ଲୋକାର୍ପିତ ହେଲା ବିଶ୍ୱର ସର୍ବୋଚ୍ଚ ପ୍ରତିମୁର୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି । ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦି

୧୨ କିଲୋମିଟର ଦୂରରୁ ଦେଖାଯିବ ୧୮୨ ମିଟର ଉଚ୍ଚର ବିଶାଳ ପ୍ରତିମା

101

କନକ ବ୍ୟୁରୋ:  ଉଦଘାଟନ ହେଲା ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳକାୟ ଏହି ପ୍ରତିମୂର୍ତିକୁ ଉଦଘାଟନ କରିଛନ୍ତି । ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଅନାବରଣ କାର୍ଯ୍ୟକ୍ରମରେ ବହୁ ମୁଖ୍ୟମନ୍ତ୍ରୀ ଓ ନେତା ମଧ୍ୟ ସାମିଲ ହୋଇଛନ୍ତି । ତେବେ ଏହି ପ୍ରତିମୂର୍ତି ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମାରେ ଗଣାହୋଇଛି । ଏହାର ଉଚ୍ଚତା ୧୮୨ ମିଟର ବା ୫୯୭ ଫୁଟ୍ । ଯାହା ଆମେରିକାର ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ର ଦୁଇଗୁଣା । ଗୁଜରାଟ ରାଜ୍ପିପଲା ନିକଟ ସାଧୁ ବେତ୍ ଦ୍ୱୀପରେ ନର୍ମଦା ନଦୀରେ ପ୍ରତିଷ୍ଠା ହୋଇଛି ଏହି ଲୌହ ପ୍ରତିକୃତି ।

ଷ୍ଟାଚ୍ୟୁ ଅଫ ୟୁନିଟିର ଖାସିୟତ କଣ ?

ଷ୍ଟାଚ୍ୟୁ ଅଫ ୟୁନିଟି ହେଉଚି  ବିଶ୍ୱର ଉଚ୍ଚତମ ମୂର୍ତି । କିନ୍ତୁ ଆପଣ ଜାଣିଛନ୍ତି ଏହାକୁ ତିଆରି କରିବାକୁ କେତେବର୍ଷ ଲାଗିଥିଲା ଓ  କିଭଳି ତିଆରି ହେଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମାକୁ ତିଆରି କରିବା ଲାଗି ୪୪ ମାସ ଲାଗିଛି । ମୂର୍ତିକୁ ତିଆରି କରିବା ଲାଗି ୮ଶହ ସ୍ଥାନୀୟ ଓ ୨ ଶହ ଚୀନରୁ ଆସିଥିବା କାରିଗର ଲାଗିଥିଲେ । କୁହାଯାଉଛି ଏହି ମୂର୍ତିକୁ ତିଆରି କରିବା ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ଏଥିମଧ୍ୟରୁ ୨ ହଜାର ୩୩୨ କୋଟି ମୂର୍ତି ନିର୍ମାଣ ପାଇଁ ଖର୍ଚ ହୋଇଥିବା ବେଳେ ଅନ୍ୟ ୬ ଶହ କୋଟି ୧୫ ବର୍ଷ ଯାଏଁ ଦେଖାଶୁଣା କରିବା ପାଇଁ ରହିଛି । ମୂର୍ତି ନିର୍ମାଣ ଲାଗି ନିର୍ଦ୍ଦାରିତ ସମୟରେ କାମ କରିବାକୁ ୪ ହଜାରରୁ ଅଧିକ ଶ୍ରମିକ ଦୁଇଟି ସିଫଟରେ କାମ କରିଛନ୍ତି ।  ରେକର୍ଡ ସମୟ ୪୪ ମାସରେ ଷ୍ଟାଚ୍ୟୁ ଅଫ ୟୁନିଟି ତିଆରି କରାଯାଇଛି । ଆମେରିକାର ଷ୍ଟାଚ୍ୟୁ ଅଫ ଲିବର୍ଟି ନିର୍ମାଣ ପାଇଁ ୫ବର୍ଷ ଲାଗିଥିଲା । ଷ୍ଟାଚ୍ୟୁ ଅଫ ୟୁନିଟି ମୂର୍ତି ନିର୍ମାଣରେ ୪ଟି ଧାତୁ ବ୍ୟବହାର କରାଯାଇଛି । ମୂର୍ତିରେ ଏଭଳି ଧାତୁର ଉପଯୋଗ କରାଯାଇଛି, ଯେଉଁଥିରେ କଳଙ୍କି ଲାଗିବ ନାହିଁ । ମୂର୍ତିରେ ୮୫ ପ୍ରତିଶତ ତମ୍ବାର ବ୍ୟବହାର ହୋଇଛି । ଏହାସହ ଦୁଇହଜାର ମେଟ୍ରିକ ଟନ୍ ବ୍ରୋଞ୍ଜ, ୫ ହଜାର ୭ ଶହ ମେଟ୍ରିକ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ ବ୍ୟବହାର ହୋଇଛି ।

ଏହାଛଡା ୨୨ ହଜାର ୫ ଶହ ମିଲିୟନ ଟନ୍ ସିମେଂଟ ବି ବ୍ୟବହାର କରାଯାଇଛି ମୂର୍ତି ନିର୍ମାଣରେ । ଷ୍ଟାଚ୍ୟୁ ଅଫ ୟୁନିଟିରୁ ଆପଣ ସର୍ଦ୍ଦାର ସରୋବର ବନ୍ଦର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏହାର ଶିଳାନ୍ୟାସ ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ । ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ ପଟେଲଙ୍କ ଏହି ପ୍ରତିମୂର୍ତି  । ଘଂଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଲେ ବି କିଛି କ୍ଷତି ହେବନାହିଁ  । ୬ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ସଂଗୃହିତ ଲୁହାରୁ ଏହାର ନିର୍ମାଣ ହୋଇଛି । ପ୍ରତିମାର ୧୫୩ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ । ଦୀର୍ଘ ୧୨କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତି  ।