ଆସନ୍ତା କାଲି ପ୍ରବଳ ଝଡ଼ବର୍ଷା ! ଅଧିକ ପ୍ରଭାବିତ ହେବ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶା

433

କନକ ବ୍ୟୁରୋ : କାଳବୈଶାଖୀ ପ୍ରଭାବରେ କୋହଲା ପାଗ ଜାରି ରହିଛି । ଭୁବନେଶ୍ବରରୁ ଭଦ୍ରକ ହେଉ ଅଥବା ବାଲେଶ୍ବରରୁ ବଲାଙ୍ଗୀର, ସବୁଠି ତାପମାତ୍ରା ୩ରୁ ୬ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି  । କନ୍ଧମାଳ, ନୟାଗଡ଼, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସହ କାଳବୈଶାଖୀ ପ୍ରଭାବ ରହିବ । ହେଲେ ଆସନ୍ତା କାଲି ଠାରୁ ରାଜ୍ୟର ପାଣିପାଗ ସମ୍ପୂର୍ଣ୍ଣ ରୂପେ ବଦଳିଯିବ। ଅର୍ଧାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ । ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ଅଧିକ ପ୍ରଭାବ ପଡ଼ିବ । ତେଣୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପୂର୍ବାନୁମାନ ଅନୁଯାୟୀ ଶୁକ୍ରବାର ପୂର୍ବାହ୍ନ ଭିତରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, କଟକ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କନ୍ଧମାଳ, ନୟାଗଡ଼ ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏହାପରେ ପାଗ ଶୁଖିଲା ରହିବ । କିନ୍ତୁ ୧୭ ତାରିଖରୁ ପାଗ ସମ୍ପୂର୍ଣ୍ଣ ବଦଳିଯିବ । ୧୯ଟି ଜିଲ୍ଲାରେ ପ୍ରବଳ ଝଡ଼ବର୍ଷା ହେବ । ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ୧୦ରୁ ୧୫ ମିମି ବର୍ଷା ହେବ । ଦକ୍ଷିଣ ପଶ୍ଚିମ ଓଡ଼ିଶାରେ କୋହଲା ପାଗ ଲାଗି ରହିବ । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୧୮.୨ ମିମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବର, କଟକ, ଅନୁଗୁଳ, ସୁନ୍ଦରଗଡ଼, ତାଳଚେର ପ୍ରଭୃତି ସ୍ଥାନରେ ହାଲକା ବର୍ଷା ହୋଇଛି ।