କାଠଗଡାରେ ବାବୁ ! ଅଡିଟ୍ ରିପୋର୍ଟ ଧରିଲା ଉଚ୍ଚଶିକ୍ଷା ବିଭାଗର ବଡ ଦୁର୍ନୀତି

28

କନକ ବ୍ୟୁରୋ : କଲେଜରେ ଭଲ ପାଠ ପଢ଼ୁଥିବା ପିଲାଙ୍କ ବୃତ୍ତି ଟଙ୍କାକୁ ଦଲାଲ ଓ ଅସାଧୁ କର୍ମଚାରୀମାନେ କିଭଳି ହଡ଼ପ କରିଛନ୍ତି ତାର ପ୍ରମାଣ ମିଳିଛି ଅଡିଟ୍ ରିପୋର୍ଟରୁ । ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ମୌଖିକ ନିର୍ଦ୍ଦେଶରେ ଅର୍ଥାତ୍ କୌଣସି ଲିଖିତ ନିର୍ଦ୍ଦେଶ ନଦେଇ କଥା କଥାରେ ବାଂଟି ଦେଇଛନ୍ତି କୋଟି କୋଟି ଟଙ୍କା । ଗୁରୁତ୍ୱପୂର୍ଣ୍ଣ କଥା ହେଲା- ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ଥାନରେ ଅନେକ ଅଯୋଗ୍ୟ ପିଲାଙ୍କୁ ଦିଆଯାଇଛି ମେଧାବୃତ୍ତି । ଅଡିଟ୍ ରିପୋର୍ଟରୁ ଏହା ଧରାପଡ଼ିବା ପରେ କାଠଗଡ଼ାକୁ ଆସିଯାଇଛନ୍ତି ଉଚ୍ଚଶିକ୍ଷା ବିଭାଗର ତତ୍କାଳୀନ ପ୍ରମୁଖ ଶାସନ ସଚିବ ଗଗନ କୁମାର ଧଳ ।

ଅଡିଟ୍ ରିପୋର୍ଟ କହୁଛି, ଉଚ୍ଚଶିକ୍ଷା ବିଭାଗର ତତ୍କାଳୀନ ପ୍ରମୁଖ ସଚିବ ତଥା ଆଇଏଏସ୍ ଅଫିସର ଗଗନ କୁମାର ଧଳ ଓ ସ୍ୱତନ୍ତ୍ର ସଚିବଙ୍କ କୌଣସି ଲିଖିତ ନିର୍ଦ୍ଦେଶନାମା ନଦେଇ ଆବଶ୍ୟକ ପ୍ରମାଣପତ୍ର ନଥିବା ୭,୧୧୨ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ବଂଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୧୪-୧୫ ମସିହାରେ ଦିଆଯାଇଥିବା ବୃତ୍ତି ରାଶିରୁ କଲେଜରେ ପରୀକ୍ଷା ଦେବାର ପ୍ରମାଣପତ୍ର ନଥାଇ କେବଳ ଗୋଟିଏ ବିଲ୍ ଜରିଆରେ ୮୧୮ଜଣ ପିଲାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମେଧାବୃତ୍ତି ବଂଟନ କରାଯାଇଛି ।

ଅଡିଟ୍ ଦର୍ଶାଇଛି, ଶତାଧିକ ଅଯୋଗ୍ୟ ଛାତ୍ରଙ୍କୁ ମେଧାବୃତ୍ତି ବଂଟନ ଯୋଗୁଁ ୧ କୋଟି ୬୯ ଲକ୍ଷ ଟଙ୍କାର ଅନିୟମିତତା ହୋଇଛି ଓ ଏଥିରୁ ୯୨ ଲକ୍ଷ ୫୦ ହଜାର ଟଙ୍କା ଅସୁଲ କରାଯାଉ । ଘୋଟାଲାର ତଦନ୍ତ ପାଇଁ ଦୁଇ ବର୍ଷ ତଳୁ କ୍ରାଇମ୍ ବ୍ରାଂଚକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା କୌଣସି ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ସେପଟେ ଏବିଷୟରେ ପ୍ରଶ୍ନ କରାଯିବାରୁ ଅଜବ ଯୁକ୍ତି ବାଢ଼ିଛନ୍ତି ବର୍ତ୍ତମାନର ଉଚ୍ଚଶିକ୍ଷା ମନ୍ତ୍ରୀ ।

ମେଧାବୃତ୍ତିରେ ଘୋଟାଲା- “ମେଧାବୀଙ୍କୁ ଠକିଲେ ସରକାର’’ ଶୀର୍ଷକରେ କନକନ୍ୟୁଜ୍ ପକ୍ଷରୁ ପୂର୍ବରୁ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି । ଗୋଟିଏ ଗୋଟିଏ ବିଲରୁ କୋଟି ଟଙ୍କାର ଦୁର୍ନୀତିର ଗନ୍ଧ ଆସୁଥିବା ବେଳେ ୪ ବର୍ଷରେ ପ୍ରାୟ ୫୦ କୋଟି ଟଙ୍କାରୁ ଅଧିକ ଟଙ୍କାର ସ୍କାମ୍ ହୋଇଥିବା ସନ୍ଦେହ ହେଉଛି ।