ପରଦା ପଛର ନାୟିକା ! ଯଦି ଏହି ମହିଳା ନଥାନ୍ତେ ତାହାଲେ କେବେ ବି ହୋଇପାରିନଥାନ୍ତା ଇନଫୋସିସ୍

78

ଜଣେ ଝିଅ ଥିଲା । ଜଣେ ପୁଅ ଥିଲା । ଗୋଟିଏ ସହର ଥିଲା । ୮୦ ଦଶକର ଗୋଟିଏ ବର୍ଷ ଥିଲା । କିଛି ସ୍ୱପ୍ନରେ ଥିଲା ଆଉ କିଛି ନିଜର ଥିଲା । କିଛି ସଂଘର୍ଷ ଥିଲା ଯାହା ଲଢିବାର ଥିଲା । ଆଉ କିଛି ସଂଘର୍ଷ ଥିଲା ଯାହା ଲଢାଯାଇଥିଲା ଆଉ ଜିତା ମଧ୍ୟ ଯାଇଥିଲା । ଝିଅଟି ପୁଅକୁ ନିଜ ରୋଜଗାରର ୧୦ହଜାର ଟଙ୍କା ଦେଇଥିଲା । କିଛି ସାଙ୍ଗ ମାନଙ୍କ ସହ ମିଶି ଏହି ପୁଞ୍ଜିରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ୨ଲକ୍ଷ କୋଟିକୁ ପାର୍ । ସ୍ୱପ୍ନ ପରି ଲାଗୁଥିବା ଏହି କାହାଣୀ ଉପରେ ବିଶ୍ୱାସ ହେଉନି ନାଁ । କିନ୍ତୁ ଏହି କାହାଣୀ ବୟାନ୍ କରୁଛି ସ୍ୱପ୍ନ ଦେଖିବା ବହୁତ୍ ଜରୁରୀ । ଆଉ ଏହାକୁ ପୁରା କରିବାର ସାହାସ ରଖିବା ତାଠାରୁ ବେଶୀ ଜରୁରୀ । ସବୁଠାରୁ ଅଧିକ ଜରୁରୀ ଏହି ସ୍ୱପ୍ନକୁ ପୁରା କରିବା ପାଇଁ ନିଜର ସର୍ବସ୍ୱ ଦେଇଦେବା ।

ସେହି ଝିଅଟିର ନାଁ ଥିଲା ସୁଧା କୁଲକର୍ଣ୍ଣୀ ଆଉ ପୁଅ ଥିଲା ଏନଆର୍ ନାରାୟାଣମୂର୍ତ୍ତୀ । ସହର ଥିଲା ପୁଣେ , ବର୍ଷ ଥିଲା ୧୯୮୧ । ଆଉ ୧୦ହଜାରରୁ ଆରମ୍ଭ ହୋଇ ୨ଲକ୍ଷ କୋଟିରେ ପହଂଚିଥିବା କମ୍ପାନୀ ହେଲା ଇନଫୋସିସ୍ । ତେବେ କେମିତି ପୁରା ହେଲା ସ୍ୱପ୍ନ ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପ୍ରଥମେ ଜାଣନ୍ତୁ ସୁଧାଙ୍କ ବିଷୟରେ । ଆଜି ହେଉଛି ସୁଧାଙ୍କ ଜନ୍ମ ଦିନ ।

ଜିତିବା ଥିଲା ଯେଉଁ ଝିଅର ଅଭ୍ୟାସ :
୧୯ ଅଗଷ୍ଟ ୧୯୫୦ରେ କର୍ଣ୍ଣାଟକର ଶିବଗାଓଁରେ ଜନ୍ମ ହୋଇଥିଲେ ସୁଧା । ବାପା ଡାକ୍ତର ଥିଲେ ଆଉ ମା’ ଗୃହିଣୀ । ଲାଳନ ପାଳନ ସାଧାରଣ ଭାରତୀୟ ପରିବାର ପରି ହୋଇଥିଲା । ତେବେ ପାଠପଢାରେ ବଡ ବଡଙ୍କୁ ପାଣି ପିଆଇ ଦେଉଥିଲା ଏହି ଝିଅ । ଯାହା ପଢିଲେ, ଯେତେ ପଢିଲେ ଆଉ ଯେଉଁଠି ପଢିଲେ ସବୁଥିରେ ନମ୍ବର ୱାନ୍ । ଇଞ୍ଜିନିୟରିଂର ଡିଗ୍ରୀ ହୁବଲୀର କଲେଜରୁ କରିଥିଲେ । ଡିଗ୍ରୀ ବି ହାସଲ କରିଥିଲେ ଗୋଲ୍ଡ ମେଡାଲ୍ ସହ । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପିନ୍ଧାଇଥିଲେ ଏହି ମେଡାଲ୍ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରୁ କରିଥିଲେ କମ୍ପ୍ୟୁଟର୍ ସାଇନ୍ସରେ ମାଷ୍ଟରର୍ସ । ପୁଣି ଥରେ ହେଲେ କ୍ଲାସରେ ଟପ୍ପର୍ ଆଉ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟରସରୁ ପାଇଲେ ଗୋଲ୍ଡ ମେଡାଲ୍ । ଯେମିତି ଜିତିବା ଥିଲା ଏହି ଝିଅର ଅଭ୍ୟାସ ।

ଯେତେବେଳେ ଜେଆରଡି ଟାଟାକୁ ବି ନଇଁବାକୁ ପଡିଲା :
ସୁଧା ସେ ସମୟରେ ପୋଷ୍ଟ ଗ୍ରାଜୁଏଟର ଶେଷ ବର୍ଷରେ ଥିଲେ । ବର୍ତ୍ତମାନର ଟାଟା ମୋଟୋର୍ସ ଏବଂ ସେତେବେଳର ଟେଲକୋରେ ଇଞ୍ଜିନିୟରଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଥିଲା । ହେଲେ ବିଜ୍ଞାପନରେ ଶେଷରେ ଲେଖା ଯାଇଥିଲା ମହିଳା ପ୍ରାର୍ଥୀଙ୍କୁ ଆବେଦନ କରିବା ଆବଶ୍ୟକ ନାହିଁ । ଯାହାକୁ ଦେଖି ସୁଧାଙ୍କୁ ଖୁବ୍ କ୍ଷୁବ୍ଧ ହୋଇଯାଇଥିଲେ । ସେ ପାଠପଢାରେ ନିଜ ପୁରୁଷ ସହପାଠୀଙ୍କଠାରୁ ଢେର୍ ଆଗରେ ଥିଲେ । ଆଉ ଏହି ଭେଦଭାବ ସେ ସହିପାରିନଥିଲେ । ତେଣୁ ସିଧା ଟାଟାକୁ ଏକ ରାଗଭରା ପତ୍ର ପଠାଇଦେଲେ ।

ଚିଠିରେ ଲେଖା ଥିଲା ‘ ମହାନ୍ ଟାଟା ପରିବାର ସବୁ କ୍ଷେତ୍ରରେ ଅଗ୍ରଣୀ । ଏହା ଟାଟା ହିଁ ,ଯିଏ ଦେଶରେ ବିଭିନ୍ନ ଉଦ୍ୟୋଗ ଆରମ୍ଭ କରିଛି । ଲୁହା, ଷ୍ଟିଲ୍ , କେମିକାଲ୍ , ମୋଟୋର୍ କାରଖାନା ଆରମ୍ଭ କରିଛି । ଟାଟା ଭାରତରେ ଉଚ୍ଚଶିକ୍ଷା ପାଇଁ ଚିନ୍ତା ବର୍ଷ ୧୯୦୦ରୁ ହିଁ କରିଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ସ୍ଥାପନାରେ ଟାଟାର ହିଁ ସହଯୋଗ ରହିଛି । ସୈଭାଗ୍ୟରୁ ମୁଁ ଏହିଠାରେ ହିଁ ପଢୁଛି । କିନ୍ତୁ ମତେ ଆଶ୍ଚର୍ଯ୍ୟ ଲାଗୁଛି ଟେଲକୋ ପରି କମ୍ପାନୀ ଲିଙ୍ଗର ଆଧାର ଉପରେ ଭେଦଭାବ କରୁଛି’ ।

୧୦ ଦିନ ମଧ୍ୟରେ ସୁଧାଙ୍କୁ ଏକ ପତ୍ର ମିଳିଲା ଯେଉଁଥିରେ ତାଙ୍କୁ ପୁଣେ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥିଲା । ଜିତିବାର ଅଭ୍ୟାସ ରଖିଥିବା ସୁଧା ଇଣ୍ଟରଭ୍ୟୁରେ ମଧ୍ୟ ସଫଳ ହେଲେ । ତେବେ ଏହା ସହ ଟେଲକୋରେ ବନିଗଲା ଇତିହାସ । ସୁଧା ମ୍ରୂ୍ତ୍ତୀ ପାଲଟିଗଲେ ଟେଲକୋରେ ପ୍ରଥମ ମହିଳା ଇଞ୍ଜିନିୟର୍ । ମାତ୍ର ୨୪ବର୍ଷ ବୟସର ଏହି ଝିଅର ଯିଦ୍ ଆଗରେ ଜେଆରଡି ଟାଟାକୁ ନିଜ ନିଷ୍ପତି ବଦଳାଇବାକୁ ପଡିଥିଲା ।

କେମିତି ହୋଇଥିଲା ନାରାୟଣମୂର୍ତ୍ତିଙ୍କ ସହ ସାକ୍ଷାତ :
ତେବେ ଏହା ଏକ ରୋମାଂଚକର କାହାଣୀ । ସୁଧା କୁଲକର୍ଣ୍ଣୀଙ୍କ ଜଣେ ବନ୍ଧୁ ଥିଲେ ପ୍ରଶନ୍ନା ଯାହାଙ୍କ ସହ ସେ ବସରେ ଅଫିସ୍ ଯାଉଥିଲେ । ପ୍ରଶନ୍ନାଙ୍କୁ ମଧ୍ୟ ପଢିବାର ସଉକ୍ ଥିଲା । ଯେତେବେଳେ ସୁଧା ତାଙ୍କ ବହି ଦେଖୁଥିଲେ ପ୍ରଥମ ପୃଷ୍ଠାରେ କେତେବେଳେ ନାରାୟଣମୂର୍ତ୍ତୀ ପ୍ୟାରିସ୍ ତ କେତେବେଳେ ନାରାୟଣମୂର୍ତ୍ତୀ କାବୁଲ୍ ଆଉ କେତେବେଳେ ନାରାୟଣମୂର୍ତ୍ତୀ ଇସ୍ତାନବୁଲ୍ । ସୁଧାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ଯେ ୟେ କେଉଁ ବ୍ୟକ୍ତି ଯିଏ ସବୁବେଳେ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ତେବେ ପ୍ରଶନ୍ନା କହିଥିଲେ ଯେ ନାରାୟଣମୂର୍ତ୍ତୀ ତାଙ୍କ ବନ୍ଧୁ ଏବଂ ତାଙ୍କୁ ବୁଲିବାକୁ ଏବଂ ପଢିବାକୁ ଭଲ ଲାଗେ । ଆଉ ଏହି ବହି ତାଙ୍କର । ନାରାୟଣମୂର୍ତ୍ତୀ ଏବଂ ସୁଧା ମୂର୍ତ୍ତୀ ସାକ୍ଷାତ ପ୍ରଶନ୍ନା ହିଁ କରିଥିଲେ । ଦିନ ଥିଲା ୧୦ ଅକ୍ଟୋବର ୧୯୭୪ । ଧୀରେ ଧୀରେ ପାର୍କରେ ବୁଲିବା , ରେସ୍ତୋରାଁରେ ଖାଇବା ଏପରି ଭାବେ ଉଭୟ ନିକଟତର ହେବାକୁ ଲାଗିଲେ ।

ଜାଣି ଆଶ୍ଚର୍ଯ୍ୟ ହେବେ ରେସ୍ତୋରାଁରେ ଖାଇଲେ ଅଧିକାଂଶ ସମୟ ସୁଧା ହିଁ ବିଲ୍ ଦେଉଥିଲେ । ସେ ଏକ ନୋଟବୁକ୍ ମଧ୍ୟ ରଖିଥିଲେ ଯେଉଁଥିରେ ନାରାୟଣମୂର୍ତ୍ତୀଙ୍କୁ ଦେଇଥିବା ସମସ୍ତ ଉଦ୍ଧାରର ହିସାବ ରଖୁଥିଲେ ସୁଧା । ଫେବ୍ରୁଆରୀ ୧୯୭୮ରେ ମାତ୍ର ୮୦୦ ଟଙ୍କା ଖର୍ଚ୍ଚ କରି ସୁଧା କୁଲକର୍ଣ୍ଣୀ ସୁଧା ମୂର୍ତ୍ତୀ ହୋଇଗଲେ । ପ୍ରେମର ଏହି ସଂପର୍କ ବଦଳିଗଲା ସ୍ୱାମୀ – ସ୍ତ୍ରୀର ସଂପର୍କକୁ । ସେହି ସମୟରେ ନାରାୟଣମୂର୍ତ୍ତୀ ନିଜର ଏକ କମ୍ପାନୀ କରିବାର ସ୍ୱପ୍ନ ଦେଖୁଥିଲେ । ସ୍ୱପ୍ନଟି ବଡ ଥିଲା । ୭ ଜୁଲାଇ ୧୯୮୧ରେ ସାତ ଜଣ ମିଶି ପୁଣେରେ ନାରାୟଣମୂର୍ତ୍ତୀଙ୍କ ଘରେ ହିଁ କମ୍ପାନୀ ଆରମ୍ଭ କରିଥିଲେ । ଯାହା କିଛି ବର୍ଷ ମଧ୍ୟରେ ଇତିହାସ ବନିଗଲା । ଏହି ଇନଫୋସିସ କମ୍ପାନୀ କରିବା ପାଇଁ ପ୍ରଥମ ୧୦ହଜାର ଟଙ୍କା ନାରାୟଣମୂର୍ତ୍ତୀଙ୍କୁ ସୁଧା ମୂର୍ତ୍ତୀ ହିଁ ଦେଇଥିଲେ । ଧୀରେ ଧୀରେ ଦୁଇ ଜଣ ଦେଖିଥିବା ସ୍ୱପ୍ନ ସାକାର ହେବାକୁ ଲାଗିଲା ।

ସୁଧା ମୂର୍ତ୍ତୀ କନ୍ନଡ ଏବଂ ଇଂରାଜୀ ସାହିତ୍ୟରେ ଏକ ଲୋକପ୍ରିୟ ନାଁ । ତାଙ୍କର ଅନେକ ବହି ପ୍ରକାଶିତ ହୋଇସାରିଛି । ସେଗୁଡିକ ମଧ୍ୟରେ , ୱାଇଜ୍ ଆଣ୍ଡ ଅଦରୱାଇଜ୍, ଓଲ୍ଡ ମ୍ୟାନ୍ ଆଣ୍ଡ୍ ହିଜ୍ ଗଡ୍, ଦ ଡେ ଆଇ ଷ୍ଟପଡ ଡ୍ରିଙ୍କିଙ୍ଗ୍ ମିଲ୍କ ଆଦି ବହି ଗୁରୁତ୍ୱପୂର୍ଣ୍ଣ । ଆଜି ହେଉଛି ସୁଧା ମୂର୍ତ୍ତୀଙ୍କ ଜନ୍ମ ଦିନ । ଇନଫୋସିସର ଏହି ପ୍ରତିଷ୍ଠାତାଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ।