ମାଛକୁଣ୍ଡ ଅଂଚଳରେ ବିକାଶ ପହଁଚୁ ନଥିବା ଅଭିଯୋଗ : ଦାବି ପୂରଣ ନକଲେ ଆନ୍ଧ୍ରରେ ମିଶିବାକୁ ଦିଅ ବୋଲି ଦାବି କଲେ ସ୍ଥାନୀୟ ଯୁବକ

64

କନକ ବ୍ୟୁରୋ : ଆମର ଦାବି ପୂରଣ କର ନଚେତ ଆନ୍ଧ୍ରରେ ମିଶିବାକୁ ଦିଅ । ଏଭଳି ନାରା ଦେଇ ଦୀର୍ଘ ୩୩ ଦିନ ହେବ ଧାରଣାରେ ବସିବା ପରେ ୬ଦିନ ହେବ ୫ଦଫା ଦାବିରେ ମାଛକୁଣ୍ଡ ଡ୍ୟାମ କାର୍ଯ୍ୟାଳୟ ଗେଟ୍ ସାମନାରେ ଅନଶନ ଚଳାଇଛନ୍ତି ସ୍ଥାନୀୟ ଯୁବକ । ମାଛକୁଣ୍ଡ ଡ୍ୟାମର ପରିପାଶ୍ୱର୍ରେ ରହିଥିବା ଗ୍ରାମଗୁଡିକର ଶୁଦ୍ଧ ପିଇବା ପାଣି, କଲ୍ୟାଣ ମଣ୍ଡପ ନିର୍ମାଣ, ବେକାର ଯୁବକଙ୍କୁ ନିଯୁକ୍ତି, ବିକାଶ ପାଂଠି ଖର୍ଚ୍ଚର ହିସାବ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମ ଗୃହ ଆଦି ନିର୍ମାଣ ଦାବିରେ ଅନଶନ ଚଳାଇଛନ୍ତି ସ୍ଥାନୀୟ ଯୁବକ । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଆନ୍ଧ୍ର-ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଳାରେ ରହିଛି ମାଛକୁଣ୍ଡ ଡ୍ୟାମ । ଏହି ଡ଼୍ୟାମ ଆନ୍ଧ୍ରର ୭୦ ଭାଗ ରହିଥିବା ବେଳେ ଓଡ଼ିଶାର ୩୦ ଭାଗ ରୁପେ ଚୁକ୍ତି ହୋଇଥିବା ଜଣାପଡ଼ିଛି । ଏହି ଅନୁପାତରେ ଆନ୍ଧ୍ର ଏଠାରୁ ବିଦ୍ୟୁତ ନେବା ସହ ଡ଼୍ୟାମର ପାରିପାର୍ଶ୍ୱରେ ରହିଥିବା ଗ୍ରାମ ଗୁଡ଼ିକର ବିକାଶ କରିବ ବୋଲି ଚୁକ୍ତି ହୋଇଥିଲା । କିନ୍ତୁ ଆନ୍ଧ୍ର ପ୍ରଶାସନ ଚୁକ୍ତିକୁ ବେଖାତିର କରି କୌଣସି ବିକାଶ କାର୍ଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଯାହାଦ୍ୱାରା ସୀମାନ୍ତରେ ରହିଥିବା ଏହି ଗ୍ରାମ ଗୁଡ଼ିକ ବିକାଶ ଅପହଂଚ ହୋଇଛି ।

ବେକାରିଙ୍କ ସଂଖ୍ୟା ବଡ଼ୁଛି ଓ ଆନ୍ଧ୍ର ପିଲାଙ୍କୁ ଏଠାରେ ନିଯୁକ୍ତି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି । ତେବେ ଆନ୍ଧ୍ର ପ୍ରଶାସନ ତରଫରୁ କୁହାଯାଇଛି ଓଡ଼ିଶା ଅଧିକାରୀଙ୍କୁ ଚିଠି ଦେଇଥିବା ବେଳେ କୋରାପୁଟ ଜିଲ୍ଳାର ବିଦ୍ୟୁତ ବିଭାଗ ଅଧିକାରୀ କି ଜିଲ୍ଳା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି । ତେଣୁ ଓଡିଶା ସରକାରଙ୍କ ଉଦାସୀନତାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।