ନଈ ଏପଟେ ଗାଁ ସେପଟେ ସ୍କୁଲ । ପାଠପଢା ପାଇଁ ବିପଦପୂର୍ଣ୍ଣ ଜଳଯାତ୍ରା, ପୋଲ ନିର୍ମାଣ ପାଇଁ ଗୁହାରି କଲେ ବି ଶୁଣୁନି ପ୍ରଶାସନ ।

454

କନକ ବ୍ୟୁରୋ : ପାଠପଢା ପାଇଁ ବିପଦପୂର୍ଣ୍ଣ ଜଳଯାତ୍ରା । ଭବିଷ୍ୟତ ଗଢିବା ପାଇଁ ତେଲକୋଇରେ ହୁଲି ଡଙ୍ଗାରେ ସମକୋଇ ନଦୀ ପାରି ହେଉଛନ୍ତି ଛାତ୍ର । ଯେଉଁ ଦୃଶ୍ୟକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ । ଭରା ନଈରେ ଛାତ୍ର ପାରି ହେଉଥିବା ବେଳେ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି କଲେ ବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି ।

ଭରା ନଈରେ ବିପଦପୂର୍ଣ୍ଣ ଶିକ୍ଷାଯାତ୍ରା । ନଈ ଏପଟେ ଗାଁ ସେପଟେ ସ୍କୁଲ । ଉଛୁଳା ନଈରେ ପାରି ହେବା ପାଇଁ ଡଙ୍ଗାର ଯାତ୍ରୀ ଛାତ୍ର, ନାଉରୀ ବି ଛାତ୍ର । ଏହି ଲୋମ ଟାଙ୍କୁରା ଦୃଶ୍ୟ ହେଉଛି, କେନ୍ଦୁଝର ତେଲକୋଇ ବ୍ଲକ ସମକୋଇ ନଦୀର । କରଦାଙ୍ଗି ପଂଚାୟତ ଦେଇ ବହି ଯାଇଥିବା ଏହି ନଦୀରେ ଏମିତି ସବୁ ଦିନ ପାଣି ପାରି ହୋଇଥାନ୍ତା ୧୦ ଜଣ ଛାତ୍ର । ନଈ ଏପଟେ ଗାଁ ଥିବା ବେଳେ ସେପଟେ ରହିଛି କରଦାଙ୍ଗି ହାଇସ୍କୁଲ । ତେଣୁ ପାଠପଢିବାକୁ ହେଲେ ନଈ ପାରିହେବାକୁ ପଡିବ, ଏଥିପାଇଁ ନଈରେ ରହିଛି ଏକ ସରୁ ହୁଲି ଡଙ୍ଗା ।

ବର୍ଷେ କି ଦୁଇ ବର୍ଷ ନୁହେଁ ବର୍ଷ ବର୍ଷ ଧରି ଏମିତି ନଈ ପାରି ହୋଇଥାନ୍ତି ଛାତ୍ରଛାତ୍ରୀ ଏବଂ ସପଲାଂଜି ଗାଁର ଲୋକମାନେ । ନଦୀ ଉପରେ ପୋଲଟିଏ ନିର୍ମାଣ ପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଯାଏଁ ସମସ୍ତଙ୍କୁ ଗୁହାରି କରି ବାରମ୍ବାର ନିରାଶ ହେବାକୁ ପଡିଥିବା କହୁନ୍ତି ଗ୍ରାମବାସୀ । ସେପଟେ ଏହି ସମସ୍ୟା ସମାଧାନ ପାଇଁ ଆଲୋଚନା ଚାଲିଥିବା କହିଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବୈଷୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ସେପଟେ ଭବିଷ୍ୟତ ଗଢିବା ଆଶାରେ ଛାତ୍ରଛାତ୍ରୀ ଉଛୁଳା ନଈ ପାରିହେବା ଘଟଣା ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଠିଆ କରିଛି ।