ଆସନ୍ତାକାଲି ଉନ୍ମୋଚିତ ହେବ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି : ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଗୁଜରାଟରେ ମୋଦିଙ୍କ ଦ୍ୱାରା ହେବ ଉନ୍ମୋଚନ

ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ ପାଇଁ ଲାଗିଛି ୫୭ ଲକ୍ଷ କିଲୋ ଷ୍ଟ୍ରକଚରାଲ ଷ୍ଟିଲ

140

କନକ ବ୍ୟୁରୋ : ଆସନ୍ତାକାଲି ଉନ୍ମୋଚିତ ହେବ ବିଶ୍ୱର ମୂର୍ତ୍ତି ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି । ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଏହି ପ୍ରତିମା ନିର୍ମାଣ ହୋଇଛି । ଗୁଜରାଟ ରାଜପିପଲା ନିକଟ ସାଧୁ ବେତ୍ ଦ୍ୱୀପରେ ନର୍ମଦା ନଦୀରେ ପ୍ରତିଷ୍ଠା ହୋଇଛି ଏହି ଲୌହ ପ୍ରତିକୃତି । ବିନ୍ଧ୍ୟ ଓ ସତରୁପା ପର୍ବତମାଳାର ମଧ୍ୟବର୍ତ୍ତୀ ଅଂଚଳ ସୁଲ୍ପନେଶ୍ୱର ୱାଇଲ୍ଡ ଲାଇଫ ସାଂଚୁରୀରେ ସମ୍ମାନର ସହ ପ୍ରତିଷ୍ଠା କରାଯାଇଛି ଦେଶର ଲୌହମାନବଙ୍କ ଲୌହ ପ୍ରତିକୃତି । ୨୦୧୦ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ ମୋଦି । ପ୍ରଥମେ ଗୁଜରାଟ ସରକାର ଓ ବିଜେପି ମିଶି ଏହାକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖି ଥିବାବେଳେ ୨୦୧୪ ମସିହାରେ ବିଜେପି ସରକାର କେନ୍ଦ୍ରରେ କ୍ଷମତାକୁ ଆସିବା ଓ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଥିଲା ।

ଷ୍ଟାଚ୍ୟୁ ଅଫ୍ ୟୁନିଟି ନିର୍ମାଣ ପାଇଁ ଲାଗିଛି ୫ ହଜାର ୭ ଶହ ମେଟ୍ରିକଟନ୍ ବା ୫୭ ଲକ୍ଷ କିଲୋ ଷ୍ଟ୍ରକଚରାଲ ଷ୍ଟିଲ । ବ୍ୟବହାର ହୋଇଛି ୧୮ହଜାର ୫ଶହ ମେଟ୍ରିକଟନ୍ ଲୁହା ଛଡ଼ । ପ୍ରତିମୂର୍ତ୍ତି ତଳ ଭାଗରେ ଲାଗିଛି ୧୮ ହଜାର ୫ ଶହ ମେଟ୍ରିକଟନ୍ ଲୁହା । ନିର୍ମାଣ ପାଇଁ ବ୍ୟବହାର ହୋଇଛି ୬ ହଜାର ୫ଶହ ମେଟ୍ରିକଟନ୍ ଲୁହା । ୧ ହଜାର ୭ ଶହ ଟନ୍ ତମ୍ବା, ୧ ଲକ୍ଷ ୮୦ ହଜାର ଟନ୍ କଂକ୍ରିଟ୍ । ସମୁଦାୟ ୨ କୋଟି ୫୦ ଲକ୍ଷ କିଲୋ ସିମେଂଟ୍ ନିର୍ମାଣ ପାଇଁ ବ୍ୟବହୃତ ହୋଇଛି । ୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ ପଟେଲଙ୍କ ଏହି ପ୍ରତିମୂର୍ତ୍ତି । ଘଂଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଲେ ବି କିଛି କ୍ଷତି ହେବନାହିଁ । ୬ ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ସଂଗୃହିତ ଲୁହାରୁ ଏହାର ନିର୍ମାଣ ହୋଇଛି । ପ୍ରତିମାର ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ । ଦୀର୍ଘ ୧୨ କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତ୍ତି । ଏହାକୁ ଆସନ୍ତାକାଲି ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦି ।