ଡାକ୍ତର ବନାମ ଡାଇରେକ୍ଟର୍ ! ଅଶାନ୍ତ ବୁର୍ଲା ମେଡିକାଲ୍ କଲେଜ୍

25

କନକ ବ୍ୟୁରୋ : କାଲି ରୋଗୀଙ୍କ ସଂପର୍କୀୟଙ୍କୁ ମାଡ଼ । ଆଜି ଭିମସାର ନିର୍ଦ୍ଦେଶକଙ୍କୁ ଢେଳାପଥର ମାଡ଼ । ବୁର୍ଲା ମେଡ଼ିକାଲ କଲେଜର ପିଜି ଛାତ୍ରଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ । ଆଉ ଏହାକୁ ନେଇ ବୁର୍ଲା ସହରରେ ଦେଖିବାକୁ ମିଳିଛି ଉତ୍ତେଜନା । ନିର୍ଦ୍ଦେଶକଙ୍କ ସମର୍ଥନରେ ବାହାରି ଆସିଛନ୍ତିି ସ୍ଥାନୀୟ ଲୋକଙ୍କ ସମେତ ଓକିଲ ସଂଘ ଏବଂ ନାଗରିକ ମଂଚ । ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଡିଆଇଜି ଅଫିସ ଘେରାଉ କରିବା ସହ ରାସ୍ତାରୋକ୍ କରିଛନ୍ତି । ଠିକ୍ ଏହି ସମୟରେ ସାମ୍ନାସାମ୍ନି ହୋଇଥିଲେ ପୁଲିସ୍-ଜନତା । ଆଉ ପୁରା ଘଟଣାର ପଛରେ ଥିଲା ଶୁକ୍ରବାର ରାତିର ଘଟଣା ।

ରୋଗୀଙ୍କୁ ନେଇ ମେଡ଼ିକାଲ ପହଂଚିଥିଲେ ଜଣେ ସଂପର୍କୀୟ । ଦୀର୍ଘ ସମୟ ଧରି ଚିକିତ୍ସା ନହେବାରୁ ନିଜ ମୋବାଇଲରେ ଆରମ୍ଭ କରିଦେଲେ ରେକର୍ଡିଂ । ଆଉ ଏନେଇ ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିବା ନେଇ କହିବାରୁ ଆରମ୍ଭ ହୋଇଗଲା ଠେଲାପେଲା । ୨ଜଣ ପିଜି ଛାତ୍ର ରୋଗୀଙ୍କ ଆଟେଡେଂଟ୍ ଜଣକୁ ମାଡ଼ ମାରିଥିବା ଅଭିଯୋଗ ହେଲା ।

ରୁଣ୍ଡ ହୋଇ କିଛି ପିଜିଛାତ୍ର ପହଂଚିଯାଇଥିଲେ ନିର୍ଦ୍ଦେଶକଙ୍କ ବାସଭବନ ନିକଟକୁ । ଆରମ୍ଭ ହୋଇଗଲା ଅଭଦ୍ର ଭାଷାରେ ଗାଳିଗୁଳଜ ଏବଂ ଢେଳାପଥର ମାଡ଼ । ଏମିତିକି ଭିମସାର ନିର୍ଦ୍ଦେଶକଙ୍କୁ ଜୀବନକୁ ମାରିଦେବା ପାଇଁ ଧମକ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଆଉ ରାତିପାହିଲା ବେଳକୁ ପବନ ବେଗରେ ବୁର୍ଲା ଏବଂ ସମ୍ବଲପୁର ସହରକୁ ବ୍ୟାପି ଯାଇଥିଲା ପୁରା ଖବର । ସ୍ଥାନୀୟ ଲୋକ ଏକତ୍ରିତ ହୋଇ ବାହାରି ଆସିଥିଲେ ନିର୍ଦ୍ଦେଶକଙ୍କ ସମର୍ଥନରେ । ଡିଆଇଜି ଅଫିସ ଘେରାଉ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।

ଲୋକଙ୍କ ପ୍ରତିକ୍ରିୟା ଦେଖି ସଫେଇ ଦେବାକୁ ବାହାରି ଆସିଥିଲେ ବୁର୍ଲା ମେଡ଼ିକାଲର ପିଜି ଛାତ୍ର । ସାମ୍ବାଦିକ ସମ୍ମିଳନୀକରି ସବୁ ଅଭିଯୋଗକୁ ଖଣ୍ଡନ କରି ଦେଇଥିଲେ । ଭିମସାର ନିର୍ଦ୍ଦେଶକଙ୍କ ପ୍ରତି ଛାତ୍ର ଏବଂ ଡାକ୍ତରଙ୍କ ଅସନ୍ତୋଷ ଥିବା ସ୍ପଷ୍ଟ ବାରିି ହେଉଛି । ଆଉ ଏହା ପଛରେ ରହିଛି ୨ଟି ପ୍ରମୁଖ କାରଣ । ମେଡ଼ିକାଲ କଲେଜରେ ଅନୁଶାସନକୁ କଡ଼ାକଡ଼ି କରିବା । ଏବଂ ଯେଉଁ ଡାକ୍ତରମାନେ ଡ୍ୟୁଡି ଆୱାରରେ ନିଜ କାମଛାଡ଼ି ଘରୋଇ ଚିକିତ୍ସା କରୁଛନ୍ତି ତାଙ୍କୁ ଷ୍ଟିଙ୍ଗ ଅପରେସନ୍ ଜରିଆରେ ସେମାନଙ୍କ ମୁଖା ଖୋଲିଦେବା ।

ଏବେ କୁହାଯାଉଛି- ନିର୍ଦ୍ଦେଶକଙ୍କୁ ଆକ୍ରମଣ ପଛରେ କିଛି ଡାକ୍ତର, ପିଜି ଛାତ୍ରଙ୍କୁ ଉସୁକାଉଛନ୍ତି! । ପ୍ରଶ୍ନ ଉଠୁଛି, ଯେଉଁ ଡାକ୍ତରମାନେ ଛାତ୍ରଙ୍କୁ ମତାଉଛନ୍ତି-ସେମାନେ କାହା ସ୍ୱାର୍ଥରେ ଏଭଳି କରୁଛନ୍ତି ?