ଗୁମର ଖୋଲିଲେ ଡ୍ରାଇଭର୍ ! ଷ୍ଟିଂଗ୍ ଅପରେସନରୁ ସାମ୍ନାକୁ ଆସିଲା ରାମରହିମଙ୍କ କଳା କାରନାମା

28

କନକ ବ୍ୟୁରୋ : ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଧୀରେ ଧୀରେ ଖୋଲୁଛି ବାବା ରାମରହିମଙ୍କ ଅପରାଧର ଗୁମର । ବାବା ରାମରହିମଙ୍କ ପ୍ରକୃତ କଥା ଜାଣିବାକୁ ଏକ ଘରୋଇ ନ୍ୟୁଜ ଚ୍ୟାନେଲ ତରଫରୁ ଷ୍ଟିଂଗ ଅପରେସନ କରାଯାଇଥିଲା । ଆଉ ଏଥିରେ ବାବା ରାମ ରହିମଙ୍କ ଘନିଷ୍ଠ କୁହାଯାଉଥିବା ଡ୍ରାଇଭର ଖଟ୍ଟା ସିଂ ବାବାଙ୍କ କାରନାମା ବାବଦରେ ସବୁକିଛି କହିଥିଲା ।

ଖଟ୍ଟା ସିଂ ୨୦୦୬ ମସିହାରେ ସିବିଆଇ ଆଗରେ ବୟାନ ଦେଇଥିଲା । ଏହି ବୟାନରେ ଖଟ୍ଟା ସିଂ ମାନିଥିଲା ଯେ ବାବା ନିଜ ଶିଷ୍ୟ ରଂଜିତକୁ ହତ୍ୟା କରିଥିଲେ । ରଂଜିତ ସେହି ଝିଅର ଭାଇଥିଲା ଯାହା ସହ ବଳାତ୍କାର କରାଯାଇଥିଲା । ଆଉ ଭଉଣୀ ନିଜର ସବୁ କଥା ଭାଇ ରଂଜିତକୁ କହିଥିଲା । ରାମରହିମଙ୍କୁ ସନ୍ଦେହ ଥିଲା ଯେ ପ୍ରଧାନମନ୍ତ୍ରୀଙ୍କୁ ଗୁପ୍ତ ଚିଠି ରଂଜିତ ହିଁ ଲେଖିଥିଲା । ଆଉ ସେଥିପାଇଁ ତାହାର ହତ୍ୟା କରାଯାଇଥିଲା ।

ଆସନ୍ତାକାଲି ବଳାତ୍କାର ବାବା ରାମରହିମଙ୍କ ବିରୋଧରେ ହେବ ଦଣ୍ଡ ଶୁଣାଣି । ଗୁରମିତ ରାମରହିମଙ୍କ ଦଣ୍ଡାଦେଶ ପାଇଁ ରୋହତକ ଜେଲରେ ବସିବ କୋର୍ଟ । ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ନିର୍ଦ୍ଦେଶ ନାମା ଜାରି କରିବା ପରେ ହରିୟାଣା ରୋହତକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତିଟି ଗଳି କନ୍ଦିରେ ସୁରକ୍ଷା ବାହିନୀ ମୂତୟନ ହୋଇଛନ୍ତି । ପାରା ମିଲିଟାରି ଫୋର୍ସର ୨୮ କମ୍ପାନୀ ସୁରକ୍ଷା ବଳ ମୂତୟନ ରହିବେ । ରୋହତକ ଜିଲ୍ଲାରେ ୧୪୪ ଧାରା ଜାରି ହୋଇଛି । ତେଣୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନକରିବାକୁ ଡେରା ସମର୍ଥକଙ୍କୁ ଅପିଲ କରିଛନ୍ତି ରୋହତକ ପୁଲିସ ଆଇଜି । କୌଣସି ସ୍ଥାନରେ ୫ରୁ ୭ ଜଣ ଲୋକ ଏକତ୍ରିତ ନ ହେବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି । କୌଣସି ପ୍ରକାର ପରିସ୍ଥିତି ପାଇଁ ରାଜ୍ୟ ପୁଲିସ ପୁରା ସଜାଗ ରହିଥିବା ସେ ସୂଚନା ଦେଇଛନ୍ତି ।

ସେପଟେ ସିର୍ସାରେ ଥିବା ଡେରା ସଚା ସୌଦା ମୁଖ୍ୟାଳୟ ଭିତରେ ଏବେ ବି ରାମ ରହିମଙ୍କ ୩୦ ହଜାର ସମର୍ଥକ ଅଛନ୍ତି । ପ୍ରାୟ ହଜାରେ ଏକର ଜମିରେ ତିଆରି ହୋଇଥିବା ମୁଖ୍ୟାଳୟକୁ ପୋଲିସ ଓ ସେନା ଜଗି ରହିଛନ୍ତି । ସମର୍ଥକମାନେ ମୁଖ୍ୟାଳୟ ବାହାରକୁ ବାହାରିବାକୁ ମନା କରୁଛନ୍ତି । ପଞ୍ଜାବର ରାଜଧାନୀ ଚଣ୍ଡୀଗଡରୁ ୨୫୦ କିଲୋମିଟର ଦୂରରେ ଏହି ମୁଖ୍ୟାଳୟ ରହିଛି । ବଳାକ୍ରାର ମାମଲାରେ ଦୋଷୀ ରାମ ରହିମଙ୍କୁ କାଲି କୋର୍ଟ ଦଣ୍ଡାଦେଶ ଶୁଣାଇବେ । ଏଥିପାଇଁ ରୋହତକ ସମେତ ହରିୟାଣାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।