ରାଜ୍ୟ ସରକାର ବନାମ ରାଜ୍ୟ ନିର୍ବାଚନ କମିଶନ! ଜିଲ୍ଲାପରିଷଦ ନିର୍ବାଚନ ଆଇନ ସଂଶୋଧନକୁ ନେଇ ମୁହାଁମୁହିଁ

29

କନକ ବ୍ୟୁରୋ : ଜିଲ୍ଲାପରିଷଦ ନିର୍ବାଚନ ଜାରି ରହିଥିବାବେଳେ ପଂଚାୟତିରାଜ ବିଭାଗର ସଂଶୋଧନ ବିଜ୍ଞପ୍ତିକୁ ନେଇ କାଠଗଡାରେ ସରକାର । କୋର୍ଟରେ ମୁହାଁମୁହିଁ ହୋଇଛନ୍ତି ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନ । ବିଜେପି କରିଥିବା ମାମଲାରେ ପକ୍ଷଭୁକ୍ତ ହୋଇ ସରକାରଙ୍କ ପଦକ୍ଷେପକୁ ବିରୋଧ କରିଛନ୍ତି କମିଶନ । ଏପରିକି ପଦକ୍ଷେପ ଅସାମ୍ବିଧାନିକ ବୋଲି ଯୁକ୍ତି ବାଢିଛନ୍ତି କମିଶନଙ୍କ ଓକିଲ ।

ଜିଲ୍ଲାପରିଷଦ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ଆଇନରେ ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ ରାଜ୍ୟ ସରକାର । ଜିଲ୍ଳାପରିଷଦ ଅଧ୍ୟକ୍ଷ ନିର୍ବାଚନ ପାଇଁ ନିର୍ବାଚିତ ସଭ୍ୟମାନଙ୍କୁ କହିବାକୁ ପଡ଼ିବ ସେମାନେ କାହାକୁ ଭୋଟ୍ ଦେଲେ? ଦଳୀୟ ସଭ୍ୟ ଗୋପନୀୟ ଭାବରେ ଭୋଟ୍ ଦେଇପାରିବେ ନାହିଁ । କାହାକୁ ଭୋଟ୍ ଦେଉଛନ୍ତି ଦଳୀୟ ଏଜେଂଟକୁ ଜଣାଇବାକୁ ବାଧ୍ୟ ହେବେ । ପଂଚାୟତିରାଜ ବିଭାଗ ପକ୍ଷରୁ ଗତ ମାର୍ଚ୍ଚ ୮ ତାରିଖରେ ପ୍ରକାଶ ପାଇଥିବା ଏଭଳି ବିଜ୍ଞପ୍ତିକୁ ନେଇ ଦେଖାଦେଇଥିଲା ବିବାଦ । ସଂଶୋଧନକୁ ବିରୋଧ କରି ହାଇକୋର୍ଟରେ ମାମଲା କରିଥିଲା ବିଜେପି ।

ମାର୍ଚ୍ଚ ୧୨ ତାରିଖରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ସରକାରଙ୍କ ଏଭଳି ସଂଶୋଧନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଘୋଡା ବେପାର ରୋକିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ସଫେଇ ରଖିଥିଲା ଶାସକ ଦଳ । କିନ୍ତୁ ଏବେ କୋର୍ଟରେ ନିର୍ବାଚନ କମିଶନଙ୍କ ବିରୋଧ ସରକାରଙ୍କୁ ଅଡୁଆରେ ପକାଇଛି ।