ଆରପାରିରେ ବିଶ୍ୱ ବ୍ରହ୍ମାଣ୍ଡ ଓ ବ୍ଲାକ ହୋଲର ରହସ୍ୟ ଖୋଲିଥିବା ବ୍ରିଟିସ ବୈଜ୍ଞାନିକ ଷ୍ଟିଫେନ ହକିଂ ! ୭୬ ବର୍ଷ ବୟସରେ ପରଲୋକ

174

କନକ ବ୍ୟୁରୋ: ସମୟର ଦିଗ ନିର୍ଣ୍ଣୟ କରିଥିବା ପଦାର୍ଥ ବିଜ୍ଞାନୀ ଓ ଗଣିତଜ୍ଞ ଷ୍ଟିଫେନ୍ ହକିଙ୍ଗଙ୍କ ପାଇଁ ସମୟ ଅଟକି ଯାଇଛି । ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଖୋଲିଥିବା ଏହି ବିଶ୍ୱ ବିଖ୍ୟାତ ବୈଜ୍ଞାନିକଙ୍କ ପରଲୋକ ହୋଇଛି । ବିଶ୍ୱର ସବୁଠୁ ଅଧିକ ବିକ୍ରି ହୋଇଥିବା ପୁସ୍ତକ ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’ର ଲେଖକ ଷ୍ଟିଫେନ୍ ହକିଙ୍ଗ ସମୟ ଆଗରେ ଇତିହାସ ହୋଇଯାଇଛନ୍ତି । ୭୬ ବର୍ଷ ବୟସରେ ତାଙ୍କର କର୍ମଭୂମି କେମ୍ବ୍ରିଜ୍ଠାରେ ପ୍ରାଣ ହରାଇଛନ୍ତି ଏକବଂଶ ଶତାବ୍ଦିର ଆଇନ୍ ଷ୍ଟାଇନ୍ ଭାବେ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଷ୍ଟିଫେନ୍ ହକିଙ୍ଗ୍ ।

ଜଣେ ମଣିଷର ମସ୍ତିଷ୍କ କେତେ ଶକ୍ତିଶାଳୀ ହୋଇପାରିବ, ତାହାର ପ୍ରତୀକ ଥିଲେ ଷ୍ଟିଫେନ୍ । ଆଧୁନିକ ବିଜ୍ଞାନୀଙ୍କ ମଧ୍ୟରେ ତାଙ୍କର ଦର୍ଶନ ସବୁଠୁ ଅଧିକ ରହସ୍ୟମୟ । ମହାକାଶ ବିଜ୍ଞାନରେ ତାଙ୍କର ଅସାଧାରଣ ଦକ୍ଷତା ସାଧାରଣ ଲୋକଙ୍କୁ ନୁହେଁ ବଡ଼ ବଡ଼ ବୈଜ୍ଞାନିକଙ୍କୁ ମଧ୍ୟ ବିସ୍ମିତ କରିଥାଏ । ସଂପୂର୍ଣ୍ଣ ଭାବେ ତାଙ୍କ ଥିଓରୀକୁ ବୁଝିବା ଅନେକ ବିଜ୍ଞାନୀଙ୍କ ପାଇଁ ମଧ୍ୟ ଆହ୍ୱାନ ସୃଷ୍ଟି କରିଥାଏ । ବିଶ୍ୱ ବ୍ରହ୍ମାଣ୍ଡର ସର୍ଜନା, ବ୍ଲାକ ହୋଲ୍ର ରୂପରେଖ ନିର୍ଣ୍ଣୟ, ସମୟର ଦିଗ ନିର୍ଦ୍ଧାରଣ କରି ମାନବ ସମାଜକୁ ସେ ଯେଉଁ ତତ୍ୱ ଦେଇଛନ୍ତି, ତାହା ତାଙ୍କୁ ଅମର କରିଦେଇଛି । କୁହାଯାଏ, ଆଲବର୍ଟ ଆଇନ୍ଷ୍ଟାଇନ ଓ ଆଇଜାକ୍ ନିଉଟନ୍ଙ୍କ ଭଳି ଷ୍ଟିଫେନ୍ ହକିଙ୍ଗଙ୍କ ତତ୍ୱ କାଳଜୟୀ ହୋଇରହିବ ।

