କ୍ୟାମେରା ଧରିଲା ପୋଲିସ ବାବୁଙ୍କ କାରନାମା: ଦୁର୍ଘଟଣାଗ୍ରସ୍ତ ଗାଡି ମାଲିକଙ୍କଠାରୁ ଧାରା କୋହଳ କରିବା ନାଁରେ ଲାଂଚ ମାଗୁଥିଲେ ରେଲୱେ ଏଏସଆଇ

37

କନକ ବ୍ୟୁରୋ: ଷ୍ଟିଙ୍ଗ ଅପରେସନରେ ଧରାପଡିଲା ରେଳବାଇ ଏ.ଏସ.ଆଇଙ୍କ କଳା କାରନାମା । ଦୁର୍ଘଟଣାଗସ୍ତ ହୋଇଥିବା ଗାଡିର ଗାଡି ମାଲିକଙ୍କଠାରୁ ଧାରା କୋହଳ କରିବା ନାଁରେ ମୋଟା ଆକାରର ଟଙ୍କା ମାଗୁଥିଲେ ଏଏସଆଇ । ଆଉ ବାର୍ତାଳାପକୁ କୌଶଳ କରି ମୋବାଇଲରେ କଏଦ କରିଥିଲେ ଗାଡି ମାଲିକ । ଘଟଣା ଘଟିଥିଲା ଚଳିତ ବର୍ଷ ମେ ମାସ ୨୮ ତାରିଖରେ । ଉମରକୋଟରୁ ଭୁବନେଶ୍ୱର ଯାଇଥିଲା ଏକ ଟାଟା ସଫାରୀ ଗାଡି । ଆଉ ଗାଡିଟି ଭବାନୀପାଟଣା ନିକଟସ୍ଥ ରେଳୱେ କ୍ରସିଂରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଗାଡିକୁ ଜବତ କରି ଭବାନୀପାଟଣା ଷ୍ଟେସନରେ ରଖାଯାଇଥିଲା । ଆଉ ଏଠାରେ କାର୍ଯ୍ୟରତ ଏ.ଏସ.ଆଇ ବି. ପାଣିଗ୍ରାହୀ ଗାଡି ମାଲିକ ସୁଧାଂଶୁ ଦାସଙ୍କୁ ଡାକି ଆରମ୍ଭ କରିଥିଲେ ମୁଲଚାଲ । ବହୁ ସମୟ ପରେ ଗାଡି ମାଲିକ ୧୦ ହଜାର ଟଙ୍କା ଦେବାକୁ କହିଥିଲେ । କିନ୍ତୁ ଏ.ଏସ.ଆଇ ଗାଡି ମୂଲ୍ୟର ଅଧା ଦେଲେ ଧାରା କୋହଳ କରିବାକୁ କହିଥିଲେ । ଏହା ପରେ ଗାଡି ମାଲିକ ଦଶ ହଜାର ଟଙ୍କା ଦେଇଥିବା କନକ ନ୍ୟୁଜ୍କୁ କହିଛନ୍ତି ।

ଗାଡିର ଅଧା ଦାମ୍ ପାଇବାକୁ ସେ ଗାଡି ଆର.ସିର ସ୍ମାର୍ଟ କାର୍ଡକୁ ମଧ୍ୟ ଲୁଚାଇ ଦେଇଥିଲୋ ପରେ ଗାଡି ମାଲିକ ଆରଟିଓ ନବରଙ୍ଗପୁର ଅଫିସରୁ ନକଲି ଆର.ସି ବାହାରକରି ଗାଡିଟିକୁ ବାହାର କରିଥିଲେ । ଏହା ପରେ ବି ସଂପୃକ୍ତ ପୋଲିସ ବାବୁ ଟଙ୍କା ପାଇବା ପାଇଁ ବାରମ୍ବାର ଗାଡି ମାଲିକଙ୍କୁ ଫୋନ କରୁଥିବାରୁ ସେ ମାନସିକ ଚାପରେ ରହିଥିବା ମଧ୍ୟ କହିଛନ୍ତି ।