ନିହାଣ ମୁନର ଯାଦୁଗର : ମହେଶ୍ୱରଙ୍କ ସ୍ପର୍ଶରେ ପଥର ନିଏ ଜୀବନ୍ତ ରୂପ

125

vlcsnap-2016-09-19-17h26m40s966କନକ ବ୍ୟୁରୋ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଛତିଆ ଗାଁର ପଥର ଶିଳ୍ପୀ ମହେଶ୍ୱର ଓଝା । ୪୮ ବର୍ଷୀୟ ମହେଶ୍ୱର ମାତ୍ର ୧୫ବର୍ଷ ବୟସରେ ନିଜ ଜେଜେବାପା ଶିଳ୍ପୀ ବୀର ଓଝାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ନିହାଣ ହାତୁଡି ଧରି ଆରମ୍ଭ କରିଥିଲେ ଶିଳ୍ପୀ ଜୀବନ । ରାଜ୍ୟ ହସ୍ତତନ୍ତ ତାଲିମ ଶିବିର ତରଫରୁ ତିନି ବର୍ଷିଆ ତାଲିମ ନେଇ ପଥର ଶିଳ୍ପରେ ସେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ପରେ ତାଙ୍କୁ ସୁନ୍ଦରଗଡରେ ରାଜ୍ୟସ୍ତରୀୟ ପଥର ଶିଳ୍ପ ତାଲିମ କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବାକୁ ନିଯୁକ୍ତି ମିଳିଥିଲା ।

ମାତ୍ର ସେଠାରେ ତାଙ୍କୁ ମିଳି ନଥିଲା ଆତ୍ମସନ୍ତୋଷ । ସେଠାରୁ ଫେରି ନିଜ ଗାଁ ଛତିଆରେ ଶିଳ୍ପ ଗ୍ରାମ୍ୟ ସମବାୟ ସମିତି ଗଢିଥିଲେ । ଏହି ସମିତିରେ ଅନେକ ପଥର ଶିଳ୍ପୀ ନିୟୋଜିତ ହୋଇ ଜୀବିକା ନିର୍ବାହ କରୁଛନ୍ତି । ପଦ୍ମବିଭୂଷଣ ଡକ୍ଟର ରଘୁନାଥ ମାହାପାତ୍ରଙ୍କୁ ଆଦର୍ଶ ମାନୁଥିବା ମହେଶ୍ୱର ନିଜ ଅଂଚଳର ବେକାର ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।

vlcsnap-2016-09-19-17h30m26s221ମୂର୍ତୀ ନିର୍ମାଣ ପାଇଁ ମହେଶ୍ୱର ଖୋର୍ଦ୍ଧା, ମୟୁରଭଂଜ, ବାଲେଶ୍ୱର ଆଦି ଅଂଚଳରୁ ପଥର ଆଣିଥାନ୍ତି । ମୂର୍ତୀ ତିଆରି କରି ସେ କେବଳ ନିଜ ଅଂଚଳ ନୁହେଁ ରାଜ୍ୟର ଅନେକ ସ୍ଥାନକୁ ମୂର୍ତୀ ଯୋଗାଇଥାନ୍ତି । ପଥରକୁ ଜୀବନ୍ତ ରୂପ ଦେବାରେ ମହେଶ୍ୱରଙ୍କ ନିହାଣ ମୁନର ଚମକ ତାଙ୍କ ମୂର୍ତୀରେ ପ୍ରମାଣିତ ହୋଇଛି । ଏହାଛଡା ରାଜ୍ୟ ଓ ରାଜ୍ୟ ବାହାରର ଅନେକ ମନ୍ଦିରରେ ପଥର କଳାକୃତିଗୁଡିକୁ ତାଙ୍କ ନିହାଣ ମୁନରେ ଜୀବନ୍ତ କରି ପାରିଛନ୍ତି ମହେଶ୍ୱର ।

vlcsnap-2016-09-19-17h28m35s273ପଥର ଶିଳ୍ପୀ ଭାବେ ସେ ପାଇଛନ୍ତି ଅନେକ ସମ୍ମାନ । ୨୦୧୦ ରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ମାନୀତ କରିବା ସହ ୨୦୧୨ ମସିହାରେ ମହେଶ୍ୱର ପାଇଥିଲେ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର । ମହେଶ୍ୱରଙ୍କ ପାଇଁ ଜିଲ୍ଲାବାସୀ ଗର୍ବିତ ବୋଲି କହନ୍ତି ସ୍ଥାନୀୟ ବିଧାୟକ ।
କଠୋର ପରିଶ୍ରମ ଓ ନିରବଚ୍ଛିନ୍ନ ସାଧନା ପାଇଁ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ପଥର ଶିଳ୍ପୀ ମହେଶ୍ୱରଙ୍କୁ ସରକାରୀ ପ୍ରୋତ୍ସାହନ ମିଳିଲେ ଏହି କଳାର ଅଧିକ ବିକାଶ ହୋଇପାରିବ ।

ଦେଖନ୍ତୁ ମହେଶ୍ୱରଙ୍କ ଶିଳ୍ପୀ ହାତର କରିସ୍ମା ଏହି ଭିଡିଓରେ-