ଖୁବଶୀଘ୍ର ଓଡ଼ିଶା ଆସିବ ବିଜୁଙ୍କ ଡାକୋଟା ! ଏଏଆଇକୁ ଚିଠି ଲେଖିଲେ ରାଜ୍ୟ ସରକାର ।

230

କନକ ବ୍ୟୁରୋ : ଖୁବଶୀଘ୍ର ଓଡିଶା ଆସିବ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନ । ଆଉ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଏଏଆଇକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଗତ ୧୬ରେ ଏନେଇ ଲୋକସେବା ଭବନରେ ବୈଠକ ବସିଥିଲା ।

୧୯୪୭ ମସିହାରେ ଏହି ବିମାନରେ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଏହି ବିମାନରେ ଇଣ୍ଡୋନେସିଆର ତତକାଳୀନ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଶତ୍ରୁ କବଳରୁ ରକ୍ଷା କରିଥିଲେ । ଏହି ବିମାନ ଏବେ କୋଲକାତାରେ ଅଛି । ଏହାକୁ ଆଣିବାକୁ ରାଜ୍ୟ ସରକାର ଦୀର୍ଘଦିନ ହେଲା ଉଦ୍ୟମ କରୁଥିଲେ ।

ଓଡିଶା ଫେରିବ ସ୍ୱର୍ଗତ ବିଜୁ ବାବୁଙ୍କ ସାହସିକତା ଓ ବୀରତ୍ୱର ଗାଥା ବହନ କରୁଥିବା ଡାକୋଟା ବିମାନ । ତେବେ ଓଡିଶା ଆସିଲେ ଡାକୋଟାକୁ କେଉଁଠି ରଖାଯିବ, ତାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ କଟକର ଆନନ୍ଦ ଭବନରେ ହିଁ ବିଜୁବାବୁଙ୍କ ଡାକୋଟା ବିମାନକୁ ରଖାଯିବା ନେଇ ନିଷ୍ପତି ନିଆଯାଇଥିଲା । ଡାକୋଟା ବିମାନରେ ଇଣ୍ଡୋନେସିଆର ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସେତେବେଳେ ଉଦ୍ଧାର କରିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ । ସେଥିପାଇଁ ଏହି ବିମାନକୁ ବିଜୁଙ୍କ ବୀରତ୍ୱର ଗାଥା ବୋଲି କୁହାଯାଉଛି ।