ନଈ ପାରି ହେଲେ ପାଠ ପଢିବି ! ଆମରି ନାଆରେ ଆମେ ନାଉରି, ମାଛଧରା ଡଙ୍ଗାରେ କୁନିକୁନି ପିଲାଙ୍କ ନୌକା ଯାତ୍ରା

44

କନକ ବ୍ୟୁରୋ : କୁନିକୁନି ପିଲାଙ୍କ ନୌକା ଯାତ୍ରା । ନୌକାରେ ଯାତ୍ରୀ ହିଁ ନାଉରିଆ । ପ୍ରତିଦିନ ସ୍କୁଲ ଯିବା ପାଇଁ କୁନି କୁନି ଛାତ୍ରଛାତ୍ରୀ ନିଜେ ଡଙ୍ଗା ଚଲାଇ ନଦୀ ପାର ହୋଇ ସ୍କୁଲଯାଇଥାନ୍ତି । ପାଲଲହଡା ଜୟପୁର ଗାଁର ଛାତ୍ରଛାତ୍ରୀମାନେ ବର୍ଷିକ ବାରମାସ ଯୌତୁକ ନଦୀ ପାର ହୋଇ ସ୍କୁଲ ଯାଇ ପାଠପଢନ୍ତି । ଜୀବନକୁ ପାଣି ଛଡାଇ ଦଦରା ଡଙ୍ଗାରେ ଫଫଣ୍ଡ ନୋଡାଲ ସ୍କୁଲକୁ ଯାଆନ୍ତି । ରେଙ୍ଗାଳି ଜଳ ଭଣ୍ଡାରର ପଛୁଆ ପାଣିରେ ସବୁ ବେଳେ ଭରି ରହୁଥିବା ଯୌତୁକ ନଈ ପାରି ହୋଇ ଫପଣ୍ଡ ସ୍କୁଲକୁ ପାଠପଢିବାକୁ ଯାଇଥାନ୍ତି ଜୟପୁରର ୩୮ ଜଣ ଛାତ୍ରୀ ।

ଗାଁରୁ ୧ କିଲୋମିଟର ରାସ୍ତା ଚାଲି ନଈ ପାଖରେ ପହଂଚିବା ପରେ ଡଙ୍ଗାରେ ନିଜେ ଆହୁଲା କରି ନଦୀ ପାର ହୋଇଥାନ୍ତି । ଏହାପରେ ପୁଣି ଗୋଟିଏ କିଲୋମିଟରର ମାଟି ରାସ୍ତା ଚାଲିବା ପରେ ସ୍କୁଲରେ ପହଂଚିଥାନ୍ତି ଛାତ୍ରଛାତ୍ରୀ । ଏହି ସମୟରେ ବେଳେବେଳେ ଛାତ୍ରଛାତ୍ରୀଙ୍କୁ ଦୁର୍ଘଟଣାର ସାମ୍ନା କରିବାକୁ ପଡୁଥିବା ସ୍କୁଲର ପ୍ରଧାନ ଶିକ୍ଷକ କହିଛନ୍ତି । ଗତ ଫେବୁଆରୀ ୧୨ ତାରିଖରେ ୧୫ ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ସ୍କୁଲ ଯାଉଥିବା ବେଳେ ଡଙ୍ଗାରେ ପାଣି ପଶିଯାଇଥିଲ।। ଡଙ୍ଗାଟି ନଦୀ ମଝିରେ ଓଲଟିପଡିଥିଲା । ନଦୀ ଘାଟରେ କାମ କରୁଥିବା ଦୁଇ ଜଣ ଲୋକ ଯାଇ ଛାତ୍ରଛାତ୍ରୀଙ୍କ ଉଦ୍ଧାର କରିଥିଲେ । ନହେଲେ ହୁଏତ କାହାର ଜୀବନ ଚାଲିଯାଇଥାନ୍ତା । ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଥିବା ବେଳେ କେବେ ଏହାର ସମାଧାନ ହେବ ତାହା ଦେଖିବା ବାକି ରହିଲା । ତେବେ ଖୁବ ଶୀଘ୍ର ପୋଲ କାମ ଆରମ୍ଭ ହେବ ବୋଲି ପାଲଲହଡା ଗ୍ରାମ୍ୟ ନିର୍ମାଣ ବିଭାଗର ସହାକରୀ ଯନ୍ତ୍ରୀ କହିଛନ୍ତି ।