ଅମଙ୍ଗଳ ପାଲଟିଲା ମଙ୍ଗଳବାର ସନ୍ଧ୍ୟା ! ୧୦ ମିନିଟ୍ ପାଇଁ ଚାଲିଗଲା ୧୦ ଜୀବନ ।

473

କନକ ବ୍ୟୁରୋ : ଆଉ ମାତ୍ର ୧୦ ମିନିଟ୍ । ମହାନଦୀ ବ୍ରିଜ୍ ପାର କଲେ, ଶିଖରପୁର ଛକ । ଯାତ୍ରୀ ଓହ୍ଲାଇଥାନ୍ତେ । ହେଲେ ତାପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ବସ୍ ଖସିପଡିଲା ମହାନଦୀକୁ । ଚାହୁଁ ଚାହୁଁ ୧୦ ଜଣ ପ୍ରାଣ ହରାଇଲେ । କିଏ ଘରକୁ ଫେରୁଥିଲା ତ ଆଉ କିଏ ଯାଉଥିଲା ମିଟିଂ ପାଇଁ । ହେଲେ ସବୁ ଅଧାରେ ରହିଗଲା । ମଙ୍ଗଳବାରର ସେହି କଳା ମୁହୂର୍ତ୍ତ ଉଜାଡି ଦେଲା ସବୁକିଛି । ଆଉ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଘରେ ଖେଳିଯାଇଛି ଶୋକର ଛାୟା ।

କାନ୍ଦବୋବାଳିରେ ଫାଟି ପଡୁଛି ଘର ଦ୍ୱାର । ଚାରିଆଡେ ବୁକୁଫଟା ଚିତ୍କାର । ଆଖି ଆଗରେ ଯବାନ ପୁଅର ମରଶରୀର । ମହାନଦୀ ବସ୍ ଦୁର୍ଘଟଣା ପୁଅକୁ ଛଡାଇନେଇଛି । ଢେଙ୍କାନାଳ କଲେଜର କେମିଷ୍ଟ୍ରି ଟିଚର ମାନସ ତ୍ରିପାଠୀ । ମଙ୍ଗଳବାର ସନ୍ଧ୍ୟାରେ କ୍ଲାସ ସାରି ଘରକୁ ଫେରୁଥିଲେ । ଶିଖରପୁର ଛକ ଆଉ ଅଳ୍ପ ବାଟ ଥିଲା । ହେଲପର ଡାକ ଶୁଣି ବସ୍ ଗେଟ୍ ପାଖକୁ ଆସିଥିଲେ ମାନସ । ଆଉ ଚାହୁଁ ଚାହୁଁ ମହାନଦୀକୁ ଖସିପଡିଥିଲା ବସ୍ । ଲଷ୍ମୀ ପୂଜାରେ ଘରକୁ ଆସିଥିଲେ ମାନସ । କହିଥିଲେ ପୁଣି ଛୁଟିରେ ଆସିବି, ହେଲେ ଆଉ ଫେରିଲେନି ।

ଏଲଆଇସି ଆଡମିନିଷ୍ଟ୍ରେଟିଭ୍ ଅଫିସର ସୁଶାନ୍ତ ଦାସ । ୬ ମାସ ତଳେ ସୁଶାନ୍ତଙ୍କର ତାଳଚେରକୁ ବଦଳି ହୋଇଥିଲା । ମିଟିଂ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସେ କଟକ ଯାଉଥିଲେ । ହେଲେ ବାଟରେ ଯେମିତି ଚାହିଁ ରହିଥିଲା ମୃତ୍ୟୁ । ସବୁଦିନ ପାଇଁ ଶାନ୍ତ ହୋଇଗଲେ ସୁଶାନ୍ତ । ଏପଟେ ୮୦ ବର୍ଷୀୟ ବୃଦ୍ଧ ବାପା ପୁଅର ଫେରିବା ବାଟକୁ ଅପେକ୍ଷା କରି ରହିଛନ୍ତି ।

ମହାନଦୀ ବସ୍ ଦୁର୍ଘଟଣାରେ ଜୀବନ ଯିବା ପୂର୍ବରୁ କେତେ କଣ ପ୍ଲାନିଂ କରିଥିଲେ ମୀନତି । ପୂର୍ଣ୍ଣିମାରେ ଗାଁରେ ଡଙ୍ଗା ଭସାଇବେ । ଭଣଜା-ଭାଣୀଜିଙ୍କୁ କଥା ଦେଇଥିଲେ ଛୁଟିରେ ଆସିଲେ ଛାଡଖାଇ କରିବେ । ଆଉ ସ୍ୱାମୀଙ୍କ ସହ ପୁଅ-ଝିଅଙ୍କ ପାଖକୁ ଭୁବନେଶ୍ୱର ଯିବେ । ତାଳଚେରର ଏକ ପ୍ରାଇମେରୀ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଥିବା ମୀନତି ମଙ୍ଗଳବାର ସନ୍ଧ୍ୟାରେ କଟକ ଆସୁଥିଲେ । ପରେ ସେଠାରୁ ପାରାଦୀପ ଯାଇଥାନ୍ତେ । ହେଲେ ସବୁ ଯୋଜନା ଯୋଜନାରେ ହିଁ ରହିଗଲା ମିନତୀଙ୍କର । ମଙ୍ଗଳବାରରେ ଘଟିଯାଇଛି ବଡ ଧରଣର ଅମଙ୍ଗଳ । ଗୋଟିଏ ଦୁର୍ଘଟଣା, ଦଶ ଦଶଟି ଜୀବନ ନେଇଯାଇଛି ।