ନୀତିଶଙ୍କ ପାଇଁ ଅଗ୍ନି ପରୀକ୍ଷା !

33

କନକ ବ୍ୟୁରୋ : ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିରୋଧରେ ୟୁପିଏ ବିହାରର ଦଳିତ ନେତ୍ରୀ ତଥା ପୂର୍ବ ଲୋକସଭା ବାଚସ୍ପତି ମୀରା କୁମାରଙ୍କୁ ପ୍ରାର୍ଥୀ କରି ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅସଲ ଟାର୍ଗେଟ୍‌ କରିଥିବା କୁହାଯାଉଛି । ଏନଡିଏର ଦଳିତ ପ୍ରାର୍ଥୀଙ୍କ ବିରୋଧରେ ଆଉ ଜଣେ ଦଳିତ ପ୍ରାର୍ଥୀଙ୍କୁ ଛିଡ଼ା କରାଇ ବିରୋଧୀ ମେଣ୍ଟ ନୀତିଶଙ୍କ ପାଇଁ ଯେଉଁ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି ତାହା ବିହାର ରାଜନୀତିକୁ ସରଗରମ କରିଦେଇଛି ।

ବିହାରୀ ଝିଅଙ୍କୁ ବିରୋଧ କରିବା ନୀତିଶଙ୍କ ପାଇଁ ଏକ ଐତିହାସିକ ଭୁଲ୍‌ ହେବ ବୋଲି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ କହିଥିବା ବେଳେ ଅନ୍ୟ ବିରୋଧୀ ଦଳ ନେତାମାନେ ମଧ୍ୟ ଏହି ପ୍ରସଙ୍ଗରେ ନୀତିଶଙ୍କୁ ଘେରିବା ସ୍ପଷ୍ଟ ହୋଇଯାଇଛି । ଜେଡିୟୁ ସୁପ୍ରିମୋ ନୀତିଶ କୁମାର ରାମନାଥ କୋବିନ୍ଦଙ୍କୁ ଦଳର ସମର୍ଥନ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିସାରିଛନ୍ତି ଏବଂ କୋବିନ୍ଦଙ୍କୁ ଦଳିତଙ୍କ ସଫଳ ତ୍ରାଣକର୍ତ୍ତା ଭାବେ ବର୍ଣ୍ଣନା କରିଛନ୍ତି ।

ବିହାର ରାଜ୍ୟପାଳ ଭାବେ କୋବିନ୍ଦଙ୍କ ସହ ନୀତିଶଙ୍କ ଭଲ ବୁଝାମଣା ରହିଥିବାରୁ ସେ ତାଙ୍କୁ ସମର୍ଥନ କରିଥିବା କହିଥିଲେ । ତେବେ ରାଜ୍ୟର ଜଣେ ସଫଳ ଦଳିତ ନେତ୍ରୀଙ୍କୁ ୟୁପିଏ ପ୍ରାର୍ଥୀ କରିବା ପରେ ନୀତିଶଙ୍କ ଏହି ସମର୍ଥନକୁ ନେଇ ଆରଜେଡି ସମତେ ୟୁପିଏ ମେଣ୍ଟର ବିଭିନ୍ନ ଦଳ ପ୍ରଶ୍ନବାଚୀ ଉଠାଇଛନ୍ତି । ରାମନାଥ କୋବିନ୍ଦଙ୍କୁ ବାହାରି ନେତାଭାବେ ଚିତ୍ରଣ କରି ବିହାରରେ ଆରଜେଡି ଏବଂ କଂଗ୍ରେସ ଏକଜୁଟ ହୋଇଥିବାରୁ ମହାମେଣ୍ଟ ପ୍ରତି ଘୋର ସଙ୍କଟ ମାଡ଼ି ଆସୁଛି ।

ରାଜ୍ୟର ସ୍ୱାଭିମାନ ଦୃଷ୍ଟିରୁ ସବୁ ଦଳର ବିଧାୟକ ଏବଂ ସାଂସଦ ମୀରା କୁମାରଙ୍କ ସମର୍ଥନରେ ଭୋଟ୍‌ ଦେବାକୁ ଲାଲୁ ଆହ୍ଵାନ ଦେଇଛନ୍ତି । ମୀରା କୁମାର ନିର୍ବାଚନରେ ପରାଜିତ ହେଲେ ମଧ୍ୟ ଜେଡିୟୁକୁ ଘେରିବା ପାଇଁ ଆରଜେଡି ଏବଂ କଂଗ୍ରେସକୁ ସୁଯୋଗ ମିଳିବ ଏବଂ ଏଭଳି ପରିସ୍ଥିତିରେ ନୀତିଶ ପୁଣି ଏନଡିଏକୁ ଫେରିବାକୁ ବାଧ୍ୟ ହେବେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି । ଅନ୍ୟପକ୍ଷରେ ଏବେ ଦଳକୁ ଏକଜୁଟ ରଖିବା ପାଇଁ ନୀତିଶଙ୍କୁ ଅଧିକ କସରତ କରିବାକୁ ପଡ଼ିବ ।

ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ମଧ୍ୟ ନୀତିଶଙ୍କ ହ୍ଵିପ୍‌ ଜାରି କରିବାକୁ ହେବ । ଜେଡିୟୁ ସାଂସଦ ଓ ବିଧାୟକମାନଙ୍କୁ  ରାମନାଥଙ୍କୁ ସମର୍ଥନ ପ୍ରସଙ୍ଗରେ ନୀତି ସ୍ପଷ୍ଟ କରିବାକୁ ନୀତିଶଙ୍କୁ ଦୃଢ଼ ଯୁକ୍ତି ଦେଖାଇବାକୁ ପଡ଼ିବ । ତେବେ ବିହାରରେ ଲାଲୁଙ୍କ ପ୍ରାଧାନ୍ୟ ହ୍ରାସ କରିବାକୁ ଚାହୁଥିବା ନୀତିଶ ମଧ୍ୟ ଏହି ଚ୍ୟାଲେଂଜକୁ ଏକ ସୁଯୋଗ ଭାବେ ଗ୍ରହଣ କରି ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।

ଲାଲୁ ପ୍ରସାଦ ଓ ତାଙ୍କ ପରିବାର ୧୦୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ମାମଲାରେ ଛନ୍ଦି ହୋଇଯାଇଥିବାରୁ ଏହାକୁ ମଧ୍ୟ ନୀତିଶ ଅସ୍ତ୍ର କରି ଆରଜେଡିଠାରୁ ଦୂରେଇବାକୁ ରାସ୍ତା ଖୋଜିବେ ବୋଲି କୁହାଯାଉଛି । ଆୟକର ବିଭାଗ ଏବଂ ସିବିଆଇର କାର୍ଯ୍ୟାନୁଷ୍ଠାନ ନେଇ ଲାଲୁଙ୍କ ସମର୍ଥନରେ ନୀତିଶ ମୁହ ଖୋଲୁନାହାନ୍ତି ।