ଗୋଟିଏ ପଟେ ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଖୋଲିବା ପାଇଁ ଷ୍ଟିଫେନ୍ ହକିଙ୍ଗଙ୍କ ଜୀବନ ବ୍ୟାପୀ ସାଧନା, ଅନ୍ୟ ପଟେ ବିରଳ ସ୍ନାୟୁଗତ ରୋଗରେ ଆକ୍ରାନ୍ତ ହୋଇ ସଂପୂର୍ଣ୍ଣ ଅଚଳ ଜୀବନଯାପନ । ପାଂଚ ଦଶନ୍ଧିରୁ ଅଧିକ ବର୍ଷ ଧରି ହଲଚଲ ହୋଇପାରୁନଥିଲେ ଷ୍ଟିଫେନ୍ । କୌଣସି ଅଙ୍ଗ ପ୍ରତ୍ୟଙ୍ଗ ହଲାଇ ପାରୁନଥିଲେ, ଅଚଳ ହୋଇ ପଡିଥିଲା ତାଙ୍କର ବାକ୍ ଶକ୍ତି । ମାତ୍ର ୨୨ ବର୍ଷ ବୟସରେ ମୋଟର ନିଉରନ୍ ଡିଜିଜ୍ ତାଙ୍କ ଶରୀରକୁ ଅଚଳ କରି ଦେଇଥିଲା ସତ, ହେଲେ ତାଙ୍କର ମସ୍ତିଷ୍କ ଆହୁରି ପ୍ରଖର ହୋଇ ଯାଇଥିଲା । ରୋଗରେ ଆକ୍ରାନ୍ତ ହେବା ପରେ ମାତ୍ର ୨ ବର୍ଷ ବଂଚିପାରିବେ ବୋଲି ଡାକ୍ତର ଭବିଷ୍ୟତ ବାଣୀ ଶୁଣାଇଥିଲେ, ହେଲେ ୫୪ ବର୍ଷ କାଳ ସ୍ୱତନ୍ତ୍ର ହ୍ୱିଲ୍ ଚେୟାରରେ ବିତିଥିଲା ତାଙ୍କର ଜୀବନ । ସେହି ହ୍ୱିଲ ଚେୟାରରେ ଗବେଷଣା, ବଡ଼ ବଡ଼ ରହସ୍ୟ ଉପରୁ ପର୍ଦ୍ଦା ଉଠାଇଥିଲେ ସେ ।

ମୁହଁ ଖୋଲୁନଥିଲା, ସେ ଯାହା କହିବାକୁ ଭାବୁଥିଲେ, କଂପୁଟରରାଇଜ୍ ଭଏସ୍ ସିନ୍ଥେସାଇଜର୍ରେ ଲୋକଙ୍କ ନିକଟରେ ପହଁଚୁଥିଲା । ବ୍ରହ୍ମାଣ୍ଡର ଗୁଢ଼ ତତ୍ୱ ବିଷୟରେ ତାଙ୍କର ଅନେକ ବକ୍ତୃତା ଓ ଅନେକ ସନ୍ଦର୍ଭ ଆଜି ସାରା ବିଶ୍ୱ ପାଇଁ ବରଦାନ । ଜିରୋ ଗ୍ରାଭିଟି ଜେଟ୍ରେ ଆକାଶରେ ଉଡ଼ି ସେ ମହାକାଶକୁ ଅନୁଭବ କରୁଥିଲେ । ବିଶ୍ୱର ଅନେକ ବିଶିଷ୍ଟ ଲୋକ ତାଙ୍କୁ ଭେଟୁଥିଲେ । ବିଜ୍ଞାନକୁ ଲୋକପ୍ରିୟ କରିବା ପାଇଁ ସେ ଅନେକ ବହି ଲେଖିଛନ୍ତି । ୧୯୮୮ରେ ତାଙ୍କ ରଚିତ ‘ଏ ବ୍ରିଫ୍ ହିଷ୍ଟ୍ରି ଅଫ୍ ଟାଇମ୍’ ପୁସ୍ତକର ପାଖାପାଖି ଏକ କୋଟି କପି ବିକ୍ରି ହୋଇ ବିରଳ ରେକର୍ଡ ସୃଷ୍ଟି କରିଛି ।