ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଶାନ୍ତ କ୍ୟାମ୍ପସ । ୩ ବିଶ୍ୱବିଦ୍ୟାଳୟ,୧୨ କଲେଜରେ ନିର୍ବାଚନ ବାତିଲ୍ । ୬ ବିଶ୍ୱବିଦ୍ୟାଳୟ, ୨୮୩ କଲେଜରେ ହେବ ନିର୍ବାଚନ

48

କନକ ବ୍ୟୁରୋ: ଅକ୍ଟୋବର ୧୧ରେ ହେବାକୁ ଥିବା ଛାତ୍ର ସ˚ସଦ ନିର୍ବାଚନ ପୂର୍ବରୁ ବିଭିନ୍ନ କ୍ୟାମ୍ପସରେ ଦେଖାଦେଇଛି ଛାତ୍ର ଅଶାନ୍ତି। କ୍ୟାମ୍ପସ ଅଶାନ୍ତ ରହିଥିବାରୁ ରାଜ୍ୟର ୩ଟି ବିଶ୍ୱବିଦ୍ୟାଳୟ ଓ ୧୨ଟି କଲେଜରେ ନିର୍ବାଚନ ବାତିଲ୍‌ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୬୦୦ରୁ ଅଧିକ ଯୁକ୍ତ୩ କଲେଜ ଓ ୧୧ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୬ଟି ବିଶ୍ୱବିଦ୍ୟାଳୟ ଓ ୨୮୩ଟି କଲେଜରେ ନିର୍ବାଚନ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ସୂଚନା ଦିଆଯାଇଛି।

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ରହିଥିବାରୁ ସେଠାରେ ଚଳିତବର୍ଷ ନିର୍ବାଚନକୁ ବାତିଲ୍ କରାଯାଇଛି। ସେହିପରି ଛାତ୍ର ଅଶାନ୍ତି ଲାଗିରହିଥିବାରୁ ଗତକାଲି ସମ୍ବଲପୁର ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବି ଛାତ୍ର ସଂସଦ ନିର୍ବାଚନ ବାତିଲ୍ ହୋଇଛି। ଏବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ହେବା ପାଇଁ ବିଜ୍ଞପ୍ତି ଜାରି ହୋଇଛି। କେତେକ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ବଦଳେର ସିଲେକ୍ସନ ପ୍ରକ୍ରିୟାରେ ପ୍ରାର୍ଥୀ ଚୟନ କରିବାକୁ ସ୍ଥିର କରାଯାଇଛି। ନିର୍ବାଚନ ବନ୍ଦ ହୋଇଥିବା ପ୍ରମୁଖ କେଲଜ ମଧ୍ୟରେ କଟକସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ, ଭୁବନେଶ୍ୱରସ୍ଥିତ ୟୁନିଭରସିଟି ଲ’ କଲେଜ, ଖୋର୍ଧା ଜିଲ୍ଲାର ପ୍ରତାପ ଶାସନ ଡିଗ୍ରି କଲେଜ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କୁଶଳେଶ୍ୱର କଲେଜ, ବାଲେଶ୍ୱର ଜିଲ୍ଲାର ନୀଳଗିରି କେଲଜ, ଧାମନଗର କଲେଜରେ ଛାତ୍ର ଅଶାନ୍ତି ଲାଗିରହିବାରୁ ନିର୍ବାଚନ ବାତିଲ୍ ସହ ସାଇନ୍ ଡାଏ ଘୋଷଣା କରାଯାଇଛି।

ଅନୁଗୁଳ ଜିଲ୍ଲା ବନ୍ତଳା କଲେଜ, ଯାଜପୁର ଜିଲ୍ଲାର ଏନ୍ସି କଲେଜ, ଫୁଲବାଣୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି। କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା ହେବା ସହ ଉତ୍ତେଜନା ଲାଗିରହିଛି। ତେଣୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।ବିଜ୍ଞପ୍ତି ପ୍ରକାଶ ପାଇବା ସହ ଗତକାଲିଠାରୁ କ୍ୟାମ୍ପସରେ ଲିଙ୍ଗଡୋ କମିସନଙ୍କ ନିୟମ ଲାଗୁ ହୋଇଛି। ଛାତ୍ରଛାତ୍ରୀଙ୍କ ପ୍ରଚାର ଉପରେ କଟକଣା ଜାରି ହୋଇଛି। ଯଦି କୌଣସି ଶିକ୍ଷାନୁଷ୍ଠାନରେ ଛାତ୍ର ଅଶାନ୍ତି ଦେଖାଦିଏ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେଠାରେ ନିର୍ବାଚନ ବାତିଲ୍ କରିପାରିବେ। ଅକ୍ଟୋବର ୩ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ। ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ତାହାକୁ ଯାଞ୍ଚ କରାଯିବ। ଅକ୍ଟୋବର ୪ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ। ୧୦ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ହେବ। ୧୧ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ।

ଦୁଇ ବର୍ଷ ପରେ ବିଜେବିରେ ହେବ ନିର୍ବାଚନ

ଅନ୍ୟପକ୍ଷରେ ଗତ ଦୁଇବର୍ଷ ଧରି ନିର୍ବାଚନ ବନ୍ଦ ଥିବା ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଏଥର ନିର୍ବାଚନ ହେବ। ଏନେଇ ଗତକାଲି କଲେଜ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି କହିଛନ୍ତି ଏଥର ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି। ଗତ କିଛି ଦିନ ଧରି ଅଶାନ୍ତ ହୋଇପଡ଼ିଥିବା ଦେବରାୟ ଓ ରାଜଧାନୀ କଲେଜରେ ଚଳିତବର୍ଷ ନିର୍ବାଚନ ହେବ। ଉଭୟ କଲେଜ କତୃର୍ପକ୍ଷ ଜରୁରୀ ବୈଠକ କରି କ୍ୟାମ୍ପସର ସ୍ଥିତି ଉପରେ ଆଲୋଚନା କରିବା ପରେ ଗତକାଲି ବିଜ୍ଞପ୍ତି ଜାରି କରିଛନ୍ତି।