ସାର୍ଟିଫିକେଟ୍ ପାଇଁ ପାଣିକୁ ଡେଇଁଲେ ଛାତ୍ର ! ନଈ ସ୍ରୋତରେ ନିଖୋଜ ହୋଇଗଲେ ପୁରୀର ରତ୍ନାକର

36

କନକ ବ୍ୟୁରୋ : ସାଟିଫିକେଟ୍ ପାଇଁ ନଦୀକୁ ଡେଇଁପଡିଲେ ଛାତ୍ର । ଏକାଡେମିକ ସାର୍ଟିଫିକେଟ୍ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇପଡିଲା ଯେ, ଜୀବନକୁ ବାଜି ଲଗାଇ ଉଛୁଳା ନଦୀକୁ ଡେଇଁ ପଡିଲେ ଛାତ୍ରଜଣକ । ପୁରୀ ବାସେଳି ସାହିର ଛାତ୍ର ରତ୍ନାକର ସାହୁ ଗୋପ କଲେଜରେ ଯୁକ୍ତ ୩ ଆଡମିସନ୍ ସାରି ବାଇକରେ ଫେରୁଥିଲେ । ପୁରୀ କୋଣାର୍କ ରାସ୍ତାରେ ନୂଆନଇ ନିକଟରେ ତାଙ୍କ ସାର୍ଟିଫିକେଟ ନଦୀ ଭିତରକୁ ଉଡିଯାଇଥିଲା । ଫଳରେ ରତ୍ନାକାର ନିରୁପାୟ ହୋଇ ନିଜ ସାର୍ଟିଫିକେଟକୁ ଉଦ୍ଧାର କରିବା ଲାଗି ନଦୀ ଭିତରକୁ ଡେଇଁ ପଡିଥିଲେ ।

ସାଙ୍ଗରେ ଥିବା ତାଙ୍କ ବନ୍ଧୁ ଓ ନଦୀରେ ଗାଧୋଉଥିବା ଲୋକଙ୍କ ବାରଣକୁ ବି ଖାତିର କରିନଥିଲେ । ଆଉ ପରିଣାମ ହେଲା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ରତ୍ନାକର । ଖବର ପାଇ ପରିବାର ଲୋକ, ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ପହଂଚିଥିଲେ ମଧ୍ୟ ତାଙ୍କର ପତା ମିଳିନାହିଁ । ବନ୍ୟାଜଳ ସାଙ୍ଗକୁ ୩୦ ଫୁଟ ଗଭୀର ନଦୀରେ ରତ୍ନାକରଙ୍କୁ ଖୋଜି ବାହାର କରିବା ଉଦ୍ଧାରକାରୀ ଦଳ ପାଇଁ ସମସ୍ୟା ହୋଇଛି । ଏପଟେ ପୋଲିସ ତାଙ୍କ ବନ୍ଧୁଙ୍କୁ ଅଟକ ରଖି ପଚରାଉଚର କରୁଥିବା ଜଣାପଡିଛି ।