ହାଇକୋର୍ଟ ସ୍ଥାୟୀ ବେଂଚ ନେଇ ବଲାଙ୍ଗୀର ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ : ଜିଲ୍ଲାଦୌରା ଜଜଙ୍କୁ କୋର୍ଟରେ ପୁରାଇଦେଲେନି ଆଇନଜୀବୀ

କୋର୍ଟ ଆଗରେ ଧାରଣା  ସହ ପିକେଟିଂ

64

କନକ ବ୍ୟୁରୋ : ବଲାଙ୍ଗୀରରେ ଜିଲ୍ଲା ଦୌରାଜଜଙ୍କୁ କୋର୍ଟରେ ପୁରାଇ ଦେଲେନି ଆଇନଜୀବି । କୋର୍ଟରେ ଯୋଗ ଦେବା ପାଇଁ ଦୌରାଜଜ୍ ଆସିଥିବାବେଳେ ତାଙ୍କ ଗାଡିକୁ ଅଟକାଇଥିଲେ ଆନ୍ଦୋଳନ ରତ ଆଇନଜୀବି । ତାପରେ ସେ ଫେରିଯାଇଥିବା ଜଣାପଡିଛି । ହାଇକୋର୍ଟ ସ୍ଥାୟୀ ବେଂଚ ଦାବିରେ ଗତକାଲି ୨୪ଘଂଟିଆ ବନ୍ଦ୍ ପରେ ଆଜିଠାରୁ ୧୦ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗୀର ଓକିଲ ସଂଘ ।

ଆଜିଠୁ ଜିଲ୍ଳାପାଳ, କୋର୍ଟ, କଚେରୀ କାର୍ଯ୍ୟ ବନ୍ଦ ରଖିବାକୁ ଘୋଷଣା କରିଛି ସଂଘ । କୋର୍ଟ ଆଗରେ ଧାରଣା ଦେବା ସହ ପିକେଟିଂ କରୁଛନ୍ତି ଆଇନଜୀବି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ କରି ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଗତକାଲି ବଲାଙ୍ଗୀରରେ ହାଇକୋର୍ଟର ବେଞ୍ଚ ଦାବିରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ସକାଳୁ ଶତାଧିକ କର୍ମକର୍ତ୍ତା ସହର ପରିକ୍ରମା କରି ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଥିଲେ। ଦୋକାନ ବଜାର ବନ୍ଦ ରହିଥିଲା । ଗାଡି ଚଳାଚଳ ବି ବନ୍ଦ ଥିଲା। କଚେରୀ ଛକରେ ଅନୁଷ୍ଠିତ ହୋଇଥିଲା ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବିରେ ସର୍ବଦଳୀୟ ସଭା।