ବିବାଦ ଭିତରେ ବାତିଲ୍ ହେଲା ବିଜେବି ଛାତ୍ର ସଂସଦ ନିର୍ବାଚନ : ପ୍ରତିବାଦରେ ଛାତ୍ରଙ୍କ ଆତ୍ମାହୁତି ଉଦ୍ୟମ

33

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଜେବି କଲେଜରେ ନିର୍ବାଚନ ବନ୍ଦ । କ୍ୟାଂପସରେ ଛାତ୍ର ଅଶାନ୍ତି ଯୋଗୁଁ ବିଜେବି କଲେଜ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି କର୍ତୃପକ୍ଷ । ଷ୍ଟାଫ୍ କାଉନସିଲ ମିଟିଂ ପରେ ଏଭଳି ନିଷ୍ପତି ନିଆଯାଇଛି । ଏହା ସହ କଲେଜରେ ସାଇନ-ଏ- ଡାଏ ଘୋଷଣା କରାଯିବା ସହ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାରୁ ନିର୍ଦେଶ ଦିଆଯାଇଛି ।

ସେପଟେ ଏହି ଘୋଷଣା ପରେ କଲେଜ କ୍ୟାଂପସରେ ଉତେଜନା ପ୍ରକାଶ ପାଇଛି। ଏପରିକି ଜଣେ ଛାତ୍ର ଆତ୍ମାହୁତି କରିବାକୁ ଉଦ୍ୟମ କରିଛି। ବର୍ତମାନ କଲେଜ କ୍ୟାଂପସରେ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ କ୍ୟାଂପସକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଛି । କଲେଜ ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିବା ପରଠାରୁ କ୍ୟାଂପସ ଅଶାନ୍ତ ହୋଇପଡିଛି ।

ସୋମବାର କଲେଜରେ ବୋମାମାଡ ହୋଇଥିଲା । ଆଜି ଏକ ନିର୍ଦ୍ଦିଷ୍ଟ ଛାତ୍ରଗୋଷ୍ଠୀ ସାଇନ୍ସ ବ୍ଲକରେ ତାଲାପକାଇ ପ୍ରତିବାଦ କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବାକୁ ଦାବି କରି ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ। ସେପଟେ ଆଜି ସକାଳେ କଲେଜରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ପୁଣି ବିବାଦ ଦେଖାଦେବାରୁ ଷ୍ଟାଫ କାଉନସିଲ ବୈଠକ ବସି କଲେଜରେ ନିର୍ବାଚନ ହେବ କି ନାହିଁ ସେ ନେଇ ଆଲୋଚନା କରାଯାଇଥିଲା।