କୋଟିଆବାସୀଙ୍କ ପାଇଁ ଖୁସି ଖବର : ଆରମ୍ଭ ହେଲା ବ୍ୟାଙ୍କ ସେବା, ଆଗାମୀ ଦିନରେ ଖୋଲିବ ଥାନା

42

କନକ ବ୍ୟୁରୋ : ଗୋଟିଏ ଦିନରେ କୋଟିଆ ପାଇଁ ସବୁକିଛି ଅଜାଡ଼ି ଦେଇଛନ୍ତି ପ୍ରଶାସନ । ବ୍ୟାଙ୍କସେବାଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକ ପରିଚୟ ପତ୍ର ପର୍ଯ୍ୟନ୍ତ ବ୍ୟବସ୍ଥା କରିଛନ୍ତି । ନୂଆ ଥାନା ଖୋଲିବା ପାଇଁ ବିଧିବଦ୍ଧ ପ୍ରକ୍ରିୟା ବି ଆରମ୍ଭ କରିଛନ୍ତି । ଏଥିସହିତ ଆଇନ୍‌ଶୃଙ୍ଖଳା ପରିସ୍ଥିତିର ମଧ୍ୟ ତର୍ଜମା କରାଯାଇଛି । ଆଜିଠାରୁ ଏକରକମର ଏହି ବିବାଦୀୟ ସ୍ଥଳୀରେ ରାଜ୍ୟ ପକ୍ଷରୁ ଏକ ବଡ଼ଧରଣର ପଦକ୍ଷେପ ଆରମ୍ଭ ହୋଇଛି ।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତର ୨୨ଟି ଗାଁକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି । ଏବେ ଏହି କୋଟିଆ ଅଂଚଳରେ ନିଜର ଆଧିପତ୍ୟ ଦେଖାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ଓଡ଼ିଶା । କିଛି ଦିନ ତଳେ କୋରାପୁଟ ଜିଲ୍ଲାପାଳ କୋଟିଆ ଯାଇ ସ୍ଥିତି ସମୀକ୍ଷା କରିଥିଲା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ଟିମ କୋଟିଆ ଯାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିମନ୍ତେ ଜାଗା ଚିହ୍ନଟ କରିଥିଲେ ।

ଏପଟେ ଗତକାଲି ଠାରୁ ଆରମ୍ଭ ହୋଇଛି ବ୍ୟାଙ୍କ ସେବା । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ଏକ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି । ଅନ୍ୟପକ୍ଷରେ, ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆଜି କୋଟିଆରେ ଶ୍ରମ ସଚେତନତା ଶିବିର ଆଜି ଅନୁଷ୍ଠିତ ହୋଇଛି । ଏହି ଅବସରରେ ୧୧୮ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । କୋଟିଆରେ ବ୍ୟାଙ୍କ ସେବା ପରେ ଥାନା ପ୍ରତିଷ୍ଠା ନେଇ ପ୍ରକ୍ରିୟା ଆରମ୍ଭ ହେବାରୁ ଅଂଚଳରେ ନୂତନ ଆଶାର ସଂଚାର ହୋଇଛି । ସେହିଭଳି, ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ଆଶିଷ ସିଂହ ଓ କୋରାପୁଟ ଏସପି ଡ. କନଓ୍ଵର ବିଶାଳ ସିଂହ ଆଜି କୋଟିଆ ଯାଇ ସେଠାରେ ସ୍ଥିତି ଅନୁଧ୍ୟନ କରିଛନ୍ତି ।