ଗ୍ୟାଙ୍ଗଷ୍ଟରର ହାଇଟେକ୍ ଅପରେସନକୁ ନେଇ ଚର୍ଚ୍ଚା ! ଆଇଟି ସେଲ୍ ଜରିଆରେ ଟିଟୋ ଚଳାଇଥିଲା ଅପରାଧର ନେଟୱର୍କ, ସହଯୋଗୀ ସରୋଜ ପତି ଥିଲା ଆଇଟି ସେଲ୍ ମୁଖ୍ୟ ।

33

କନକ ବ୍ୟୁରୋ : ଟିଟୋ ଗ୍ୟାଙ୍ଗର ହାଇଟେକ୍ ଅପରେସନ୍ । ଗ୍ୟାଙ୍ଗଷ୍ଟର ଖୋଲିଥିଲା ନିଜର ଆଇଟି ସେଲ୍ । ଟିଟୋ ଆଇଟି ସେଲର ମୁଖ୍ୟ ଥିଲା ସରୋଜ ପତି । ଅଗଷ୍ଟ ୨୨ ତାରିଖ ଦିନ ସରୋଜକୁ କେନ୍ଦ୍ରାପଡ଼ାରୁ ଉଠାଇ ଆଣିବା ପରେ ଏସଟିଏଫକୁ ମିଳିଛି ବଡ଼ ସଫଳତା । କାରଣ ଟେଣ୍ଡର ଫିକ୍ସିଂ ଠାରୁ ଆରମ୍ଭ କରି ଦାଦାବଟି ଆଦାୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଥିଲା ସରୋଜ । ଏସଟିଏଫ୍ ସନ୍ଦେହ କରୁଛି, ଟିଟୋର ଅପରାଧ ସାମ୍ରାଜ୍ୟକୁ ସଂଗଠିତ କରି ଚଳାଇବା ପାଇଁ କାମ କରୁଥିଲା ଗ୍ୟାଙ୍ଗଷ୍ଟରର ଆଇଟି ସେଲ୍ ।

ଏସଟିଏଫ୍ ଅନୁସନ୍ଧାନରୁ ଜାଣିପାରିଛି ଟିଟୋର ସମସ୍ତ ଆଇଟି କାମ ବୁଝାବୁଝି କରୁଥିଲା ସରୋଜ ପତି । ବୈଷୟିକ କ୍ଷେତ୍ରରେ ବିଶେଷ ଦକ୍ଷତା ଥିବାରୁ ସରୋଜକୁ ଏହି ଦାୟିତ୍ୱ ଦେଇଥିଲା ଟିଟୋ । ଏହା ଛଡ଼ା ସେ ଥିଲା ଗ୍ୟାଙ୍ଗଷ୍ଟରର ଅତି ଘନିଷ୍ଠ ଓ ବିଶ୍ୱସ୍ତ ସହଯୋଗୀ । କୁହାଯାଉଛି, ସରୋଜ ପତିର ଆଇଟି କ୍ଷେତ୍ରରେ ଏପରି ଦକ୍ଷତା ଥିଲା ଯେ ଠିକାଦାରଙ୍କ ପର୍ସନାଲ ଆକାଉଂଟକୁ ମଧ୍ୟ ଟ୍ରାକିଂ କରିବା ଥିଲା ତା’ ବାଁ ହାତର ଖେଳ । କେଉଁ କାମ ପାଇଁ ଟେଣ୍ଡର ବାହାରିଲା, କେଉଁ ଠିକାଦାର କେତେ ଟେଣ୍ଡର ପାଇଲା ଏବଂ କେଉଁ ଠିକାଦାରର କେତେ ବିଲ୍ ପାସ ହେଲା, ସେସବୁକୁ ଅନାୟାସରେ ଜାଣି ପାରୁଥିଲା ସରୋଜ । ଏପରିକି କେଉଁ ଠିକାଦାର କେତେ ଟଙ୍କାର ଇନକମ୍ ଟ୍ୟାକ୍ସ ଫାଇଲ୍ କଲା, ଏସବୁ ତଥ୍ୟ ମଧ୍ୟ ଟିଟୋକୁ ଯୋଗାଉଥିଲା ସରୋଜ । ଆଉ ଏହି ଆଧାରରେ ଟେଣ୍ଡର ଫିକ୍ସିଂ କରୁଥିଲା ଟିଟୋ, କେତେ ଟଙ୍କା ଦାଦାବଟି ଆଦାୟ ହେବ, ତାହା ମଧ୍ୟ ସ୍ଥିର କରୁଥିଲା ଗ୍ୟାଙ୍ଗଷ୍ଟର ।

କେବଳ ସେତିକି ନୁହେଁ, ଟିଟୋର ବ୍ୟକ୍ତିଗତ ସୁରକ୍ଷା ପାଇଁ ମଧ୍ୟ ସରୋଜ କାମ କରୁଥିଲା । ଟିଟୋର ଘର ଆଖପାଖ ଅଂଚଳରେ ଲାଗିଥିବା ସିସିଟିଭିକୁ ଟିକିନିକି ମନିଟର କରୁଥିଲା ସରୋଜ ପତି । ବିରୋଧୀଙ୍କ ଚଳପ୍ରଚଳ ସହ ଅଜଣା ଲୋକଙ୍କ ଉପରେ ସେ ରଖିଥିଲା ତୀକ୍ଷଣ ନଜର । କେନ୍ଦ୍ରାପଡ଼ା ଦିଲାରପୁରରେ ଥିବା ଟିଟୋ ଘରଠାରୁ ପ୍ରାୟ ଏକ କିଲୋମିଟର ପରିଧି ମଧ୍ୟରେ ଲାଗିଥିଲା ଶତାଧିକ ସିସିଟିଭି । ସିସିଟିଭିଗୁଡିକୁ ମନିଟର କରିବା ପାଇଁ ରହିଥିଲା କଂଟ୍ରୋଲ ରୁମ୍, ଆଉ ତା’ର ମୁଖ୍ୟ ଥିଲା ସରୋଜ । ଏସଟିଏଫ୍ ସଂଦେହ କରୁଛି ଏହି କଂଟ୍ରୋଲ ରୁମରେ ବସି ସମସ୍ତ ଘଟଣା ଉପରେ ସେ ରଖୁଥିଲା ତୀକ୍ଷଣ ନଜର । ଟିଟୋକୁ ଗୁଇନ୍ଦା ସୂଚନା ଦେବା ସହ ଆବଶ୍ୟକ ପଡ଼ିଲେ ନିଜେ ଟେଣ୍ଡର ଫିକ୍ସିଂ କରୁଥିଲା,  ଦାଦାବଟି ବି ଆଦାୟ କରୁଥିଲା ସରୋଜ ।