କଂଗ୍ରେସକର୍ମୀଙ୍କ ଗୁଣ୍ଡାଗିରି: ଚକା ଜାମ୍ ବେଳେ କଟକରେ ଆଇଟିଆଇ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ, ମଧୁପାଟଣା ଥାନାରେ ଏତଲା

31

କନକ ବ୍ୟୁରୋ: କଂଗ୍ରେସ ହରତାଳ ସମୟରେ କଟକରେ ଜଣେ ଆଇଟିଆଇ ଛାତ୍ରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଛାତ୍ର ଏ ନେଇ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଛାତ୍ରର ମୁଣ୍ଡ ଓ ହାତରେ ଆଘାତ ଲାଗିଛି । ଚିକିତ୍ସା ଲାଗି ପୋଲିସ ତାଙ୍କୁ ଏସସିବି ମେଡିକାଲକୁ ପଠାଇଛି । କଟକ ପ୍ରେସ ଛକ ଓଭରବ୍ରିଜରେ ଆକ୍ରମଣର ଶିକାର ହୋଇଥିବା ଆହତ ଛାତ୍ର ଅଭିଯୋଗ କରିଛନ୍ତି । ଆକ୍ରମଣ କରିଥିବା ବ୍ୟକ୍ତି ହାତରେ କଂଗ୍ରେସ ପତାକା ଧରିଥିଲେ ବୋଲି ସେ କହିଛନ୍ତି । ତେବେ ତାଙ୍କ ବାପା ଦୁର୍ଘଟଣାର ଶିକାର ହୋଇଥିବା ଖବର ପାଇ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା ବୋଲି ଛାତ୍ର ଜଣକ ଅଭିଯୋଗ କରିଛନ୍ତି ।

congress protest

ସେପଟେ, କଂଗ୍ରେସର ଚକା ଜାମ୍ ଆନ୍ଦୋଳନ ଶେଷ ହୋଇଛି । ପେଟ୍ରୋଲ ଓ ଡିଜେଲ ସହ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଂଟିଆ ଚକାଜାମ୍ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହାର ପ୍ରଭାବରେ ଗାଡି ମୋଟର ଚଳାଚଳ ପ୍ରଭାବିତ ହୋଇଛି । ଭୁବନେଶ୍ୱର ଓ କଟକରେ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଗାଡି ନଚଲାଇବାକୁ ଲୋକଙ୍କୁ କଂଗ୍ରେସ ଅନୁରୋଧ କରିଥିଲା । ଫଳରେ କଂଗ୍ରେସ ଚକାଜାମ୍ ଡାକରାର ପ୍ରଭାବ ଟ୍ୱିନ୍ ସିଟିରେ ଦେଖିବାକୁ ମିଳିଥିଲା । କଂଗ୍ରେସର ଏହି ୬ ଘଂଟିଆ ବନ୍ଦ ଡାକରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜଧାନୀରେ ୧୫ ପ୍ଲାଟୁନ୍ ଓ କଟକରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ବଡ ବଡ ଛକ ମାନଙ୍କରେ ୫୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ସତର୍କ ନଜର ରଖିଥିଲେ ।

କଂଗ୍ରେସର ୬ ଘଂଟିଆ ଚକା ଜାମର ପ୍ରଭାବ

ରାଜଧାନୀ ଭୁବନେଶ୍ୱରରେ ପଡିଛି କଂଗ୍ରେସର ୬ ଘଂଟିଆ ଚକା ଜାମ୍ର ପ୍ରଭାବ । ରାସ୍ତାଘାଟରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଗାଡି ନେଉଥିବା ଲୋକଙ୍କୁ କଂଗ୍ରେସ କର୍ମୀ ଅଟକାଉଥିବା ଦେଖିବାକୁ ମିଳିଥିଲା । ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନ, ବାଣୀବିହାର ଓ ଅନ୍ୟାନ୍ୟ ସ୍ଥାନରେ କଂଗ୍ରେସର ଚକାଜାମ୍ ଆନ୍ଦୋଳନର ପ୍ରଭାବ ପଡିଥିଲା । ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ରାସ୍ତାରେ ବସି ରହିଥିଲେ କଂଗ୍ରେସ କର୍ମୀ । କେତେକ ସ୍ଥାନରେ ଦଳୀୟ କର୍ମୀମାନେ ଲୋକଙ୍କୁ ୧୨ଟା ଯାଏ ଗାଡି ନଚଳାଇବାକୁ ନିବେଦନ କରିଥିଲେ । ଆଉ କିଛି ସ୍ଥାନରେ ରାସ୍ତାରେ ଗାଡି ନେଇ ଯାଉଥିବା ଲୋକଙ୍କୁ କଂଗ୍ରେସ କର୍ମୀମାନେ ଜୋର ଜବରଦସ୍ତ ଅଟକାଉଥିବାର ଦୃଶ୍ୟ ମଧ୍ୟ ସାମନାକୁ ଆସିଥିଲା । ଖଣ୍ଡଗିରିରେ କଂଗ୍ରେସ କର୍ମୀମାନେ ପିକେଟିଂ କରିବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇଥିଲେ । ତେବେ ଏଜି ଛକରେ ଗାଡି ମୋଟର ଅଟକାଉଥିବା କିଛି କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ ।

