କନକ ବ୍ୟୁରୋ: ତ୍ରିପୁରାରେ ବାମ ଦୁର୍ଗ ଭୁଶୁଡିବା ତିନି ଦିନ ହୋଇନି ଆଜି ଘଟିଛି ଏକ ଅଭାବନୀୟ ଘଟଣା  । ବେଲୋନାରେ ଥିବା ଲେନିନଙ୍କ ପ୍ରତିମୂର୍ତିକୁ ବୁଲଡୋଜର ଚଲାଇ ଭାଙ୍ଗି ଦେଇଛନ୍ତି ବିଜେପି ସମର୍ଥକ । ପାଂଚ ବର୍ଷ ତଳେ ଏହାକୁ ନିର୍ମାଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର । ଏହି ଘଟଣାକୁ ନେଇ ପ୍ରବଳ ଉତେଜନା ସୃଷ୍ଟି ହୋଇଛି । ସିପିଏମ୍ ଓ ବିଜେପି କର୍ମୀ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି ।

୨୫ ବର୍ଷର ବାମପନ୍ଥୀ ଦୁର୍ଗ ହଟିବା ପରେ ତ୍ରିପୁରାରେ ଆରମ୍ଭ ହୋଇଛି ଗୈରିକ ଯୁଗ । ପ୍ରଥମ ଟାର୍ଗେଟ ହୋଇଛି ଲେନିନ୍ଙ୍କ ପ୍ରତିମୂର୍ତ୍ତି । ଭାରତ ମାତା କୀ ଜୟ ଧ୍ୱନୀ ଦେଇ ବେଲୋନାରେ ଥିବା ଲେନିନଙ୍କ ପ୍ରତିମୂର୍ତିକୁ ବୁଲଡୋଜର ଚଲାଇ ଭାଙ୍ଗିଦିଆଯାଇଛି । ଏହି ଦୃଶ୍ୟ ଭାଇରାଲ ହୋଇଛି ସୋସିଆଲ୍ ମିଡିଆରେ । ୫ ବର୍ଷ ତଳେ ଏହି ମୂର୍ତ୍ତିକୁ ନିର୍ମାଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର । ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି ସିପିଏମ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ।

କେବଳ ସେତିକି ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସିପିଏମ୍ ଅଫିସଗୁଡିକରେ ମଧ୍ୟ ହୋଇଛି ଭଙ୍କାରୁଜା । ସିପିଏମ ଅଭିଯୋଗ କରିଛି ବିଜେପି କର୍ମୀ ଚଳାଇଛନ୍ତି ଗୁଣ୍ଡାଗର୍ଦି । ଏହାକୁ ନେଇ ପ୍ରବଳ ଉତେଜନା ସୃଷ୍ଟି ହୋଇଛି । ଦୁଇ ଦଳର କର୍ମୀ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି । ତ୍ରିପୁରାର ରାଜ୍ୟପାଳ ଓ ପୁଲିସ ଡିଜିକୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ସେପଟେ ବରିଷ୍ଠ ବିଜେପି ନେତା ରାମ ମାଧବଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ଲୋକେ ଲେନିନଙ୍କ ମୂର୍ତ୍ତି ଭାଙ୍ଗି ଦେଇଛନ୍ତି, ଏହା ଋଷିଆ ନୁହେଁ, ତ୍ରିପୁରା, ଚାଲ ପଲଟାଅ ।