ପାଠପଢା ପାଇଁ ଜିଲ୍ଲା ପାରି । ବହି ବସ୍ତାନୀକୁ ମୁଣ୍ଡେଇ ଗାମୁଛା ପିନ୍ଧି ନଈ ପାରି ହେଲେ ମିଳିବ ଶିକ୍ଷା ।

ଅନୁଗୁଳ ପାଲଲହଡାରେ ଗାଁ, କେନ୍ଦୁଝର ତେଲକୋଇରେ ସ୍କୁଲ

54

କନକ ବ୍ୟୁରୋ: ନଈ ପାରି ହୋଇ ଜଙ୍ଗଲୀ ରାସ୍ତା ଚାଲିଲେ ମିଳୁଛି ଶିକ୍ଷା । ପାଠ ପଢିବା ପାଇଁ କୁନି କୁନି ପିଲା ପ୍ରତିଦିନ ପାଦରେ ଚାଲି ଚାଲି ଜିଲ୍ଲା ପାରି ହେଉଛନ୍ତି । ଅନୁଗୁଳ ଜିଲ୍ଲାରେ ଘର ହୋଇଥିବା ବେଳେ ନଦୀ-ନାଳ ଓ ଜଙ୍ଗଲ ପାରି ହୋଇ ପାଠ ପଢିବା ପାଇଁ କେନ୍ଦୁଝର ଜିଲ୍ଲାର ସ୍କୁଲକୁ ଯିବାକୁ ପଡୁଛି ।

ପାଠ ପଢା ପାଇଁ ଜିଲ୍ଲା ପାରି । ବହି ବସ୍ତାନୀକୁ ମୁଣ୍ଡେଇ ଗାମୁଛା ପିନ୍ଧି ନଇ ପାରି ହେଲେ ମିଳିବ ଶିକ୍ଷା । କେବଳ ନଈ ପାରି ହେଲେ ସ୍କୁଲରେ ପହଂଚି ଯିବେ, ତାହା ନୁହେଁ, ସ୍କୁଲରେ ପହଂଚିବା ପାଇଁ ଆହୁରି ୨ କିଲୋମିଟର ଜଙ୍ଗଲୀ ରାସ୍ତା ଚାଲିବାକୁ ପଡୁଛି । ଏମିତି ଖରା-ବର୍ଷା-ଶୀତ ସବୁ ଦିନ ସ୍କୁଲ ଯିବା ଆସିବା କରୁଛନ୍ତି ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ସାପଝରା, ବିରଳାମୁଣ୍ଡା, ଜାମ୍ବୁଆ, ରାଇପାଳ ଓ ଅନ୍ଧାରୀ ସାହିର ୩୦ରୁ ଅଧିକ ଛାତ୍ରଛାତ୍ରୀ ।

ପାଲଲହଡା ବ୍ଲକର ଆଲୁରୀ ଓ ଝାରବେଡା ପଂଚାୟତର ୧୫ କିଲୋମିଟର ଦୂରରେ କୌଣସି ହାଇସ୍କୁଲ ନାହିଁ । ତେଣୁ ଏହି ଦୁଇଟି ପଂଚାୟତ ଛାତ୍ରଛାତ୍ରୀ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ସରେଇ ହାଇସ୍କୁଲକୁ ପାଠ ପଢିବା ପାଇଁ ଯାଇଛନ୍ତି । ତେବେ ଗାଁ ଓ ସ୍କୁଲ ମଝିରେ ରହିଛି ସମାକୋଇ ନଦୀ ଓ ଜଙ୍ଗଲୀ ରାସ୍ତା । ଯାହାକୁ ଅତିକ୍ରମ କରି ପ୍ରତିଦିନ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ଯାଉଛନ୍ତି । ସେପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ସାପଝରା ଘାଟରେ ପୋଲର ଆବଶ୍ୟକତା ଥିବା କହୁଥିବା ବେଳେ ଜଙ୍ଗଲୀ ରାସ୍ତାରେ ପିଲାଙ୍କ ସୁବିଧା ପାଇଁ ବ୍ୟବସ୍ଥା କରାଯିବ ବୋଲି ପାଲଲହଡା ବିଡିଓ । ତେବେ ଶିକ୍ଷାକୁ ଗୁରୁତ୍ୱ ଦେଉଥିବା ସରକାର ପାଲଲହଡାର ଏହି ଛାତ୍ରଛାତ୍ରୀଙ୍କ ସମସ୍ୟା ବାବଦରେ ପଦକ୍ଷେପ ନେବା ଜରୁରୀ ।