ରାଜଧାନୀରୁ ଅଢେଇ କୋଟି ଟଙ୍କାର ୨ଟି ଅଷ୍ଟଧାତୁ ମୂର୍ତ୍ତି ଜବତ ! ଅଭିଯୁକ୍ତ ସୟଦ ଜିଲନୁରକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ ।

158

କନକ ବ୍ୟୁରୋ : ରାଜଧାନୀରୁ ଜବତ ହେଲା ୨ କୋଟି ୫୦ ଲକ୍ଷ ଟଙ୍କାର ଅଷ୍ଟଧାତୁ ମୂର୍ତ୍ତି ! ଭୁବନେଶ୍ୱର ଉପକଣ୍ଠ ଖଣ୍ଡଗିରିର ଯଦୁପୁର ଅଞ୍ଚଳର ଏକ ଘରୁ ଏହି ମୂର୍ତ୍ତି ଜବତ ହୋଇଥିବା ଜଣାପଡିଛି । ସୟଦ ଜିଲନୁର ଓରଫ ରାଜା ବେଆଇନ ଭାବେ ଏହି ମୂର୍ତ୍ତିକୁ ଅନେକ ବର୍ଷ ଧରି ନିଜ ପାଖରେ ରଖିଥିବା ଜଣାପଡିଛି । ତେବେ ଗତକାଲି ରାତିରେ ଗୁଇନ୍ଦା ସୂଚନା ପାଇ କ୍ରାଇମବ୍ରାଞ୍ଚ ଏସଟିଏଫର ଏକ ଟିମ୍ ରାଜାଙ୍କ ଯଦୁପୁର ସ୍ଥିତ ଘରେ ଚଢାଉ କରିଥିଲା । ତେବେ ତାଙ୍କ ଘରୁ ଦୁଇଟି ଦାମୀ ମୂର୍ତ୍ତି ଜବତ ହୋଇଥିବା ଜଣାପଡିଛି । ମୂର୍ତ୍ତି ଦୁଇଟିର ଓଜନ ୧୮.୪୪ କେଜି ଏବଂ ୧୨.୬ କେଜି ହୋଇଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୨ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ଚୋରୀ ହୋଇଥିବା ଅଷ୍ଟଧାତୁ ମୂର୍ତ୍ତି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଡିଏସ୍‌ପି ପି.ଆର. ଶତପଥୀଙ୍କ ନେତୃତ୍ୱରେ ଯଦୁପୁର ଗାଁର ସୟଦ ଜିଲନୁର ଓରଫ ରାଜା (୪୦)ଙ୍କ ଘରେ ମଙ୍ଗଳବାର ମଧ୍ୟ ରାତ୍ରୀରେ ଚଢ଼ାଉ କରାଯାଇଥିଲା । କୋଟି କୋଟି ଟଙ୍କାରେ ବିକ୍ରି କରିବା ଉଦ୍ଦେଶ୍ୟରେ ଏହି ମୂଲ୍ୟବାନ ମୂର୍ତ୍ତି ଦ୍ୱୟକୁ ମନ୍ଦିରରୁ ଚୋରୀ କରାଯାଇଥିଲା ।

ମୂର୍ତ୍ତିର କୌଣସି କାଗଜପତ୍ର ରାଜା ପାଖରେ ନଥିବା ବେଳେ ତାର କୌଣସି ବନ୍ଧୁ ଏହାକୁ ଦେଇଥିବା ଅଭିଯୁକ୍ତ କହିଛି । ମୂର୍ତ୍ତି ଜବତ ସହ ଅଭିଯୁକ୍ତ ସୟଦ ଜିଲନୁରକୁ ମଧ୍ୟ କ୍ରାଇମବ୍ରାଞ୍ଚ ଗିରଫ କରିଛି । ତେବେ କୋଟି କୋଟି ଟଙ୍କାର ଏହି ମୂର୍ତ୍ତିକୁ ନେପାଳ ଏବଂ ଅନ୍ୟ ରାଜ୍ୟକୁ ଚୋରାଚାଲାଣ କରାଯାଉଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରୁଛି । ଅଭିଯୁକ୍ତଙ୍କ ସହ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ସେନେଇ ଅଧିକ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ।