ରାଜ୍ୟ ପାଇଁ ପଦକ ଜିତିବା ପରେ…ଏବେ ଦୁର୍ବିସହ ହୋଇପଡିଛି ଜାତୀୟ ଖେଳାଳିଙ୍କ ଜୀବନ…କିଏ ପର ଘରେ ବାସନ ମାଜି ତ କିଏ ସିଲେଇ କରି ପୋଷୁଛି ପେଟ

158

କନକ ବ୍ୟୁରୋ: ଗତକାଲି ମହିଳା ଜାତୀୟ ଫୁଟବଲ ଖେଳାଳୀଙ୍କର ଅବସ୍ଥା କିପରି ତାର ଏକ ନଗ୍ନ ଚିତ୍ର ଆମେ ସାମ୍ନାକୁ ଆଣିଥିଲୁ । ଆଜି ପୁଣି କିଛି ଜାତୀୟ ଖେଳାଳୀଙ୍କର ସଙ୍ଗୀନ ଅବସ୍ଥାର ସ୍ଥିତି ଆପଣ ଦେଖିଲେ ଦୋହଳି ଯିବେ । ବିଭିନ୍ନ ଜାତୀୟ ପ୍ରତିଯୋଗୀତାରେ ଓଡିଶାର ପ୍ରତିନିଧିତ୍ୱ କରି ପଦକ ଜିତିଥିବା ଏହି ଫୁଟବଲ ଖେଳାଳି ଦ୍ରାରିଦ୍ର୍ୟର ତାଡନା ମଧ୍ୟରେ ଏବେ ଯେଭଳି ଜୀବନ ବଂଚୁଛନ୍ତି ତାକୁ ଦେଖିଲେ ଦେଶର କ୍ରୀଡା ରାଜଧାନୀ କୁହାଯାଉଥିବା ଓଡିଶାର କ୍ରୀଡାପ୍ରେମୀଙ୍କ ମୁଣ୍ଡ ଲଜ୍ଜାରେ ନଇଁ ଯିବ । କାହିଁକି ନା ଦିନେ ରାଜ୍ୟ ପାଇଁ ଗୌରବ ଆଣିଥିବା ଏହି ଖେଳାଳୀମାନଙ୍କ ଭିତରେ ଏବେ କିଏ ପରଘରେ ବାସନ ମାଜୁଛି ତ କିଏ ଛୋଟ ଦୋକାନ କରି ଆଉ କିଏ ସିଲେଇ କରି ପେଟ ପୋଷୁଛି ।

ରାଜ୍ୟ ପାଇଁ ଗର୍ବ ଆଣୁଥିବା ଖେଳାଳୀମାନଙ୍କର ଅବସ୍ଥା ହୁଏତ ଏପରି ହେବ ସେମାନେ କେବେ ଭାବିନଥିବେ । ଫୁଟବଲ ଖେଳିବା ସମୟରେ ଦର୍ଶକଙ୍କ କରତାଳି ଯେତିକି ଗର୍ବ ଅନୁଭବ କରାଉଥିଲା ଆଜି ପେଟ ପୋଷିବା ପାଇଁ ଯନ୍ତ୍ରଣା ତା ଠାରୁ ଅଧିକ । ସୁନିତା ସୋରେନ ଜାତୀୟ ସ୍ତରରେ ୫ଟି, ସିନିୟର ଲେବୁଲରେ ୫ଟି, ଜୁନିୟରରେ ୪ଟି ମ୍ୟାଚ ଖେଳିଥିବା ଏହି ଖେଳାଳି ଉଭୟ ରାଜ୍ୟ ଏବଂ ରାଜ୍ୟ ବାହାରେ ନିଜ ଖେଳର ଚମକ୍ରାରିତା ଦେଖାଇ ପ୍ରଶଂସିତ ହୋଇଛନ୍ତି । ହେଲେ ଭାଗ୍ୟର ବିଡମ୍ବନା ଆଜି ସେ ଏକ ଛୋଟିଆ ଦୋକାନ କରି ନିଜ ପରିବାର ଚଳାଉଛନ୍ତି ।

ସେହିପରି ଆଉ ଜଣେ ଖେଳାଳୀ ହେଲେ ମୀନା ମୁଣ୍ଡା । ଜାତୀୟ ସ୍ତରରେ ୪ଟି, ରାଜ୍ୟସ୍ତରରେ ୪ଟି ମ୍ୟାଚରେ ଗୋଲ କିପର ରହିଆସିଛନ୍ତି । ହେଲେ ଆଜି ସେ ନିଜେ ଗୋଲ ହୋଇଯାଇଛନ୍ତି । ସ୍ୱାମୀ ହୋଟେଲରେ ରୋଷେଇ କରୁଥିବାବେଳେ ମୀନା ଏବେ କୁଲି ମଜୁରୀ ଲାଗିବା ସହ ପର ଘରେ ବାସନ ମାଜି ପରିବାର ପୋଷୁଛନ୍ତି ।

ଅନ୍ୟଜଣେ ଖେଳାଳୀ ହେଲେ ମଧୁସ୍ମିତା ମେହେର । ୩ଟି ଜାତୀୟ ଓ ଗୋଟିଏ ରାଜ୍ୟ ମ୍ୟାଚ୍ ଖେଳି ଥିବା ଏହି ଖେଳାଳୀ ବର୍ତ୍ତମାନ ସିଲେଇ କରି ଗୁଜୁରାଣ ମେଂଟାଉଛନ୍ତି । ତେବେ ବିଭିନ୍ନ ଜାତୀୟ ପ୍ରତିଯୋଗୀତାରେ ଓଡିଶାର ପ୍ରତିନିଧିତ୍ୱ କରିଥିବା ଏହି ଆଦିବାସୀ, ଦଳିତ ଯୁବତୀମାନେ ଫୁଟବଲ ପାଇଁ ନିଜ ଜୀବନର ଗୁରୁତ୍ୱପୂର୍ଣ୍ଣ ସମୟ ବିତାଇ ଦେଇଥିବା ବେଳେ ଏବେ ପେଟ ପାଇଁ କିଏ ମୂଲ ଲାଗୁଛି ତ ପୁଣି କିଏ ସଂଜ ନଇଁଲେ ହାଣ୍ଡିଆ ବିକ୍ରି କରୁଛି ।

ତେବେ ରାଜ୍ୟ ପାଇଁ ଗୌରବ ଆଣିଥିବା ଏହି ଖେଳାଳୀଙ୍କୁ ସରକାର ଉଚିତ ଥଇଥାନ ତଥା ପ୍ରତ୍ସାହନ ନଯୋଗାଇଲେ ଆଗାମୀ ଦିନରେ ଫୁଟବଲ ପ୍ରତି ଲୋକଙ୍କ ଆଗ୍ରହ କମିବ ବୋଲି କ୍ରୀଡାବିତ କହିଛନ୍ତି ।