ଭରା ନଈ ପାରେ ହେଲେ ସ୍କୁଲ : ବିପଦସଙ୍କୁଳ ଅବସ୍ଥାରେ ଡଙ୍ଗାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ, ନାଉରିଆ ସାଜିଛି ଜଣେ ଛାତ୍ର

28

କନକ ବ୍ୟୁରୋ : ପିଲାମାନେ କିପରି ଭଲରେ ପାଠ ପଢ଼ିପାରିବେ ସେନେଇ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ ଉପସ୍ଥାପନ କରୁଛନ୍ତି । ମ୍ୟଧାହ୍ୱ ଭୋଜନ ଠାରୁ ଆରମ୍ଭ କରି ପିଲାଙ୍କୁ ମାଗଣାରେ ବହି ଓ ପୋଷାକ ଯୋଗାଉଛନ୍ତି । ପିଲାଙ୍କ ଉନ୍ନତି ଦିଗରେ ମଧ୍ୟ ଅନେକ କାମ କରୁଛନ୍ତି । ହେଲେ କିଛି ଏପରି ଜାଗା ଅଛି ଯେଉଁ ରାଜ୍ୟସରାକରଙ୍କ ଯୋଜନା ଅପହଞ୍ଚ ହୋଇପଡ଼ିଛି । ବର୍ଷା ଋତୁରେ ଭରା ନଈରେ ଅତି ବିପଦସଙ୍କୁଳ ଅବସ୍ଥାରେ ଟଳମଳ ଡଙ୍ଗାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଡଙ୍ଗା ଚଳାଇବାକୁ କେହି ନଥିବାରୁ ନାଉରିଆ ସାଜିଛି ଜଣେ ଛାତ୍ର । ଯାତ୍ରୀମାନେ ବି ସମସ୍ତେ ଛାତ୍ରଛାତ୍ରୀ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତରେ ଉଚ୍ଛୁଳା ସୋମାକୋଇ ନଦୀରେ ମନକୁ ଆନ୍ଦୋଳିତ କରିବା ଭଳି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ।

ସ୍ଥାନୀୟ ସାପଲାଞ୍ଜି ଗ୍ରାମର ୧୫ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ଏହି ହୁଲି ଡଙ୍ଗାରେ ନଦୀ ପାରିହୋଇ କରଦାଙ୍ଗି ସ୍କୁଲକୁ ଯାଇଥାନ୍ତି । ଏହି ଗାଁକୁ ୩ ପାର୍ଶ୍ୱରେ ନଦୀ ଘେରିଛି । ଗୋଟିଏ ପଟରେ ରହିଛି ବିରାଟ ପାହାଡ଼ । ଏଣୁ ପିଲାମାନେ ଏହି ନଦୀ ପାରିହେବାକୁ ବାଧ୍ୟ ହେଉଛନ୍ତି । ପାହାଡ଼ପର୍ବତ ଦେଇ ବହିଯାଇଥିବା ସମାକୋଇ ନଦୀର ପ୍ରଖର ସ୍ରୋତରେ କେତେବେଳେ ବି ଦୁର୍ଘଟଣା ଘଟିପାରେ । କିନ୍ତୁ ପାଠ ପଢ଼ିବାର ଇଚ୍ଛାଶକ୍ତି ଆଗରେ ଏଭଳି ବିପଦ ଆଶଙ୍କାକୁ ସମସ୍ତେ ତୁଚ୍ଛ କରିଦେଇଛନ୍ତି । ଅନ୍ଧାରୀ ଦୁର୍ଗମ ଇଲାକା ସାପଲାଞ୍ଜିକୁ ରାସ୍ତା, ପୋଲ କିଛି ନଥିଲେ ବି ପାଠର ମହତ୍ତ୍ୱକୁ ଅଭିଭାବକ ଓ ପିଲାମାନେ ବୁଝିଛନ୍ତି ।

ଏଣୁ ଜୀବନକୁ ବାଜି ଲଗାଇ ନିଜେ ଡଙ୍ଗା ବାହି ନଦୀ ପାରିହେବାକୁ ପଛାଉନାହାନ୍ତି । ଅନ୍ୟପଟେ ସରକାରଙ୍କ ସମନ୍ଵିତ ବିକାଶ ଯୋଜନାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସଡ଼କ ଆଦି ଯୋଜନା ଏହି ଗାଁଠାରୁ ଯୋଜନ ଦୂରରେ ରହିଯାଇଛି । ଫଳସ୍ୱରୂପ ଖାଲି ଛାତ୍ରଛାତ୍ରୀ ନୁହନ୍ତି, ବୃଦ୍ଧବୃଦ୍ଧା, ରୋଗୀ ଓ ଗ୍ରାମବାସୀ ସମସ୍ତେ ଯାତାୟାତ ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି । ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।