ଲିଚୁରେ ନାହିଁ ବିଷ, ମିଳିଲା ସବୁଜ ସଂକେତ । କନକ ନ୍ୟୁଜ୍ ହାତରେ ଲିଚୁ ରିପୋର୍ଟ, ଜାଣନ୍ତୁ କଣ କହୁଛି ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ରିପୋର୍ଟ ।

522

କନକ ବ୍ୟୁରୋ : ଲିଚୁର ଲୁଚକାଳି ଖେଳ ଶେଷ । ବିହାରରେ ଲିଚୁ ପାଇଁ ଶିଶୁମାନଙ୍କର ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସିବା ପରେ ଓଡ଼ିଶା ବଜାରରୁ ଉଭାନ୍ ହୋଇଯାଇଥିଲା ଲିଚୁ । ଏପରିକି ଓଡିଶାରେ ବିକ୍ରି ହେଉଥିବା ଲିଚୁର ପରୀକ୍ଷା ପାଇଁ ସରକାର ନିର୍ଦ୍ଦେଶ ଦେବା ପରେ ବଜାରରୁ ଲିଚୁ ମରୁଡି ଦେଖିବାକୁ ମିଳିଥିଲା । ଲିଚୁକୁ ନେଇ ରାଜ୍ୟରେ ବିବାଦ ଜୋର ଧରିଥିବା ବେଳେ ଏବେ କନକ ନ୍ୟୁଜ୍ ହାତରେ ଲାଗିଛି ଲିଚୁ ରିପୋର୍ଟ । ରାଜ୍ୟ ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ଏହି ରିପୋର୍ଟ ଦେଇଛି ।

ବିହାରର ମୁଜଫରପୁରରେ ଶତାଧିକ ପିଲା, ମସ୍ତିଷ୍କ ଜ୍ୱରରେ ପ୍ରାଣ ହରାଇବା ପରେ ଏହା ଲିଚୁ ପାଇଁ ହୋଇପାରେ ବୋଲି ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଥିଲା । ମୃତ୍ୟୁବରଣ କରିଥିବା ପିଲାମାନେ ଲିଚୁ ବାଗାନରେ କାମ କରୁଥିବାରୁ ଏହି ସନ୍ଦେହ ଆହୁରି ବଢିଥିଲା । ଆଉ ଏହି ଡର ଓଡିଶା ପର୍ଯ୍ୟନ୍ତ ବ୍ୟାପିଥିଲା । ଲିଚୁ ଖାଇଲେ ଏଭଳି ଜରର ଆଶଙ୍କା ଅଛି ବୋଲି ସନ୍ଦେହ ବଢିବା ପରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ, ଲିଚୁର ନମୁନା ପରୀକ୍ଷା କରିବ ବୋଲି ଘୋଷଣା କରିଥିଲା । ତେବେ ଗତ ୭ ତାରିଖରେ ଅର୍ଥାତ୍ ଦୁଇ ସପ୍ତାହ ପୂର୍ବରୁ କନକ ନ୍ୟୁଜ୍ ପକ୍ଷରୁ ଭୁବନେଶ୍ୱର ବଜାରରେ ମିଳୁଥିବା ଲିଚୁର ନମୂନା ପରୀକ୍ଷା ପାଇଁ ଦେଇଥିଲୁ । ବଜାରରେ ମିଳୁଥିବା ଫଳ, ଶରୀର ପାଇଁ କେତେ ହିତକର ତାହା ଜାଣିବା ପାଇଁ କନକ ନ୍ୟୁଜ୍ ପକ୍ଷରୁ କେତେକ ଫଳ ସହ ଲିଚୁ ବି ପରୀକ୍ଷା ପାଇଁ ଦିଆଯାଇଥିଲା ଏବଂ ଆଜି ସେହି ରିପୋର୍ଟ ଆସିଛି ।

– କନକ ନ୍ୟୁଜ୍ ହାତରେ ଲିଚୁ ପରୀକ୍ଷା ରିପୋର୍ଟ । କନକ ନ୍ୟୁଜ ପକ୍ଷରୁ ଦିଆଯାଇଥିବା ସାମ୍ପଲର ପରୀକ୍ଷା କରି ରିପୋର୍ଟ ଦେଇଛି ରାଜ୍ୟ ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ । ଫୁଡ୍ ସେଫ୍ଟି ଆଣ୍ଡ୍ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆର ପଦ୍ଧତି ଅନୁସାରେ ହୋଇଥିବା ରିପୋର୍ଟ କହୁଛି ଓଡ଼ିଶା ବଜାରରେ ମିଳୁଥିବା ଲିଚୁରେ ବିଷାକ୍ତ ଉପାଦାନ ନାହିଁ ।

