ଷଣ୍ଢ ଆକ୍ରମଣରୁ ବର୍ତ୍ତିଲେ ଡ୍ରିମ ଗାର୍ଲ । କାର୍ଯ୍ୟରେ ଅବହେଳା କାରଣରୁ ଷ୍ଟେସନ ମ୍ୟାନେଜର ନିଲମ୍ବିତ

41

ଗତକାଲି ମଥୁରା ଜଙ୍କସନ ରେଲୱେ ଷ୍ଟେସନରେ ଷଣ୍ଢ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ବିଜେପି ସାଂସଦ ହେମାମାଳିନୀ । ଏହି ଘଟଣାରେ ଜଣେ ଷ୍ଟେସନ ମ୍ୟନେଜରଙ୍କୁ ନିଲମ୍ବନ କରାଯାଇଛି । ଏଭଳି ଅଘଟକୁ ରୋକିବାରେ ବିଫଳ ହେବା କାରଣରୁ ଷ୍ଟେସନ ମ୍ୟାନେଜରଙ୍କୁ ନିଲମ୍ବିତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଷ୍ଟେସନ ପରିସରକୁ ଅନେକ ସମୟରେ ବୁଲା ଜୀବଜନ୍ତୁଙ୍କ ଅବାଧ ପ୍ରବେଶ ରୋକିବାରେ ବିଫଳ ହୋଇଥିବା କାରଣରୁ ତାହାର ମୂଲ୍ୟ ଷ୍ଟେସନ ମ୍ୟାନେଜରଙ୍କୁ ଦେବାକୁ ପଡିଛି ।

ଷ୍ଟେସନ ମ୍ୟାନେଜର କେ.ଏଲ.ମୀନାଙ୍କୁ କେବଳ ନିଲମ୍ବିତ କରାଯାଇନାହିଁ , ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନର୍ଥ ସେଂଟ୍ରାଲ ରେଲୱେର ଡିଭିଜିଓନାଲ ମ୍ୟାନେଜର ସଂଚିତ ତ୍ୟାଗୀ କହିଛନ୍ତି । ପ୍ଲାଟଫର୍ମରେ ଷଣ୍ଢ ଆକ୍ରମଣ ରୋକିବାରେ ବିଫଳ କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ତ୍ୟାଗୀ । ତ୍ୟାଗୀ କହିଛନ୍ତି, ବିଜେପି ସାଂସଦ ଷ୍ଟେସନର ବିକାଶ ମୂଳକ କାର୍ଯ୍ୟ ତଦାରଖ କରିବା ପାଇଁ ଯାଇଥିବା ବେଳେ, ଷଣ୍ଢ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ ।

ଉଲ୍ଲେଖଯୋଗ୍ୟ ଗତକାଲି ହେମା, ମଥୁରା ଷ୍ଟେସନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ ପାଇଁ ପହଂଚିଥିଲେ । ତାଙ୍କ ସହିତ ଅନେକ ସୁରକ୍ଷା କର୍ମୀ ଥିଲେ । ଏହି ସମୟରେ ଗୋଟିଏ ଷଣ୍ଢ ଆକ୍ରମଣ ପାଇଁ ସାଂସଦଙ୍କ ଆଡକୁ ମାଡିଆସିଥିଲା । ସଠିକ ସମୟରେ ଜଣେ ଯୁବକର ଉପସ୍ଥିତ ବୁଦ୍ଧି ଯୋଗୁ ହେମା ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ଏହି ଘଟଣା ପରେ ପ୍ଲାଟଫର୍ମରେ ହଇଚଇ ସୃଷ୍ଟି ହୋଇଥିଲା ।