ଅଳିଆଗଦାରୁ ଅଷ୍ଟ୍ରେଲିଆ ! ଜଣେ ଉପେକ୍ଷିତ ଝିଅର ଜୀବନ କାହାଣୀ

62

ଅଳିଆଗଦାରୁ ଅଷ୍ଟ୍ରେଲିଆ । ଏ ହେଉଛି ଏମିତି ଏକ କାହାଣୀ , ଯାହା ଶୁଣିଲେ ଆପଣ ଖୁସି ବି ହେବେ ଦୁଃଖ ବି କରିବେ । ଜଣେ ଶ୍ୟାମଳୀ ଝିଅର କାହାଣୀ । ଯାହାକୁ ଜନ୍ମ ଦେଇ ମା’ ଫୋପାଡି ଦେଇଥିଲା ଅଳିଗଦାକୁ ।

୧୩ ବର୍ଷ ତଳର କଥା । କେନ୍ଦ୍ରାପଡାର ଏକ ଅଳିଆଗଦାରୁ ଉଦ୍ଧାର ହୋଇଥିଲା ଶିଖା । ଉପେକ୍ଷିତାର ପରିଚୟ ନେଇ ଏହି କଅଁଳ ଝିଅ ଆସି ପହଂଚିଥିଲା କଟକସ୍ଥିତ ବସୁନ୍ଧରାରେ । ଏଇଠି ଆରମ୍ଭ ହେଲା ଶିଖାର ଅନାଥ ଜୀବନ । ଦେହର ରଙ୍ଗ ଶ୍ୟାମଳୀ ହୋଇଥିବାରୁ କେହି ତାକୁ ପୋଷ୍ୟକନ୍ୟା ଭାବେ କୋଳେଇ ନେବାକୁ ଆଗ୍ରହ ପ୍ରକାଶ କରି ନଥିଲେ । ୟା ଭିତରେ ବିତି ଯାଇଥିଲା ୫ ବର୍ଷ ।

୨୦୦୮ ମସିହାରେ କଙ୍ଗାରୁ ରାଇଜ ଅଷ୍ଟ୍ରେଲିଆରୁ କଟକର ବସୁନ୍ଧରାରେ ଆସି ପହଂଚିଥିଲେ ଏକ ନିଃସନ୍ତାନ ଦମ୍ପତି । ଗୋଟିଏ ମୁହୂର୍ତ୍ତରେ ଶ୍ୟାମଳୀ ଝିଅର ହସ କିଣିଥିଲା ଗୋରୀ ମାଆର ମନକୁ । ଏକ ସୁନ୍ଦର ଭବିଷ୍ୟତର ପ୍ରତିଶ୍ରୁତି ଦେଇ ସରକାରୀ ଦସ୍ତାବିଜରେ ଦସ୍ତଖତ କରି ଆଞ୍ଜେଲା ଓ ଆଣ୍ଡ୍ରିଉ ଶିଖାକୁ ନେଇ ଯାଇଥିଲେ ନିଜ ଦେଶକୁ , ନିଜ ଘରକୁ । ଗୋରୀ ମାଆର କୋଳରେ ବଢିଲା ଶ୍ୟାମଳୀ ଶିଖା ।

କିଛି ମାସ ତଳେ ବାପା ମା’ଙ୍କ ଠାରୁ ଶିଖା ଶୁଣିଥିଲା ତା ଅତୀତର କାହାଣୀ । ଯିଦି କରିଥିଲା ଥରୁଟିଏ ତା ଅତୀତ ସହ ଭେଟିବାକୁ । ଆଉ ଝିଅର ଯିଦିକୁ ସମ୍ମାନ ଦେଇ ସୁଦୂର ମେଲବୋର୍ଣ୍ଣରୁ ବାପା ମା’ କଟକ ଆଣିଥିଲେ ଶିଖାକୁ ।