱାର୍ଟରରୁ ୭ କିମି ଦୂର ବୋରଭଟା ଗାଁର ଛାତ୍ରଛାତ୍ରୀ । ଗାଁ ମଧ୍ୟରେ ରହିଛି ପିପଲ ନାଳ । ଯାହା ଉପରେ ବର୍ଷ ବର୍ଷ ହେଲା ପୋଲ ତିଆରି ହୋଇନି । ଫଳରେ ବଢି ନଈ ପାଣିରେ ବୁଡି ସ୍କୁଲ୍ ଯାଆନ୍ତି ଛାତ୍ରଛାତ୍ରୀ ।

ନାଳ ଏପଟେ ଆଉ ଗାଁ ସେପଟେ ସ୍କୁଲ୍ । ପାଠ ପଢିବାକୁ ହେଲେ ପାର କରିବାକୁ ହେବ ବେକେ ପାଣିର ନାଳ । ଗାଁର ୫୦ରୁ ଅଧିକ ପିଲା ପ୍ରତିଦିନ ନାଳ ପାର ହୋଇ ସ୍କୁଲ ଯାଆନ୍ତି । ଖାଲି ସ୍କୁଲ କାହିଁକି ସବୁ କିଛି ରହିଛି ନାଳ ଆରପାଖରେ । ରୋଗୀଟିଏ ଗୁରୁତର ହୋଇପଡିଲେ ବି ଏହି ବଢି ପାଣିର ନାଳ ପାର ନକଲେ ଅନ୍ୟ ରାସ୍ତା ନାହିଁ । ଆଉ ବର୍ଷା ହେଲେ ସ୍ଥିତି ଅସମ୍ଭାଳ ।

ଏପଟେ ପାଣି ଘେରରେ ଫଶିଲେ ପ୍ରସୂତି । ରାସ୍ତା ଉପରେ ବଢି ପାଣି ଯୋଗୁଁ ଅଟକିଲା ଆମ୍ବୁଲାନ୍ସ । ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ଫୁଲିଛି ପୋଟେରୁ, ସାବେରୀ ଓ ସିଲୋରୀ ନଦୀ । ନଦୀର ୪ ଫୁଟର ବନ୍ୟା ଜଳ ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି । ଫଳରେ କାଲିମେଳା-ମାଲକାନଗିରି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଆଉ ଘଂଟା ଘଂଟା ଧରି ଅପେକ୍ଷା କରିବା ପରେ ଫେରିଯାଇଛି ଆମ୍ବୁଲାନ୍ସ ।