କିଏ ନେଇଗଲା ରତ୍ନଭଣ୍ଡାର ଚାବି ? ଚାବିକୁ ନେଇ ବଢ଼ିବାରେ ଲାଗିଛି ରାଜନୀତି, ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

25

କନକ ବ୍ୟୁରୋ : କୁଆଡେ ଗଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି । ତାର ତଦନ୍ତ କରିବେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି । ଭିତର ଭଣ୍ଡାର ଚାବି ହଜିଯିବା ନେଇ ତୁମ୍ବିତୋଫାନ ପରେ ଆଜି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାବି କେଉଁଆଡେ ଗାଏବ ହୋଇଗଲା, କାହା ସମୟରେ ଚାବି ହଜିଲା ଏବଂ ଏଥିପାଇଁ କିଏ ଦାୟୀ ସେ ବାବଦରେ ତଦନ୍ତ କରି ତିନିମାସ ମଧ୍ୟରେ ରିପୋର୍ଟ ଦେବେ ଜୁଡିସିଆଲ କମିସନ୍ ।

କୋଟିକୋଟି ଓଡିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭିତରେ ଭଣ୍ଡାର ଘରେ ୩ଟି ତାଲା ପଡ଼ିଥିବାର ସୂଚନା ରହିଛି । ଆଉ ଆଶ୍ଚର୍ଯ୍ୟ ଜନକ ଭାବେ ଏହି ତିନିଟି ତାଲା ମଧ୍ୟରୁ ଗୋଟିକର ଚାବି କେଉଁଆଡେ ଗାଏବ ହୋଇଯାଇଛି । ଏହି ଚାବି କୁଆଡେ ଗଲା ତାର ତଦନ୍ତ ହେବ । ଚାବି ହଜିଯାଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟିକୁ ଜଣାଇବା ପରେ ଏହାର ଖୋଳତାଡ ପାଇଁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ଭିତର ଭଣ୍ଡାର ଚାବି ହଜିବା ନେଇ ପରିଚାଳନା କମିଟି ବୈଠକରେ ଜଣାଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଏପ୍ରିଲ ୪ ତାରିଖରେ ଭିତର ଭଣ୍ଡାର ଯାଂଚ ପାଇଁ ଯାଇଥିବା ଟିମ୍ ଗୋଟିଏ ଚାବି ନଥିବା ଉପଲବ୍ଧି କରିଥିଲେ । ଶ୍ରୀମନ୍ଦିର ଉପପ୍ରଶାସକ ତଥା ଜିଲ୍ଲାପାଳ ପରିଚାଳନା କମିଟିକୁ ଜଣାଇଥିଲେ ଯେ, ଟ୍ରେଜେରୀରେ ଥିବା ସମସ୍ତ ରେଜିଷ୍ଟର ସେ ପୁଙ୍ଖାନୁପୁଙ୍ଖ ଭାବେ ଖୋଜିଛନ୍ତି । କିନ୍ତୁ ୧୯୭୦ରୁ ଭିତର ଭଣ୍ଡାର ଚାବି ଜମା ରଖିବା କିମ୍ବା ପରବର୍ତି ସମୟରେ ଭିତର ଭଣ୍ଡାର ଖୋଲିବା ଲାଗି ଟ୍ରେଜେରୀରୁ ଚାବି ଅଣାଯିବାର କୌଣସି ପ୍ରମାଣ ନାହିଁ । ତେଣୁ ପ୍ରଶ୍ନ ଉଠୁଛି..

– ଏପ୍ରିଲ ୪ରେ ଭଣ୍ଡାର ଘର ଯାଂଚ ବେଳେ ଗୋଟିଏ ଚାବି ନଥିବା ଜଣାପଡିଲା
– କିନ୍ତୁ ଚାବି ହଜିଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇନଥିଲା
– ଏପ୍ରିଲ ୧୭ରେ ପରିଚାଳନା କମିଟିକୁ ଚାବି ହଜିବା ନେଇ ତଥ୍ୟ ଦିଆଗଲା
– ପ୍ରାୟ ୩ମାସ ପରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସରକାର
– ଗଣମାଧ୍ୟମରେ ତୁମ୍ବିତୋଫାନ ପରେ ଦିଆଯାଇଛି କି ତଦନ୍ତ ନିର୍ଦ୍ଦେଶ?

ପୁରୀ ଶ୍ରୀମନ୍ଦିରକୁ ନେଇ ସରକାର ବସାଇଥିବା ଅନେକ କମିଶନର ରିପୋର୍ଟ ଏଯାଏଁ ଆସିନାହିଁ ବା କମିଶନ ଦେଇଥିବା ରିପୋର୍ଟ କାର୍ଯ୍ୟକାରୀ ହୋଇନାହିଁ । ତେଣୁ ପୁଣି ଗୋଟିଏ କମିଶନର ତଦନ୍ତକୁ ଭରସା କରିପାରୁ ନାହାନ୍ତି ଜଗନ୍ନାଥ ପ୍ରେମୀ । କାରଣ ପୂର୍ବରୁ ଅନେକ ତଦନ୍ତ ହୋଇଛି କିନ୍ତୁ ଫଳ ଶୂନ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି । କାରଣ ଏ ପର୍ୟ୍ୟନ୍ତ ଜଗନ୍ନାଥ ଶ୍ରୀମନ୍ଦିରର ସୁଧାର ଆଣିବା ଏବଂ ଅନ୍ୟାନ୍ୟ ସସମ୍ୟା ଉପରେ ଚାରୋଟି କମିଶନର ରିପୋର୍ଟ ରାଜ୍ୟ ସକରାରଙ୍କ ହସ୍ତଗତ ହୋଇଥିବା ବେଳେ ଏହି ରିପୋର୍ଟ ବାବଦରେ ଏଯାବତ୍ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇ ନାହିଁ।

ରତ୍ନଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବିଚାର ବିଭାଗୀୟ ତଦନ୍ତ ଏକ ବାହାନା ବୋଲି ବିଜେପି କହିଛି । ବିଜେପି କହିଛି ଯେ, କେବେ ଠାରୁ ଚାବି ହଜିଲା ଏ ବାବଦରେ ଶ୍ରୀମନ୍ଦିର ପରିଚାଳନା କମିଟି ପାଖରେ ଉତ୍ତର ନାହିଁ । ଜଗନ୍ନାଥପ୍ରେମୀଙ୍କ ମନକୁ ବଡ ପ୍ରକାର ଆଘାତ ଲାଗିଛି ତେଣୁ ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଊପରେ ଭରସା ନାହିଁ ତୁରନ୍ତ ଏହାକୁ ସିବିଆଇ ହାତକୁ ହସ୍ତାନ୍ତର କରନ୍ତୁ ବୋଲି ଦାବି କରିଛି ବିଜେପି । ସେହିଭଳି କଂଗ୍ରେସ କହିଛି , ବିଚାର ବିଭାଗୀୟ ତଦନ୍ତ ଯଥେଷ୍ଟ ନୁହେଁ । କାରଣ ଏହି କମିଶନ କେବଳ ସୁପାରିଶ କରିପାରିବ , ଦୋଷୀକୁ ଦଣ୍ଡବିଧାନର କ୍ଷମତା କମିଶନ ପାଖରେ ନାହିଁ ତେଣୁ ରାଜ୍ୟ ସରକାର ଫୌଜଦାରୀ ମାମଲା ରୁଜୁ କରି ପୋଲିସର ଏକ ସ୍ୱତନ୍ତ୍ର ଦଳ ଏହାର ତଦନ୍ତ କରୁ ଯାହାଦ୍ୱାରା ପ୍ରକୃତ ଦୋଷୀକୁ ଦଣ୍ଡ ମିଳି ପାରିବ ବୋଲି କହିଛି କଂଗ୍ରେସ । ମହାପ୍ରଭୁଙ୍କ ରତ୍ନ ଆଭୁଷଣ ଗଚ୍ଛିତ ଥିବା ଭଣ୍ଡାର ଘର ଚାବି ହଜିଯିବା ଏକ ସମ୍ବେଦନଶୀଳ ଘଟଣା । ଆଗକୁ ଆସୁଛି ରଥଯାତ୍ରା । ତେଣୁ ସରକାରଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ସେବାୟତ ଓ ଭକ୍ତଙ୍କୁ ସନ୍ତୁଷ୍ଟ କରିପାରୁଛି ନା ପୁଣିଏକ ବିବାଦୀୟ ପରିସ୍ଥିତି ସୃଷ୍ଟି କରୁଛି ତାହା ଆଗକୁ ଜଣାପଡିବ ।