ପୋଲିସ ଡିଜିରୁ ପରିବହନ ସିଏମଡି ! ସରକାରଙ୍କ କଳାପାଣି ସଜାର କାହାଣୀ

72

କନକ ନ୍ୟୁଜ୍ : କେବି ସିଂଙ୍କୁ ପୋଲିସ ଡିଜି ପଦରୁ ହଟାଇ ଓଏସଆରଟିସିର ସିଏମଡି ଭାବେ ଦାୟିତ୍ୱ ଦିଆଯାଇଛି । ଯାହା ଓଡିଶା କ୍ଷେତ୍ରରେ କିଛି ନୂଆ ନୁହେଁ । କାରଣ ପୂର୍ବରୁ ମଧ୍ୟ ଅନେକଥର ଓଡିଶା ପୋଲିସର ସର୍ବୋଚ୍ଚ ପଦବୀରୁ ହଟାଇ ଅଫିସରମାନଙ୍କୁ ଦିଆଯାଇଛି ଓଏସଆରଟିସିର ଦାୟିତ୍ୱ । ଯାହାକୁ କଳାପାଣି ସଜା ବୋଲି ମଧ୍ୟ କୁହାଯାଏ । କାରଣ ରାଜ୍ୟର ଆଇନ ଶୃଙ୍ଖଳା ତଦାରଖ କରୁଥିବା ଜଣେ ଆଇପିଏସ ଅଧାକାରୀଙ୍କ ପାଇଁ ପରିବହନ ବିଭାଗ କଥା ବୁଝିବା ଓ ଏହାର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବା ଭିତରେ ଏକ ବିରାଟ ଅନ୍ତର ରହିଛି ।

ପ୍ରକାଶ ମିଶ୍ର
୨୦୧୪ରେ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟକାଳ ସରିବା ଆଗରୁ ହଟାଇ ଦେଇଥିଲେ ସରକାର । କୁହାଯାଉଛି ସାଧାରଣ ନିର୍ବାଚନ ସମୟରେ ବିଜେଡି ପ୍ରଚାର ଗାଡିରୁ ଟଙ୍କା ଜବତ କରିଥିବାରୁ ତାଙ୍କ ବିରୋଧରେ ଏପରି ପଦକ୍ଷେପ ନିଆଯାଇଥିଲା । ତାଙ୍କ ସ୍ଥାନରେ ସଂଜୀବ ମାରିଙ୍କୁ ମିଳିଲା ନୂଆ ଡିଜିପି ଦାୟିତ୍ୱ ।

ସଂଜୀବ ମାରିକ 
ତେବେ ୨୦୧୫ ମସିହାରେ ତକ୍ରାଳୀନ ପୋଲିସ ମହାନିର୍ଦ୍ଦେଶକ ସଂଜୀବ ମାରିକଙ୍କୁ ମଧ୍ୟ ଲମ୍ବା ଛୁଟିରେ ପଠାଇ ଦିଆଯାଇ ତାଙ୍କ ସ୍ଥାନରେ କେବି ସିଂଙ୍କୁ ଅବସ୍ଥାପିତ କରାଯାଇଥିଲା । ମାରିକଙ୍କ ବିରୋଧରେ ଡିଏସପି ଓ ଏସିପି ବଦଳିରେ ଅନିୟମିତତା ହୋଇଥିବା ଦର୍ଶାଇ ତାଙ୍କ ବିରୋଧରେ ସରକାର କଡା ଆଭିମୁଖ୍ୟ ଦେଖାଇଥିବା ଚର୍ଚ୍ଚା ହୁଏ । ତେବେ ତାଙ୍କୁ ମଧ୍ୟ ବଦଳି କରାଯାଇଥିଲା ଓସଆରଟିସିର ସିଏମଡି ଭାବରେ ।

ବିନୟ ବେହେରା
ବରିଷ୍ଠ ଆଇପିଏସ ଅଫିସର ବିନୟ କୁମାର ବେହେରାଙ୍କୁ ଓଏସଆରଟିସିରୁ ଆଣି କମିଶନରେଟ ପୋଲିସର ଦାୟିତ୍ୱ ଦିଆଯାଇଥିଲା । ତେବେ ବିରଂଚି ଦାସ ହତ୍ୟାକାଣ୍ଡ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ତାକୁ ସଠିକ ଭାବେ ପରିଚାଳନା କରିନପାରିବାରୁ ତାଙ୍କୁ ପୁଣି ଓଏସଆରଟିସିକୁ ପଠାଇ ଦିଆଯାଇଥିବା ଚର୍ଚ୍ଚା ହୁଏ ।

କେବି ସିଂ
ଏବେ ପୁଣି ପାଳି ପଡିଛି କେବି ସିଂଙ୍କର । କୌଣସି କାରଣରୁ ସରକାର ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ମଧ୍ୟ ସେହି ଓସଆରଟିସିକୁ ପଠାଇ ଦେଇଛନ୍ତି ।

ରାଜ୍ୟର ଆଇନ ଶୃଙ୍ଖଳା ତଦାରଖ କରୁଥିବା ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଅଚାନକ ପରିବହନ ବିଭାଗର ଦାୟିତ୍ୱ ଦିଆଯିବା କୌଣସି କଳାପାଣି ସଜାଠାରୁ କମ ନୁହେଁ । କୁହାଯାଉଛି ରାଜନୈତିକ ନିଷ୍ପତିରେ ପରିଚାଳିତ ପୋଲିସ ବିଭାଗର ସର୍ବୋଚ୍ଚ ପଦବୀରେ ବସୁଥିବା ଅଫିସର ବସଙ୍କୁ ଖୁସି କରିନପାରିଲେ ଏଭଳି ଆକ୍ରୋଶର ଶିକାର ହେବାକୁ ପଡେ । ଯାହା ଅନେକଙ୍କ କ୍ଷେତ୍ରରେ ଘଟିଛି ।

ଚର୍ଚ୍ଚା ଏଭଳି ବି ହେଉଛି ଯେ, ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କ ବିରୋଧରେ ମିଥ୍ୟା ମାମଲା କରି କେବି ସିଂ ଯେଉଁଭଳି ତାଙ୍କ ପାଇଁ ଖାଲ ଖୋଳିଥିଲେ ଏବେ ସେ ତାର ଫଳ ଭୋଗିଛନ୍ତି । ଆଉ ପୋଲିସ ଡିଜି ପଦରୁ ସିଧାଯାଇ ପହଂଚିଛନ୍ତି ପରିବହନ ବିଭାଗ ଦାୟିତ୍ୱରେ ଯେଉଁ ବିଭାଗରେ ମଧ୍ୟ ରହିଥିଲେ ପ୍ରକାଶ ମିଶ୍ର ।