ଦିଲ୍ଲୀରେ ଆଉ ଏକ ପ୍ରଦ୍ୟୁମ କାଣ୍ଡ । ସନ୍ଦେହ ଘେରରେ ଖଜୁରୀଖାସ ସ୍କୁଲର ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ବାଥରୁମରୁ ମିଳିଲା ମୃତଦେହ

32

କନକ ବ୍ୟୁରୋ : ଦିଲ୍ଲୀରେ ଆଉ ଏକ ପ୍ରଦ୍ୟୁମର ହତ୍ୟାକାଣ୍ଡ । ଦିଲ୍ଲୀ ଖଜୁରୀଖାସ ଅଂଚଳରେ ଥିବା ଜୀବନ ଜ୍ୟୋତି ନାମକ ଏକ ଘରୋଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ସ୍କୁଲର ବାଥରୁମରୁ ଛାତ୍ର ଜଣକୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତାଙ୍କୁ ଡାକ୍ତରଖାନାକୁ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଛାତ୍ରର ଅସୁସ୍ଥତା ନେଇ ସ୍କୁଲ କର୍ତୃପକ୍ଷ ତାଙ୍କ ପରିବାରକୁ କୌଣସି ସଠିକ ସୂଚନା ଦେଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଛାତ୍ର ଜଣକୁ ବିଳମ୍ବରେ ଡାକ୍ତରଖାନା ନିଆଯାଇଥିବା ଯୋଗୁଁ ତାର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍କୁଲ ଫାଟକ ନିକଟରେ ଅଭିଭାବକମାନେ ହୋହାଲ୍ଲା କରିଛନ୍ତି ।

ଛାତ୍ର ଜଣକ ଅଚେତ ଥିବା ନେଇ ସ୍କୁଲ କର୍ତୃପକ୍ଷ ଖବର ଦେବା ପରେ ପରିବାର ଲୋକେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ତେବେ ସେମାନେ ଚିକିତ୍ସା କରିବା ପାଇଁ ମନା କରିବା ପରେ ଛାତ୍ର ଜଣକୁ ଆଉ ଏକ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ବୋଲି ଛାତ୍ରଙ୍କ ପରିବାର ପକ୍ଷରୁ କୁହାଯାଇଛି ।