ଭାରତର ଭୁସ୍ୱର୍ଗ କାଶ୍ମୀରରୁ ଆସିଲା ଛାତି ଥରାଇଦେଲା ଭଳି ଘଟଣା ! ସ୍କୁଲ ପିଲାଙ୍କୁ ଟାର୍ଗେଟ କଲେ, ପଥର ପକାଇ ମୁଣ୍ଡ ଫଟାଇଲେ

58

ଜାମ୍ମୁ-କାଶ୍ମୀରରୁ ଆସିଛି ଅଭାବନୀୟ ଚିତ୍ର । ଯେତେବେଳେ ଏକ ସ୍କୁଲ ବସ ଉପରକୁ ହୋଇଛି ପଥର ମାଡ । ମାନବିକତାର ସବୁ ସୀମା ଟପିଯାଇ ଛୋଟଛୋଟ ସ୍କୁଲ ପିଲାଙ୍କ ଉପରକୁ ପଥର ମାଡ କରିଛନ୍ତି ପ୍ରଦର୍ଶନକାରୀ । ଜାମ୍ମୁ-କାଶ୍ମୀରେ ପଥର ମାଡ କରି ଅଶାନ୍ତି ସୃଷ୍ଟି କରିବା ଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଥିବାବେଳେ ଆଜିର ଘଟଣା ସବୁ ସୀମା ସରହଦ ଟପିଯାଇଛି । କାରଣ ଟେକା ପଥର ମାଡରେ ଦୁଇଜଣ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ପଥର ମାଡରେ ଜଣେ ଛାତ୍ରର ମୁଣ୍ଡ ଫାଟିଯାଇଛି । ଏଭଳି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ପରେ ଲୋକଙ୍କ ଭିତରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଛି ।

କେଉଁ ଉଦ୍ଦେଶ୍ୟରେ ଛୋଟଛୋଟ ସ୍କୁଲ ପିଲାଙ୍କୁ ଟାର୍ଗେଟ କରାଯାଉଛି ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାମ୍ମୁ-କାଶ୍ମୀର ସୋପିଆଁ କାନିପୋରା ଗାଁରେ ପ୍ରାୟ ୫୦ ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ରେନବୋ ଇଂଟରନ୍ୟାସନାଲ ସ୍କୁଲ ବସ ଉପରକୁ ଅଚାନକ ଟେକା ପଥର ମାଡ କରିଥିଲେ ପ୍ରଦର୍ଶନକାରୀ । ଅଭିଯୋଗ ହେଉଛି କାଶ୍ମୀର ଘାଟିରେ ଅଶାନ୍ତି ପାଇଁ ଯୁବକମାନଙ୍କୁ ମତାଇ ପ୍ରତିଦିନ ଏଭଳି ଟେକା ପଥର ମାଡ ହେଉଛି । ଏପରିକି ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକର ସହାୟତା ଓ ଆର୍ଥିକ ପ୍ରୋତ୍ସାହନରେ ଏଭଳି କାଣ୍ଡ କରାଯାଉଛି ।

ତେବେ ଆଜିର ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଘଟଣା ପରେ ମୁଫତି ଟ୍ୱିଟ କରି କହିଛନ୍ତି ଏହି ଘଟଣା ତାଙ୍କୁ ଉତକ୍ଷିପ୍ତ କରିଛି । ଏହା ଅତି ସମ୍ବେଦନହୀନ ଓ କାପୁରୁଷତାର କାମ ବୋଲି ସେ ଟ୍ୱିଟରରେ ଲେଖିଛନ୍ତି । ଏଥିସହ ଦେଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା ଟ୍ୱିଟ କରି ଲେଖିଛନ୍ତି ଯେ, ଛୋଟଛୋଟ ସ୍କୁଲ ପିଲା ଓ ପର୍ଯ୍ୟଟକଙ୍କ ବସକୁ ଟାର୍ଗେଟ କରି ଏହି ପଥର ଫିଙ୍ଗାଳିଙ୍କ ଉଦ୍ଦେଶ୍ୟ କିଭଳି ସାଧନ ହେଉଛି? ସମସ୍ତ ଏଭଳି କାଣ୍ଡକୁ ନିନ୍ଦା କରିବା ଉଚିତ ।