ଅନ୍ୟପଟେ, ଚକା ଜାମ୍ ଆନ୍ଦୋଳନ ବେଳେ ଗିରଫ ହେଲେ କଂଗ୍ରେସ ନେତା ରଂଜୀବ ବିଶ୍ୱାଳ । ଭୁବନେଶ୍ୱର ଏଜି ଛକରୁ ରଂଜୀବଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଜିଦ୍ ଧରି ଦଳୀୟ କର୍ମୀଙ୍କ ସହ ଏଜି ଛକରେ ବସି ରହିଥିଲେ ରଂଜୀବ ବିଶ୍ୱାଳ । ଏଜି ଛକ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ସଚିବାଳୟକୁ ଆସିବାର କିଛି ସମୟ ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା । ଭାରତ ଭଳି ଦେଶରେ ତୈଳ ଦର ଉପରେ ଶହେ ପ୍ରତିଶତ ଟ୍ୟାକ୍ସ ଲଗାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାର କେତେ ଟ୍ୟାକ୍ସ ନେଉଛନ୍ତି ସେ ନେଇ କିଛି ହିସାବ ଦେଉନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଲୋକଙ୍କୁ ସଚେତନ କରିବା ପାଇଁ ଏହି ଆନ୍ଦୋଳନ କରାଯାଉଥିବା କହିଛନ୍ତି ରଂଜୀବ ବିଶ୍ୱାଳ ।

ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି ଚକା ଜାମ୍ ଆନ୍ଦୋଳନର ପ୍ରଭାବ । ଗାଡି ମୋଟର ବନ୍ଦ ଯୋଗୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ବସ୍ ଗୁଡିକ ଅଟକି ରହିଥିବା ବେଳେ ଅନେକ ଯାତ୍ରୀ ମଧ୍ୟ ହଇରାଣ ହୋଇଛନ୍ତି । ବାଧ୍ୟ ହୋଇ ଅନେକ ଯାତ୍ରୀ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା । ତେବେ କଂଗ୍ରେସର ଚକା ଜାମ୍ ଯୋଗୁ ଆଜି ବସ ଷ୍ଟାଣ୍ଡରେ ଜନଗହଳି ଦେଖିବାକୁ ମିଳିନାହିଁ । ବନ୍ଦ ଶେଷ ପରେ ଗାଡି ଚାଲିଲେ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ ଯାତ୍ରୀମାନେ ଆଶା ବାନ୍ଧି ବସିଥିବା ଦେଖିବାକୁ ମିଳିଥିଲା ।

କଟକରେ ମଧ୍ୟ ଅନେକ ସ୍ଥାନରେ ଗାଡି ଚଳାଚଳ ପ୍ରଭାବିତ ହୋଇଛି । ବାଦାମବାଡି ବସ ଷ୍ଟାଣ୍ଡରେ ବସ ଗୁଡିକ ଅଟକି ରହିଥିବା ବେଳେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି । ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିବା ସହ ଲୋକଙ୍କୁ ଗାଡି ନ ଚଳାଇବାକୁ ନିବେଦନ କରିଥିଲେ କଂଗ୍ରେସ କର୍ମୀ । ଗୋଟିଏ ପଟେ କଂଗ୍ରେସ ଲୋକଙ୍କୁ ଗାଡି ଛାଡିବାକୁ ଅନୁରୋଧ କରିଥିବା ବେଳେ, ଅନ୍ୟପଟେ ଦଳୀୟ କର୍ମୀମାନେ ଜବରଦସ୍ତ ଗାଡି ଅଟକାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଫଳରେ ଅନେକ ଗାଡି ମୋଟର ଅଟକି ରହିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ବସ୍ ଅଟକି ଥିବାରୁ ବାହାର ରାଜ୍ୟରୁ ଆସିଥିବା ତୀର୍ଥ ଯାତ୍ରୀମାନେ ମଧ୍ୟ ହଇରାଣ ହେବା ସହ ଅସନ୍ତୋଷ ଜାହିର କରିଛନ୍ତି ।