୧୦୯ ବର୍ଷ ପରେ ଚଳଚଞ୍ଚଳ ହେଲା ବକୁଳବନ । ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।

85

କନକ ବ୍ୟୁରୋ: ପଂଚସଖାଙ୍କ କର୍ମଭୂମି ସତ୍ୟବାଦୀର ବକୁଳ ବନରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ । ଏନେଇ ବିଶ୍ୱବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଂଚସଖାଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ବକୁଳ ବନରେ ୩୦ ଜିଲ୍ଲାରୁ ଆସିଥିବା ବକୁଳ ବୃକ୍ଷ ରୋପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ଏହି ଐତିହାସିକ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇଛନ୍ତି । ୧୯୦୯ ରେ ପଂଚସଖା ସତ୍ୟବାଦୀରେ ଗଢ଼ିଥିଲେ ବକୁଳ ବନ ବିଦ୍ୟାଳୟ, ଆଉ ୧୦୯ ବର୍ଷ ପରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ୱପ୍ନ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷାର ପ୍ରସାର, ପ୍ରଚାର ସହ ଉଚ୍ଚତର ଗବେଷଣା ପାଇଁ କାର୍ଯ୍ୟ କରିବ ।

ପୁରୀ ଜିଲ୍ଲା ସତ୍ୟବାଦୀ ବକୁଳବନରେ ହେବ ଓଡିଆ ବିଶ୍ୱ ବିଦ୍ୟାଳୟ । ପଞ୍ଚସଖାଙ୍କ କର୍ମଭୂମୀ ବନବିଦ୍ୟାଳୟ ପୁଣି ହୋଇ ଉଠିବ ଚଳଚଞ୍ଚଳ । ଓଡିଆ ଭାଷା, ସାହିତ୍ୟ ସଂସ୍କୃତିର ଉଚ୍ଚତର ଗବେଷଣା କ୍ଷେତ୍ରରେ ଏହା କାମ କରିବ । ଆଜି ପଣ୍ଡିତ ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଛନ୍ତି। ଓଡିଆ ଭାଷା ସାହିତ୍ୟର ବିକଶିତ ଧାରାରେ ଅୟମାରମ୍ଭ ଲକ୍ଷ୍ୟ ନେଇ ପ୍ରତିଷ୍ଠା ହେବାକୁ ଯାଉଛି ଓଡିଆ ବିଶ୍ୱବିଦ୍ୟାଳୟ  । ତେବେ ଏହା ମାଧ୍ୟମରେ ଓଡିଆ ଭାଷାର ଅଗ୍ରଗତି ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।

“ଓଡ଼ିଆ ବିଶ୍ୱବିଦ୍ୟାଳୟ ନବଜାଗରଣ ସୃଷ୍ଟି କରିବ । ପ୍ରଥମ ଭାଷାବିତ୍ ରାଜ୍ୟ ହେଉଛି ଓଡ଼ିଶା । ପଞ୍ଚସଖାଙ୍କ ଜନ୍ମ ତିଥିରେ ଏହାର ଶିଳାନ୍ୟାସ କରି କରି ମୁଁ ବହୁତ ଖୁସି ଅନୁଭବ କରୁଛି” । ପଣ୍ଡିତ ଗୋପବନ୍ଧୁ ତ୍ୟାଗ, ସଂଗ୍ରାମ ଓ ସେବାର ପ୍ରତୀକ ଥିଲେ । ତେଣୁ ତାଙ୍କ ଜାତି ପ୍ରୀତିର ତୁଳନା ନାହିଁ । ଏହି ବିଶ୍ୱବିଦ୍ୟାଳୟ ହେବା ଦ୍ୱାରା ଓଡ଼ିଆ ଭାଷାର ପ୍ରଚାର ପ୍ରସାର ସହ, କଳା ସାହିତ୍ୟ ଓ ସଂସ୍କୃତିର ଅଗ୍ରଗତି ହୋଇପାରିବ । ଆପଣଙ୍କ ଆର୍ଶୀବାଦ ରହିଲେ ପ୍ରଗତିର ନନ୍ଦିଘୋଷ ଗଡ଼ିଚାଲିବ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କହିଛନ୍ତି ।