ସ୍କୁଲ ପିଲାକୁ ଝୁଣି ମାରିଦେଲେ କୁକୁର ପଲ ! ବିଲ ମଝିରେ ୭ ବର୍ଷ ଶିଶୁର ଚାଲିଗଲା ଜୀବନ

ସ୍କୁଲ ପିଲାକୁ ଝୁଣି ମାରିଦେଲେ କୁକୁର ପଲ

383

କନକ ବ୍ୟୁରୋ : ଆଉ ଅଳ୍ପ ଦୂର ଯାଇଥିଲେ ସ୍କୁଲରେ ପହଞ୍ଚିଥା’ନ୍ତା ସେ। ପୁଣି ପାଠ ପଢ଼ି ଘରକୁ ଫେରିଥା’ନ୍ତା। ଘରେ ବାପାମା’ ପୁଅର ଫେରନ୍ତା ବାଟକୁ ଚାହିଁ ରହିଥିଲେ। କିନ୍ତୁ ଭାଗ୍ୟର ବିଡ଼ମ୍ବନା। ପୁଅ ଫେରିଲା ନାହିଁ। ଅଜଣା ବନ୍ୟଜନ୍ତୁ ଆକ୍ରମଣରେ ପୁଅର ପ୍ରାଣ ଚାଲିଗଲା। ମୃତ ଶିଶୁ ଜଣକ ହେଉଛି ଗାଁର ଶର୍ମା ମହାରଣାଙ୍କ ପୁଅ ରିଙ୍କୁ(୭)। ଏପରି ଅଘଟଣ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ମହାର୍ଦ୍ଦାପଳସା ପଞ୍ଚାୟତର ବାଲିସୁଦୁରା ଗାଁରେ ଘଟିଛି। ଏପରି ହୃଦୟ ବିଦାରକ ଘଟଣା ସମଗ୍ର ଯଶୀପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ଅନୁସାରେ, ସବୁଦିନ ପରି ସକାଳ ବେଳେ ରିଙ୍କୁ ନିକଟସ୍ଥ ରାହାନ୍ଦା ପ୍ରାଥମିକ ବିଦ୍ୟାଳୟକୁ ବାହାରିଥିଲା। ଘରଠାରୁ କିଛି ଦୂର ଅତିକ୍ରମ କରି ବିଲ ମଝିରେ ସେ ଯାଉଥିଲା। ଏତିକିବେଳେ କୌଣସି ବନ୍ୟଜନ୍ତୁ ଜଙ୍ଗଲରୁ ବାହାରି ତାକୁ ଆକ୍ରମଣ କରିଥିଲା। ପ୍ରାୟ ୪ ଶହ ମିଟର ଘୋଷାଡ଼ି ନେଇ ଶରୀର ସାରା କ୍ଷତବିକ୍ଷତ କରି ଦେଇଥିଲା। ଫଳରେ ଘଟଣାସ୍ଥଳରେ ରିଙ୍କୁର ମୃତ୍ୟୁ ଘଟିଥିଲା।

ତେବେ ଅନ୍ୟ କେତେକ ସ୍ଥାନୀୟ ଲୋକ କହୁଛନ୍ତି ଯେ ବୁଲା କୁକୁରଙ୍କ ଆକ୍ରମଣରେ ପିଲାର ମୃତ୍ୟୁ ଘଟିଛି। ପିଲାଟି ଏକୁଟିଆ ସ୍କୁଲ ଯାଉଥିବା ବେଳେ କେତେକ ବୁଲା କୁକୁର ତାକୁ ଗୋଡ଼ାଇବାରୁ ସେ ତଳେ ପଡ଼ିଯାଇଥିଲା। କୁକୁରଗୁଡ଼ିକ ତାକୁ କାମୁଡ଼ି ପକାଇଥିଲେ। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଖବର ପାଇ ଯଶୀପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହାକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଥିବା ବେଳେ ସରପଞ୍ଚ ରମାକାନ୍ତ ନାଏକ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର, ରେଡକ୍ରସ୍ ପାଣ୍ଠିରୁ ଉପଜିଲ୍ଲାପାଳ ଶରତ ଚନ୍ଦ୍ର ପୁରୋହିତ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି।