କନକ ବ୍ୟୁରୋ : ସଂସଦର ମୌସୁମୀ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି। ସସଂଦକୁ ଶାନ୍ତିଶୃଙ୍ଖଳାରେ ଚାଲିବା ଲାଗି ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଏକ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ସଂସଦର ସୁପରିଚାଳନା ପାଇଁ ସବୁ ବିରୋଧୀ ଓ ସମର୍ଥକ ଦଳର ସହଯୋଗ ଲୋଡିଛନ୍ତି ।ବୈଠକରେ ସମସ୍ତ ଦଳଗୁଡ଼ିକ ସହମତି ଜଣାଇଥିବା ମଧ୍ୟ ସରକାରଙ୍କ ସୂତ୍ରରୁ ଜାଣିବାକୁ ମିଳିଛି। ଅନ୍ୟପକ୍ଷରେ ବଜେଟ୍ ଅଧିବେଶନର ଗୃହକାର୍ୟ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଧାପ୍ରାପ୍ତ ହୋଇଥିଲା ବେଳେ ଏଥରର ମୌସୁମୀ ଅଧିବେଶନ ବି ଧୋଇଯିବା ଆଶଙ୍କା କରାଯାଉଛି କାରଣ ବିରୋଧୀମାନେ ଗତ ସୋମବାର ଦିନ ଏକ ବୈଠକରେ ଗଣମାଧ୍ୟକୁ ସୂଚନା ଦେଇ କହିଥିଲେ ଆମେ ମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ କିନ୍ତୁ ସରକାର ଯଦି ଏହାର ଉତ୍ତର ଗୃହରେ ଦେବେ ନାହିଁ ଏବଂ ନିଜ ସହେଯାଗୀ ଦଳ ଗୁଡିକ ସହ ମିଶି ଗୃହର କାର୍ଯ୍ୟରେ ବାଧାଦେବେ ବୋଲି । ତେଣୁ ଗୃହ ଆରମ୍ଭ ହେଲେ ହିଁ ପ୍ରକୃତ କଥା ଜାପଡିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏ ପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ସମଗ୍ର ରାଷ୍ଟ୍ର ଚାହୁଁଛି ସଂସଦର ପ୍ରତ୍ୟେକ କାର୍ୟ୍ୟ ଦିବସ ସଠିକ ଭାବରେ ପରିଚାଳିଚ ହେଉ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ ହେଉ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ମଞ୍ଜୁରି ଲାଭ କରୁ । ତେଣୁ ସରକାର ଆଇନ ପରିସରରେ ଆସୁଥିବା ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଅଛନ୍ତି। ଦେଶର ତଥା ଜନତାଙ୍କ ସ୍ୱାର୍ଥ ନିମନ୍ତେ ସରକାର ସବୁ ଦଳର ସହଯୋଗ କାମନା କରିଥିବା ସେ ଦର୍ଶାଇଛନ୍ତି। ଏମିତି କି ଦଳଗୁଡ଼ିକ ମଧ୍ୟ ସବୁ କାର୍ୟ୍ୟରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା କୁମାର ସାମ୍ବାଦିକମାନଙ୍କୁ କହିଛନ୍ତି। ଆୟୋଜନ ହୋଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ବିଶେଷକରି ଉଚ୍ଚଶିକ୍ଷା ଓ ନିଯୁକ୍ତିରେ ଏସ୍ସି/ଏସ୍ଟିଙ୍କ ପାଇଁ ସଂରକ୍ଷଣ,ମହିଳାମାନଙ୍କୁ ସୁରକ୍ଷା ଏବଂ ଭିଡ଼ ହିଂସା ନିୟନ୍ତ୍ରଣ ସକାଶେ ନୂଆ ଆଇନ ଗୃହରେ ଆଣିବା ଉପରେ ଆଲୋଚନା କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଅନୁସାରେ ସରକାର ଅନ୍ତତଃ ଭିଡ଼ହିଂସା ରୋକିବା ଲାଗି ପଦକ୍ଷେପ ନେବା ଉଚିତ ବୋଲି ସେମାନେ ଦର୍ଶାଇଥିଲେ।
ସହଯୋଗ ପାଇଁ ବିଜେଡିର ପ୍ରତିଶୃତି
ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଗୃହ ପରିଚାଳନାରେ ସହଯୋଗ କରିବା ଲାଗି ବିଜେଡି ପ୍ରତିଶୃତଦେଇଛି। ମଙ୍ଗଳବାର ସଂସଦର ଲାଇବ୍ରେରି ହଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଲୋକସଭାରେ ବିଜେଡି ନେତା ଭର୍ତ୍ତୃହରି ମହତାବ ଓ ରାଜ୍ୟସଭାରେ ବିଜେଡିର ନେତା ପ୍ରସନ୍ନ ଆଚାର୍ୟ୍ୟ ଯୋଗଦେଇ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଦଳ ପକ୍ଷରୁ ସବୁ ସହଯୋଗ କରାଯିବ ବୋଲି କହିଥିଲେ। ସଂସଦକୁ ସୁରୁଖୁରୁରେ ଚଳାଇବା ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକର ରାଷ୍ଟ୍ରୀୟ କର୍ତ୍ତବ୍ୟ ବୋଲି ଅନେକ ନେତା ବୈଠକରେ କହିଥିବା ଜଣାପଡିଛି । ସର୍ବଦଳୀୟ ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡିର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି ଯେ ସାଂସଦମାନେ ଗୃହକାର୍ୟ୍ୟକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ କଲେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇପାରିବ। ତେଣୁ ଗୃହ କାର୍ୟ୍ୟ ଠିକ୍ରେ ଚାଲୁ ବୋଲି ବିଜେଡି ଚାହୁଁଛି। ଅନ୍ୟପକ୍ଷରେ ମଙ୍ଗଳବାର ହୋଇଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ କୌଣସି ପ୍ରସଙ୍ଗ ଉପସ୍ଥାପନ କରାଯାଇ ନ ଥିଲା। କିନ୍ତୁ ଗୃହକାର୍ୟ୍ୟ ଚାଲିବା ପରେ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରସନ୍ନ କହିଛନ୍ତି । ତେବେ ବୁଧବାର ଗୃହ ଆରମ୍ଭ ହେଲାପରେ କେଉଁ କେଉଁ ନୂଆ ବିଲ ସରକାର ଆଣୁଛନ୍ତି ଓ ତାହା ଉପରେ ବିରୋଧୀମାନେ କିପରି ଆଲୋଚନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।