– ମିଠା ଅଂଶ ବଢ଼ାଇବା ପାଇଁ ସାକାରିନ୍, ଡଲସିନ୍ କି ସାଇକ୍ଲେମେଟ୍ ଭଳି କୌଣସି କୃତ୍ରିମ ପଦାର୍ଥ ବ୍ୟବହାର ହୋଇନାହିଁ ।

– ଅଧିକ ଶର୍କରା ମିଶା ଯାଇଛି କି ନାହିଁ, ସରକାରୀ ପରୀକ୍ଷାଗାର ତାହା ନେଗେଟିଭ୍ ବୋଲି କହିଛି ।

– ଲିଚୁ ଚୋପାରେ କ୍ୟାଲସିୟମ ଥିବା ନେଇ ମଧ୍ୟ ପରୀକ୍ଷା କରାଯାଇଥିଲା । ତାହା ମଧ୍ୟ ନେଗେଟିଭ୍ ଆସିଥିବା ରିପୋର୍ଟରେ କୁହାଯାଇଛି ।

– ଲିଚୁକୁ ଆକର୍ଷଣୀୟ କରିବା ପାଇଁ ମଧ୍ୟ କୌଣସି ରଙ୍ଗ ମିଶାଯାଇଥିବା ନେଇ ପ୍ରମାଣ ମିଳିନାହିଁ । ଏବଂ ରିପୋର୍ଟରେ ‘ନିଲ୍’ ବା ‘ନୋ ଆଡେଡ୍ କଲର’ ବୋଲି କୁହାଯାଇଛି ।

ବିହାର ମୁଜାଫରପୁରରେ ଏନସେଫାଲାଇଟିସ୍ରେ ଆକ୍ରାନ୍ତ ଶତାଧିକ ଶିଶୁଙ୍କ ମୃତ୍ୟୁ ହେବା ପରେ ସଂଦେହ ଘେରକୁ ଆସିଥିଲା ଲିଚୁ । ଏହାପରେ ଓଡିଶାରେ ବଜାରରେ ବିକ୍ରି ହେଉଥିବା ଲିଚିର ସାମ୍ପୁଲ ସଂଗ୍ରହ କରିବା ପାଇଁ ଫୁଡ୍ ସେଫ୍ଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ସେତେବେଳକୁ ବଜାରରୁ ଗାଏବ ଯାଇଥିଲା ଲିଚୁ । ହେଲେ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଲିଚୁର ପରୀକ୍ଷା ପାଇଁ ସରକାରୀ ଲାବୋରେଟୋରୀକୁ ନମୂନା ପଠାଇ ସାରିଥିଲା କନକ ନ୍ୟୁଜ । ଏହାକୁ ପରୀକ୍ଷା କରି ରିପୋର୍ଟ ଦେଇଛି ରାଜ୍ୟ ଫୁଡ୍ ଟେଷ୍ଟିଂ ଲାବୋରେଟୋରୀ ।

ସେପଟେ ଡାକ୍ତର କହିଛନ୍ତି, ଲିଚୁକୁ ଖାଲି ପେଟରେ ଖାଇଲେ ଶରୀରରୁ ଶର୍କରା ସ୍ତର କମିଯାଏ । ଯାହା ସାଂଘାତିକ ହେବା ଆଶଙ୍କା ରହିଛି । ବିହାରରେ ଏହି ସଂକ୍ରମଣରେ ଶତାଧିକ ଶିଶୁ ମୃତ୍ୟୁ ମୁଖରେ ପଡିଛନ୍ତି । ଏବେ ବି ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଅନେକ ଶିଶୁ । ପ୍ରାଣ ହରାଇଥିବା ଶିଶୁ ମାନଙ୍କ ବୟସ ବର୍ଷକରୁ ୧୧ ବର୍ଷ ବୟସ ମଧ୍ୟରେ ରହିଥିବା ଜଣାପଡ଼ିଛି ।