ଯୁକ୍ତ ଦୁଇରେ ଫେଲ ହେବାରୁ ଆତ୍ମହତ୍ୟା କରିଦେଲେ ନବରଙ୍ଗପୁରର ଅର୍ଜୁନ୍ ସାନ୍ତା ! ଭଲ ନମ୍ବର ଆଶା ରଖିଥିଲେ, ହେଲେ ପରୀକ୍ଷା ଫଳ ତାଲିକାରେ ପାଇଲେ ନାହିଁ ନାଁ

35

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷାରେ ଫେଲ ହେବାରୁ ଜୀବନ ହାରିଦେଲେ ଛାତ୍ର । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଗାଇଧଡି ଗାଁରେ ଘଟିଛି ଏପରି ଦୁଃଖଦ ଘଟଣା । ଭଲ ନମ୍ବରର ଆଶା ରଖିଥିଲେ ହେଲେ ପରୀକ୍ଷା ଫଳ ଖରାପ ହେବାରୁ ଆତ୍ମହତ୍ୟା କରିଦେଇଥିବା କହିଛନ୍ତି ପରିବାର ଲୋକ । ପରୀକ୍ଷା ଓ ପରିଣାମର ଦୋଛକିରେ ଛନ୍ଦି ହୋଇଥିବା ଜଣେ ଛାତ୍ର ଏମିତି ଏକ ବାଟ ବାଛି ନେଇଛି, ଯେଉଁଠୁ ଫେରି ଆସିବା ଆଉ ସଂଭବ ନୁହେଁ । ଯୁକ୍ତ ଦୁଇ ପରୀକ୍ଷାରେ ଫେଲ ହୋଇଯିବା କାରଣରୁ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି  ନବରଙ୍ଗପୁରର ଜଣେ ଛାତ୍ର ।

ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ ନବରଙ୍ଗପୁର ଜିଲ୍ଲା ଗାଇଧଡି ଗାଁର ଅର୍ଜୁନ୍ ସାନ୍ତା । ଭଲ ନମ୍ବର ରଖି ପାସ୍ ହେବାର ଆଶା ରଖିଥିବା ଅର୍ଜୁନ୍ ଯେତେବେଳେ ରେଜଲ୍ଟ ଦେଖିଲେ, ସେଥିରେ ତାଙ୍କର ନାଁ ନଥିଲା । ଯାହାକୁ ନେଇ ବେଶ ଚାପରେ ଥିଲେ । ଅର୍ଜୁନର ଏଭଳି ସ୍ଥିତି ଦେଖି ପରିବାର ଲୋକଙ୍କ ତାକୁ କିଛି କହିନଥିଲେ । ହେଲେ ରବିବାର ରାତିରେ ଘର ଖାଇ ଘରୁ ବାହାରି ଯାଇଥିବା ଅର୍ଜୁନ୍ ଫେରିନଥିଲେ ।ଗାଁ ନିକଟରେ ଥିବା ଏକ ମହୁଲ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲେ ଅର୍ଜୁନ୍ । ହେଲେ ସେତେବେଳେକୁ ଆଉ କିଛି ନଥିଲା । ପରୀକ୍ଷାରେ ଫେଲ ଯୋଗୁଁ ଜଣେ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।