ମୁଁ କାହିଁକି ବିକିଲି କିଡନୀ ? ଦଲାଲ ହାବୁଡରେ ପଡ଼ି କିଡନୀ ହରାଇଥିବା ଯୁବକ କହିଲେ କିଡନୀ ରାକେଟର ପୂରା କାହାଣୀ

649

କନକ ବ୍ୟୁରୋ: ଗରିବ ଯୁବକଙ୍କୁ ଶୋଷଣ କରି ବେଆଇନ ଭାବେ କିଭଳି କିଡନୀ କାଢ଼ି ନିଆଯାଉଛି ଓ ଅନ୍ୟ ଦେହରେ ରୋପଣ କରାଯାଉଛି ତା’ର ଏକ ଚିତ୍ର ପଦାକୁ ଆସିଛି । ଦଲାଲ ହାବୁଡ଼ରେ ପଡ଼ି କିଡନୀ ହରାଇଥିବା ଢ଼େଙ୍କାନାଳର ଜଣେ ଯୁବକ ଏବେ ଚିକିତ୍ସା ଓ ଚଳିବା ପାଇଁ ବି ଅର୍ଥ ପାଉନାହାନ୍ତି । ରାଜ୍ୟରେ କିଡନୀ ବିକ୍ରିର ଚେର ବହୁତ ଲମ୍ବିଛି । ଆଉ ଏହାର ଶିକାର ହେଉଛନ୍ତି ଗରିବ ଲୋକ । ଟଙ୍କା ପାଇଁ କିଡ୍ନୀ ଦେଉଥିବା ଲୋକଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ।

ଢ଼େଙ୍କାନାଳର ରାକେଶ ପଣ୍ଡା । ଟଙ୍କା ପାଇଁ କିପରି କିଡନୀ ବିକ୍ରି କଲେ, କିପରି ଦଲାଲ ହାବୁଡରେ ପଡ଼ି ଶୋଷଣର ଶିକାର ହେଲେ, ସ୍ୱୀକାର କରିଛନ୍ତି ନିଜେ ରାକେଶ । ଅଭାବ ଅନଟନ ଯୋଗୁଁ ଖବର କାଗଜର ‘କିଡନୀ ଆବଶ୍ୟକ’ ବିଜ୍ଞାପନରେ ପ୍ରଥମେ ପ୍ରଭାବିତ ହୋଇଥିଲେ ସେ । ଏ ନେଇ ଆଗ୍ରହ ଦେଖାଇବା ପରେ ବାଲୁଗାଁ ଅଂଚଳର ଜଣେ ଦଲାଲ ସଂଜୟ ପଲେଇଙ୍କ ହାବୁଡ଼ରେ ପଡ଼ିଗଲେ । ଏହାପରେ ପୂରା ପ୍ରକ୍ରିୟା ପାଇଁ ଆଗେଇ ଆସିଲା କିଡନୀ ଚୋରି ର୍ୟାକେଟ୍ । ଜାଲ କାଗଜପତ୍ର, ଜାଲ ପରିବାର ସବୁ କିଛି ଯୋଗାଡ଼ କରିଦେଲା ଦଲାଲ୍ ।

ବିଭିନ୍ନ ପରୀକ୍ଷା ପରେ କ୍ୟାପିଟାଲ୍ ହସ୍ପିଟାଲରେ ଡାକ୍ତର ଓ ସମାଜସେବୀଙ୍କୁ ନେଇ ଗଠିତ ୬-ଜଣିଆ ”ଅଥରାଇଜେସନ୍ କମିଟି’’ ତାଙ୍କ କିଡନୀ ସେ ଅନ୍ୟକୁ ଦେଇପାରିବେ ବୋଲି ଅନୁମତି ଦେଇଥିଲେ । ଅନୁଗୁଳର ବିଜୟ ସାହୁଙ୍କ ଦେହରେ ତାଙ୍କ କିଡନୀ ପ୍ରତିରୋପଣ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଉଛି, ସେ କିଡନୀ ଦେବା ପୂର୍ବରୁ ତାଙ୍କର ନକଲି ମା’ ଓ ନକଲି ସ୍ତ୍ରୀ ବି ଯୋଗାଡ଼ ସରିଥିଲା । ନକଲି ମା’ ହୋଇଥିଲେ ନୟାଗଡ଼ର ସଂଯୁକ୍ତା ପଣ୍ଡା ଓ ନକଲି ସ୍ତ୍ରୀ ହୋଇଥିଲେ- କେନ୍ଦ୍ରାପଡ଼ାର ଶିଲାରାଣୀ ମଲ୍ଳିକ । ”ଅଥରାଇଜେସନ୍ କମିଟି’’ର ଅନୁମୋଦନ ପରେ ୨୦୧୮ ମସିହା ଜୁନ୍ ୧୧ ତାରିଖରେ ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ତାଙ୍କର ଗୋଟିଏ କିଡନୀ କାଢ଼ି ନିଆ ଯାଇଥିଲା ।

୨୦୧୧ରେ ସଂସଦରେ ପାସ୍ ହୋଇଥିବା ଅଙ୍ଗପ୍ରତ୍ୟଙ୍ଗ ପ୍ରତିରୋପଣ ଆଇନ । ୨୦୧୪ରେ ଏହାର ନିୟମାବଳୀ ପ୍ରଣୟନ ହୋଇଛି । ନିଜ ଲୋକଙ୍କ ବ୍ୟତୀତ ପରିଚିତ ଲୋକ କାହାକୁ ଅଙ୍ଗଦାନ କଲେ ଯଥେଷ୍ଟ ଯାଂଚ କରିଥାନ୍ତି ଡାକ୍ତର ଓ ସମାଜସେବୀଙ୍କୁ ନେଇ ଗଠିତ ବହୁ ସଦସ୍ୟ ବିଶିଷ୍ଟ ଅଥରାଇଜେସନ୍ ବା ଅନୁମୋଦନ କମିଟି । ଅଙ୍ଗଦାନରେ କୌଣସିି ଟଙ୍କା କାରବାର ହୋଇପାରିବ ନାହିଁ । ଏହି ଅଙ୍ଗଦାନ ପଛରେ କୌଣସି ଦଲାଲର ହାତ ନାହିଁ ବୋଲି ଭଲ ଭାବେ ଯାଂଚ କରିବାକୁ କୁହାଯାଇଛି । ହେଲେ ଜାଲ କାଗଜପତ୍ର, ମିଛ ସାକ୍ଷୀ ଛିଡ଼ା କରାଇ ଅନୁମତି ନେଇ ଯାଉଛନ୍ତି ଦଲାଲ୍ ।

କେବଳ ଢ଼େଙ୍କାନାଳର ରାକେଶ ନୁହନ୍ତି, ରାଜ୍ୟର ବିଭିନ୍ନ ଅଂଚଳର ଯୁବକ ଯୁବତୀଙ୍କୁ ଅର୍ଥଲୋଭ ଦେଖାଇ କିଡନୀ କାଢ଼ି ନିଆଯାଇଥିବା ଅଭିଯୋଗ ହେଉଛି । ଭୁବନେଶ୍ୱରର ଅନେକ ଘରୋଇ ମେଡିକାଲ୍ କିଡନୀ ଚାଲାଣ ରାକେଟରେ ସାମିଲ୍ ଥିବା କୁହାଯାଉଛି । ପୋଲିସ୍ ବା ସ୍ୱାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ କିଡନୀ ର୍ୟାକେଟ୍ ଚଳାଉଥିବା ଦଲାଲ ଓ ଏଥିରେ ସଂପୃକ୍ତ ଥିବା ହସପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହିଁ ।