ସପ୍ତାହ ହେଲା ସ୍କୁଲ ବନ୍ଦ, ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ।

3

କନକ ବ୍ୟୁରୋ : ସ୍କୁଲରେ ତାଲା, ରାସ୍ତାରେ ପିଲା । ଶିକ୍ଷକ ନିଯୁକ୍ତି ଦାବିରେ ସପ୍ତାହ ହେବ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେଉଥିଲେ ବି ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇ ଦେଇଛନ୍ତି ପାଟଣାଗଡ ବରବାହାଲ ହାଇସ୍କୁଲର ଛାତ୍ର ଛାତ୍ରୀ ।

ପାଠ ପଢିବା ବଦଳରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଶିକ୍ଷକ ନିଯୁକ୍ତି ଦାବିରେ ୭ ଦିନ ହେବ ଧାରଣା ଦେଇଛନ୍ତି । ୨୦୧୪ରୁ ବଲାଙ୍ଗିର ପାଟଣାଗଡ ବ୍ଲକ ବରବାହାଲ ଗାଁର ଅପଗ୍ରେଡେଟ୍ ହାଇସ୍କୁଲ ଖୋଲା ହୋଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୩୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ଏହି ସ୍କୁଲରେ ମାତ୍ର ୪ ଜଣ ପ୍ରାଇମେରି ଶିକ୍ଷକ ଅଛନ୍ତି । ଫଳରେ ପାଠପଢାରେ ବ୍ୟାହତ ହେଉଥିବାରୁ ଛାତ୍ରଛାତ୍ରୀ ସ୍କୁଲରେ ତାଲା ପକାଇଛନ୍ତି ।

ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ପୂର୍ବରୁ ଅନେକ ଥର ଅଭିଭାବକମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଏମିତି କି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ମଧ୍ୟ ଜଣାଇଥିଲେ କିଛି ସୁଫଳ ମିଳୁନାହିଁ । ତେଣୁ ଶ୍ରେଣୀଗୃହ ଛାଡି ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଛାତ୍ରଛାତ୍ରୀଙ୍କ ଆନ୍ଦୋଳନକୁ ସମର୍ଥନ କରିଛି ଅଲ୍ ଇଣ୍ଡିଆ ଡି.ଏସ.ଓ ।ସେପଟେ ଏ ସଂପର୍କରେ ଅବଗତ ଥିବା କହିଛନ୍ତି ପାଟଣାଗଡର ଭାରପ୍ରାପ୍ତ ବିଇଓ । ସ୍କୁଲରେ ଆଉ ଦୁଇ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଶିକ୍ଷକ ଅଭାବରୁ ସ୍ଲୁଲରେ ତାଲା ପଢୁଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ଠପ ହୋଇପଡିଛି । ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

Comments are closed.