ଛାତ୍ରଛାତ୍ରୀଙ୍କ କ୍ୟାରିଅର ସହ ସାଂଘାତିକ ଖେଳ ! ଆଡମିଟକାର୍ଡ ନମିଳିବାରୁ ତାତିଲେ ଛାତ୍ରଛୀତ୍ରୀ । ବୌଦ୍ଧରେ ଭଙ୍ଗାରୁଜା, ବରଗଡରେ ରାସ୍ତା ଅବରୋଧ କଲେ ଛାତ୍ରୀ

40

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ କ୍ୟାରିଅର ସହ ସାଂଘାତିକ ଖେଳ । ବର୍ଷତମାମ ପାଠପଢା ନାଁରେ ପିଲାଙ୍କ ଅର୍ଥ ହରିଲୁଟ ପରେ ପରୀକ୍ଷା ବେଳକୁ ସାମ୍ନାକୁ ଆସୁଛି ଶିକ୍ଷାନୁଷ୍ଠାନର ଅସଲ ଚରିତ୍ର । ଆଡମିଟକାର୍ଡ ନମିଳିବାରୁ ପରୀକ୍ଷାରୁ ବଂଚିତ ହେଉଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ ଆଜି ବୌଦ୍ଧରେ ଏକ ଘରୋଇ କଲେଜ ଛାତ୍ରଛାତ୍ରୀ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସେହିପରି କିଛିଦିନ ତଳେ ବରଗଡରେ ଏକ ମହିଳା ମହାବିଦ୍ୟାଳୟର ଛାତ୍ରୀ ରାସ୍ତା ଅବରୋଧ କରିଥିଲେ । ଏସବୁ ଶିକ୍ଷାନୁଷ୍ଠାନ ଉପରେ ସରକାର ଓ ଶିକ୍ଷା ବିଭାଗ, ସତର୍କ ଦୃଷ୍ଟି ନଦେଲେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି ।

ଯୁକ୍ତ ଦୁଇ ପରୀକ୍ଷା ଦେବାରୁ ବଂଚିତ ଛାତ୍ରଛାତ୍ରୀଙ୍କ ଲଙ୍କାକାଣ୍ଡ । ବୌଦ୍ଧ ଜିଲ୍ଲା ବାଉଁଶୁଣୀର ସଂସ୍କାର କଲେଜର ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ଛାତ୍ରଛାତ୍ରୀ । ଆଡମିଟ କାର୍ଡ ନମିଳିବାରୁ ପରୀକ୍ଷା ଦେବାରୁ ବଂଚିତ ହୋଇଥିଲେ ଘରୋଇ କଲେଜର ଛାତ୍ରଛାତ୍ରୀ । ଆଜି କଲେଜରେ ପହଂଚିଲା ବେଳକୁ ତାଲା ପଡିଥିବା ଦେଖି ଉତ୍ୟକ୍ତ ହୋଇପଡିଥିଲେ । କଲେଜ ଭିତରେ ପଶି ଚେୟାର ଟେବୁଲ, ଫ୍ୟାନ ଓ ଅନ୍ୟାନ୍ୟ ଆସବାବପତ୍ର ସବୁ ଭଙ୍ଗାରୁଜା କରିଥିଲେ । ସେମାନଙ୍କ କ୍ୟାରିଅର ସହ ଖେଳ ଖେଳିଥିବାରୁ କଲେଜ ପ୍ରିନ୍ସିପାଲଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ସେପଟେ ଥାନାରେ ମାମଲା ପରେ କଲେଜ କର୍ତୃପକ୍ଷ ଫେରାର ହୋଇଯାଇଥିବା ଜଣାପଡିଛି ।

ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭରୁ ସମାନ ଅଭିଯୋଗ ଆସିଥିଲା ବରଗଡ ଜିଲ୍ଲାରୁ । ସୋହେଲା ଥାନା ହଳଦୀପାଲିରେ ଥିବା ଘରୋଇ ମହିଳା ମହାବିଦ୍ୟାଳୟର ୧୦୨ ଛାତ୍ରୀଙ୍କ ଆଡମିଟ କାର୍ଡ ନ ଆସିବାରୁ ପରୀକ୍ଷାଦେବାରୁ ବଂଚିତ ହୋଇଛନ୍ତି । ଘରୋଇ ମାଲିକାନାରେ ଚାଲିଥିବା ଏହି କଲେଜ ଛାତ୍ରୀଙ୍କଠାରୁ ପରୀକ୍ଷା ପିସ ବାବଦ ଅଢେଇ ହଜାର ଟଙ୍କା ଲେଖାଏଁ ଆଦାୟ କରିଥିବାବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ଦାଖଲ କରିନଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଛାତ୍ରୀମାନେ ରାସ୍ତା ଅବରୋଧ କରିବା ସହ କେଲଜ ଅଧ୍ୟକ୍ଷ ଓ ପରିଚାଳନା କମିଟି ନାଁରେ ଥାନାରେ ଏତଲା ଦେଇଛନ୍ତି ।

ସାରା ରାଜ୍ୟରେ ଛତୁ ଫୁଟିଲା ଭଳି ଖୋଲୁଛି କଲେଜ । ବର୍ଷତମାମ ପାଠପଢା ନାଁରେ ଚାଲୁଛି ଅର୍ଥହରି ଲୁଟ୍ । ଆଉ ପରୀକ୍ଷା ସମୟ ବେଳକୁ ଜଣାପଡୁଛି ଏହିସବୁ ଶିକ୍ଷାନୁଷ୍ଠାନର ଅସଲ ଚରିତ୍ର । ସେତେବେଳେକୁ ବରବାଦ ହେଇସାରୁଛି ଛାତ୍ରଛାତ୍ରୀଙ୍କ ଗୋଟିଏ ବର୍ଷ ।