ଦୀର୍ଘମିଆଦୀ କ୍ୟାପିଟାଲ୍ ଗେନ୍ ଉପରେ ଟିକସ ଘୋଷଣା : ଚିନ୍ତାରେ ପଡିଲେ ନିବେଶକ

24

କନକ ବ୍ୟୁରୋ :  ସେୟାର ମାର୍କେଟରେ ନିବେଶ କରିଥିଲେ ଏକ କୋଟି ଟଙ୍କା । ହେଲେ ବଜେଟ ପରେ ସେନସେକ୍ସରେ ଯେଉଁ ଝଡ ଉଠିଲା, ସେଥିରେ ୧୫ ଲକ୍ଷ ଟଙ୍କା ହରାଇଛନ୍ତି ମାଥ୍ୟୁ । ଚାଟାର୍ଡ ଆକାଉଂଟାଟ ଛାତ୍ର ରୋହିତ ସେୟାର ମାର୍କେଟରେ ଦୁଇ ଲକ୍ଷ ଟଙ୍କା ନିବେଶ କରିଥିଲେ । ଆଉ ବଜେଟ ଝଡରେ ହରାଇଛନ୍ତି ୪୦ ହଜାର ଟଙ୍କା । ସେନସେକ୍ସର ଏହି ହାବଭାବ ଦେଖି ରୋହିତ୍ କହିଛନ୍ତି, ଏଣିକି ନିବେଶ କରିବା ଆଗରୁ ହଜାରେ ଥର ଚିନ୍ତା କରିବି ।

ମ୍ୟୁଚୁଆଲ ଫଣ୍ଡ ବା ଦୀର୍ଘମିଆଦୀ କ୍ୟାପିଟାଲ ଗେନ ଉପରେ କେନ୍ଦ୍ର ସରକାର ୧୦ ପ୍ରତିଶତ ଟାକ୍ସ ଲଦିଦେବାରୁୁ ଷ୍ଟକ ଏକ୍ସଚେଂଜ୍ ଭୟଙ୍କର ଭାବେ ହଇଚଇ ସୃଷ୍ଟି ହୋଇଛି । ବଜେଟରେ ଏହି ପ୍ରାବଧାନ ଲୋକଙ୍କ ପକେଟରୁ ୫ ଲକ୍ଷ କୋଟି ନେଇଯାଇଛି । ଆଉ ଅନୁମାନ କରାଯାଉଛି ସୋମବାର ମଧ୍ୟ ଏହି ସ୍ଥିତି ଲାଗି ରହିପାରେ । ଯାହା ଏବେ ନିବେଶକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

ଯଦି ଆପଣ ସେୟାର ମାର୍କେଟରେ ଦୁଇ ଲକ୍ଷ ଟଙ୍କା ନିବେଶ କରିଛନ୍ତି ଆଉ ବର୍ଷକ ପରେ ଏହା ତିନିଲକ୍ଷ ଟଙ୍କା ହୋଇଛି, ତେବେ କେନ୍ଦ୍ର ସରକାରଙ୍କ ନୁତନ ନିୟମ ଅନୁଯାୟୀ ଲାଭାଂଶ ଉପରେ ୧୦ ପ୍ରତିଶତ ଟିକସ ଦେବାକୁ ପଡିବ । ଶୁକ୍ରବାର ଷ୍ଟକ୍ ଏକ୍ସଚେଂଜର ମାଡ ସୋମବାର ଯଦି ଜାରି ରୁହେ, ତେବେ ନିବେଶକଙ୍କ ପାଇଁ ଅଡୁଆ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।