ବିଜେପି ନେତାଙ୍କ ଗ୍ୟାଙ୍ଗଷ୍ଟର ଲିଙ୍କ୍, ପଚରାଉଚରା କଲା ଏସଟିଏଫ୍! ପ୍ରଶ୍ନ ଉଠାଇଲା ବିଜେପି

248

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଲିଙ୍କରେ ବିଜେପି ନେତା । ବିଜେପି ନେତା ଭୁବନ ଜେନାଙ୍କ ଗ୍ୟାଙ୍ଗଷ୍ଟାର ଟିଟୋ ଲିଙ୍କ ନେଇ ପଚରା ଉଚରା କରିଛି ଏସଟିଏଫ । ଭୁବନ କହିଛନ୍ତି ସେ ରାଜନୈତିକ ଆକ୍ରୋଶର ଶିକାର ହୋଇଛନ୍ତି । ସରକାରୀ ଦଳର ନେତାଙ୍କ ବିରୋଧରେ ଅଭିଯୋଗ ଥିଲେ ମଧ୍ୟ ସେମାନଙ୍କୁ ପଚରା ଉଚରା କାହିଁକି କରାଯାଉନାହିଁ ବୋଲି ପଚାରିଛନ୍ତି ଭୁବନ ।

ଗ୍ୟାଙ୍ଗଷ୍ଟର ଟିଟୋ ସହ ଲିଙ୍କ ନେଇ ବିଜେପି ନେତା ଭୁବନ ଜେନାଙ୍କୁ ୧୬୦ ନୋଟିସ ଆଧାରରେ ଏସଟିଏଫକୁ ଡକାଇ ପଚରା ଉଚରା କରିଛି କ୍ରାଇମବ୍ରାଂଚ । ଭୁବନଙ୍କର ଟିଟୋ ସହିତ କି ପ୍ରକାରର ଲିଙ୍କ ରହିଛି ତାହା ଜାଣିବାକୁ ଚାହିଁଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ବିଜେପି ନେତାଙ୍କର ଗ୍ୟାଙ୍ଗଷ୍ଟର ଟିଟୋ ସହିତ ଲିଙ୍କ ଥିବା ନେଇ ଏସଟିଏଫ ପ୍ରାଥମିକ ସୁରାକ ପାଇଥିବା ନେଇ ଚର୍ଚ୍ଚା ହେଉଛି । ଆଉ ଟିଟୋ ବାବଦରେ ପଚରା ଉଚରା ପରେ ଭୁବନଙ୍କୁ ଛାଡି ଦେଇଛି ଏସଟିଏଫ । ତେବେ ଏହା ତାଙ୍କ ବିରୋଧରେ ଏକ ରାଜନୈତିକ ଆକ୍ରୋଶ ବୋଲି କହିଛନ୍ତି ଭୁବନ ।

ଗୋଟିଏ ପଟେ ଚାଲିଥିଲା ଭୁବନଙ୍କୁ ପଚରା ଉଚରା । ଆଉ ସେପଟେ ଏସଟିଏଫ ଅଫିସ ଆଗରେ ନାରାବାଜି ଦେଇଥିଲେ ଭୁବନଙ୍କ ସମର୍ଥକ । ଟିଟୋ ସହ ଶାସକ ଦଳର ବ୍ୟକ୍ତି ବିଶେଷଙ୍କ ସମ୍ପୃକ୍ତି ଥିଲେ ବି ସେମାନଙ୍କୁ ଜେରା ନକରି କାହିଁକି ବିଜେପି ନେତାଙ୍କୁ ଟଣାଯାଉଛି ବୋଲି ପାଲଟା ପ୍ରଶ୍ନ କରିଛି ବିଜେପି । ଏସଟିଏଫ ଏବେ ଇଟିିଏଫ ବା ଇଲେକ୍ସନ ଟାକ୍ସଫୋର୍ସରେ ପରିଣତ ହୋଇଛି ବୋଲି କହିଛନ୍ତି ଭୁବନ ।

କେନ୍ଦ୍ରାପଡାରୁ କୋଲକାତା ପର୍ଯ୍ୟନ୍ତ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ଗ୍ୟାଙ୍ଗଷ୍ଟର ଟିଟୋକୁ ଏନକାଉଣ୍ଟର କରି ଗିରଫ କରିବା ପରେ ବାଲିଘାଟ ଟେଣ୍ଡର ଫିକ୍ସିଂ ଓ ରାଜନେତାଙ୍କ ଲିଙ୍କ ନେଇ ସୁରାଗ ପାଇଛି ଏସଟିଏଫ । ତେବେ ଟିଟୋର କେଉଁମାନେ ଘନିଷ୍ଠ ଥିଲେ ଏବଂ ଏହି ଲିଙ୍କରେ ଏସଟିଏଫ କାହାକୁ ହାତକଡି ପିନ୍ଧାଉଛି ଏବେ ତା ଉପରେ ସମସ୍ତଙ୍କ ନଜର ।