କମ୍ପୁଛି କଲେଜ କ୍ୟାମ୍ପସ୍ ! ଚିକେନ୍ ପାର୍ଟି ଓ ଭୋଜିଭାତରେ ଉଠୁଛି ପଡ଼ୁଛି ପରିସର, ନିର୍ବାଚନ ବନ୍ଦ ହୋଇଥିବା କଲେଜରେ ଜଳୁଛି ଅସନ୍ତୋଷର ନିଆଁ ।

106

କନକ ବ୍ୟୁରୋ  : ଚୂଡାନ୍ତ ପ୍ରାର୍ଥୀ ତାଲିକା ବାହାରିବା ପରେ ଏବେ ସମୟ, ପ୍ରଚାରର । କ୍ୟାମ୍ପେନିଂରେ କମ୍ପୁଛି କ୍ୟାମ୍ପସ । କେଉଁଠି ଚିକେନ୍ ତ ଆଉ କେଉଁଠି ମଟନ୍, ଚାଲିଛି ଭୋଜି ଭାତର ଆସର । ଏହାରି ଭିତରେ ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୧ଟି ବିଶ୍ୱବିଦ୍ୟାଳୟରୁ ୭ଟିରେ ନିର୍ବାଚନକୁ ବାତିଲ କରାଯାଇଛି । ସେପଟେ ନିର୍ବାଚନ ବନ୍ଦ ହେବା ପରେ କ୍ୟାମ୍ପସରେ ଜୋର ଧରୁଛି ପ୍ରତିବାଦ ।

କମ୍ପୁଛି କଲେଜ କ୍ୟାମ୍ପସ୍ । ଜମୁଛି ଭୋଜିଭାତର ଆସର । କେଉଁଠି ଚିକେନ ତ କେଉଁଠି ମର୍ଟନ ତ ଆଉ କେଉଁଠି ସାଧା । ଏବେ ଭୋଜି ଭାତର ଆସର ଜମୁଛି କଲେଜ କ୍ୟାମ୍ପସରେ । ରାଜଧାନୀର କିଛି କଲେଜ ଓ ବିଶ୍ୱବିଦ୍ୟାଳୟର ପ୍ରତିଦିନ ଦେଖିବାକୁ ମିଳୁଛି କିଛି ଏଭଳି ଆସର  । ଯେଉଁଠି ଛାତ୍ର ସଂସଦ ନିର୍ବାଚନ, ସେଇଠି ଚଳଚଂଚଳ କଲେଜ କ୍ୟାମ୍ପସ । ହେଲେ ଚଳିତବର୍ଷ ଅର୍ଦ୍ଧାଧିକ ବିଶ୍ୱବିଦ୍ୟାଳୟ ଓ କଲେଜରେ ହେଉନାହିଁ ନିର୍ବାଚନ  । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୧ଟି ବିଶ୍ୱବିଦ୍ୟାଳୟରୁ ୭ଟି ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ବାତିଲ କରାଯାଇଛି  । ଅନୁରୁପ ଭାବେ ରାଜ୍ୟର ଅର୍ଦ୍ଧାଧିକ ଅନୁଦାନ ଓ ଅଣଅନୁଦାନପ୍ରାପ୍ତ କଲେଜରେ ମଧ୍ୟ ନିର୍ବାଚନ ହେଉନାହିଁ  । ଲିଙ୍ଗଡୋ କମିଶନ ନିୟମ ଅନୁଯାୟୀ, ହିଂସା ହେଉଥିବା କ୍ୟାମ୍ପସରେ ନିର୍ବାଚନକୁ ବାତିଲ କରାଯାଇଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ  ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର, ରେଭେନ୍ସା, ଉତ୍ତର ଓଡିଶା ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷ ହେଉନାହିଁ ନିର୍ବାଚନ  । ଦୁଇ ପ୍ରମୁଖ ଛାତ୍ର ସଂଗଠନ ବିଜୁ ଛାତ୍ର ଜନତା ଦଳ ଓ ଏବିଭିପି ନିର୍ବାଚନ ବାତିଲକୁ ନେଇ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛି କ୍ୟାମ୍ପସରେ ଉତ୍ତେଜନା ସେତିକି ବଢିବାରେ ଲାଗିଛି  । ତେବେ ଦିନକୁ ଦିନ ଛାତ୍ର ସଂସଦର ନିର୍ବାଚନରେ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପରିବେଶ ଅଶାନ୍ତ ହୋଇଉଠୁଛି । ତେବେ ନିର୍ବାଚନକୁ ଆଉ ମାତ୍ର ୪ ଦିନ ବାକି ରହିଥିବା ବେଳେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ସରଗରମ ହୋଇଛି ଛାତ୍ର ରାଜନୀତି ।