କୋର୍ଟରେ କୁକୁର କାମୁଡା ମାମଲା ! ପ୍ରାଣ ହରାଇଥିବା ଶିଶୁର ପରିବାରକୁ ଦିଆଯାଉ ୧୦ ଲକ୍ଷ ଟଙ୍କା

54

କନକ ବ୍ୟୁରୋ : ଦିନକୁ ଦିନ ହିଂସ୍ର ପାଲଟୁଛନ୍ତି ବୁଲା କୁକୁର । ପୁରୀରେ ୪ ବର୍ଷର ଶିଶୁ ପ୍ରାଣ ହରାଇବା ପରେ ଏବେ କୋର୍ଟରେ ପହଂଚିଛି ମାମଲା । ମୃତ ଶିଶୁର ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟରେ ଦାୟର୍ ହୋଇଛି ଜନସ୍ୱାର୍ଥ ମାମଲା ।

ଆବେଦନକାରୀ ଅନୁରୋଧ କରିଛନ୍ତି ବୁଲା କୁକୁରଙ୍କ ସଂଖ୍ୟାକୁ କମାଇବାକୁ ସରକାର ପଦକ୍ଷେପ ନିଅନ୍ତୁ । କେବଳ ସେତିକି ନୁହେଁ ଏହି ମାମଲାରେ ପୁରୀ ମ୍ୟୁନିସିପାଲିଟି, ଏସପି, ନଗର ଉନ୍ନୟନ ସଚିବ ଓ ରାଜସ୍ୱ ସଚିବଙ୍କୁ ପକ୍ଷଭୁକ୍ତ କରିଛନ୍ତି ।

ଦୁଇଦିନ ତଳେ ପୁରୀରେ ଘଟିଥିବା ଏହି ସମ୍ବେଦନଶୀଳ ଘଟଣା ଏବେ ବି ଚର୍ଚ୍ଚାରେ । ଚାରି ଚାରିଟି ହିଂସ୍ର କୁକୁର ଅଚାନକ୍ ୪ ବର୍ଷର ଶିଶୁଟିକୁ ବେଡି ଯାଇଥିଲେ । କିଏ କାମୁଡି ଥିଲା ତ କିଏ ଝୁଣି ନେଇଥିଲା ପୁଳା ପୁଳା ମାଂସ । ଅଧଘଂଟା ଧରି ଆତଙ୍କ ଚଳାଇଥିଲେ ବୁଲା କୁକୁର । ଆଉ ସେଇଠି ପ୍ରାଣ ହରାଇଥିଲା ଶିଶୁଟି ।

ସେହିପରି ଆଜି ଅନୁଗୁଳରେ ଏକ ୫ ବର୍ଷର ଶିଶୁକନ୍ୟା କୁକୁର କାମୁଡାରେ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । କେବଳ ପୁରୀ କିମ୍ବା ଅନୁଗୁଳ ନୁହେଁ ଦେଶର ବିଭିନ୍ନ ଛୋଟବଡ ସହରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢି ଚାଲିଛି । ଏନେଇ ପୂର୍ବରୁ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଛି । ହେଲେ ଲାଭ କିଛି ହୋଇନି ।