ଅଶାନ୍ତ କ୍ୟାମ୍ପସ୍ ! ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ ମଧୁସୂଦନ ଲ’ କଲେଜରେ ଉତ୍ତେଜନା, ନିର୍ବାଚନ ବାତିଲ୍

28

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ନେଇ କଟକ ମଧୁସୂଦନ ଆଇନ୍ କଲେଜରେ ଉତ୍ତେଜନା । ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ୍ ମିଡିଆରେ ଆପତ୍ତିଜନକ ପୋଷ୍ଟ ପରେ କଲେଜରେ ଅଶାନ୍ତି ବଢିଥିଲା । ଆଜି କଲେଜରେ ଉତ୍ତେଜନା ଦେଖାଯିବା ସହ ଭଙ୍ଗାରୁଜା କରିଛନ୍ତି ଛାତ୍ରଛତ୍ରୀ । କଲେଜରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ନିର୍ବାଚନ ବାତିଲ କରାଯିବା ସହ ସାଇନ୍ ଡାଏ ଘୋଷଣା କରାଯାଇଛି । କଲେଜରେ ଲାଗିରହିଥିବା ଉତ୍ତେଜନା ଯୋଗୁଁ ଏକ ପ୍ଲାଟୁନ ପୁଲିସ ମୂତୟନ କରାଯାଇଛି ।

ସୂଚନା ମୁତାବକ, ପ୍ରତିପକ୍ଷ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ମହିଳା ପ୍ରାର୍ଥୀଙ୍କ ହନିଟ୍ରାପରେ ପଡନ୍ତୁ ନାହିଁ । ଏଭଳି ଆପତ୍ତିଜନକ ମନ୍ତବ୍ୟ ଥିବା ପୋଷ୍ଟ ସୋସିଆଲ ମିଡିଆରେ ଘୁରିବୁଲିବା ପରେ ଏନେଇ ଅଭିଯୋଗ ହୋଇଥିଲା । ଏଭଳି ଆପତ୍ତିଜନକ ପୋଷ୍ଟ କରି ପ୍ରତିପକ୍ଷ ଛାତ୍ର ଗୋଷ୍ଠୀ ତାଙ୍କ ଚରିତ୍ର ସଂହାର କରିଥିବା ଅଭିଯୋଗ ବାଢିଛନ୍ତି ପ୍ରାର୍ଥୀ । ଏଭଳି ଆପତ୍ତିଜନକ ପୋଷ୍ଟ ଲିଙ୍ଗଡୋ କମିଶନଙ୍କ ନିୟମର ଉଲ୍ଲଂଘନ ଓ ସାଇବର ଅପରାଧ ବୋଲି କହିଛନ୍ତି ସଂପୃକ୍ତ ମହିଳା ପ୍ରାର୍ଥୀ ।

ତେଣୁ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ସେ ଦାବି କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ କଲେଜରେ ହିଂସାତ୍ମକ ରୁପ ନେଉଛି ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ହେଲେ ଏହାରି ଭିତରେ କଟକରେ ସୋସିଆଲ ମିଡିଆରେ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଚରିତ୍ର ସଂହାର ଭଳି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି ।